ସୁଟ୍ ପାଇଁ ଆସିଲେ ନାହିଁ ଅଭିନେତା, ଫ୍ଲାଟର କବାଟ ଭାଙ୍ଗି ଦେଖିବାରୁ ମିଳିଲା ମୃତଦେହ

ମନୋରଞ୍ଜନ ଜଗତରୁ ଆସିଲା ଏକ ଦୁଃଖଦ ଖବର । ଜଣାଶୁଣା ଟିଭି ଅଭିନେତା ଯୋଗେଶ ମହାଜନ ଆଉ ନାହାନ୍ତି । ଗତକାଲି ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ଅଭିନେତାଙ୍କ ଦେହାନ୍ତରେ ପୂରା ମନୋରଞ୍ଜନ ଜଗତ ଶୋକରେ ବୁଡ଼ିଯାଇଛି । ଯୋଗେଶ ହିନ୍ଦୀ ଟିଭି ସିରିଏଲ୍ ଏବଂ ମରାଠି ଫିଲ୍ମରେ କାମ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ।

ନିଜ ଫ୍ଲାଟରେ ହିଁ ଯୋଗେଶ ମହାଜନଙ୍କ ନିଧନ ହୋଇଛି । ଏହି ଫ୍ଲାଟ୍ ସେଟ୍ ପରିସରରେ ରହିଛି । ସୁଟିଂ ପାଇଁ ସେ ନ ଆସିବାରୁ କ୍ରୁ ମେମ୍ବରମାନେ ତାଙ୍କ ଫ୍ଲାଟ୍ ଭିତରକୁ ଯାଇଥିଲେ । ଫ୍ଲାଟର କବାଟ ଭାଙ୍ଗି ସେମାନେ ଭିତରେ ପଶିଥିଲେ । ଏହି ସମୟରେ ଯୋଗେଶ ମୃତ ଅବସ୍ଥାରେ ମିଳିଥିଲେ । କ୍ରୁ ମେମ୍ବରମାନେ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିନେତାଙ୍କ ମୃତ୍ୟୁ ହୃଦଘାତ କାରଣରୁ ହୋଇଥିବା ଡାକ୍ତରମାନେ କହିଛନ୍ତି ।

କୋ-ଷ୍ଟାର୍ ଆକାଂକ୍ଷା ରାୱତ ଅଭିନେତାଙ୍କ ମୃତ୍ୟୁ ନିଶ୍ଚିତ କରିଛନ୍ତି । ଯୋଗେଶଙ୍କ ବିଷୟରେ ସେ କହିଛନ୍ତି ଯେ ସେ ବହୁତ ଭଲ ହୃଦୟର ମଣିଷ ଥିଲେ । ତାଙ୍କର ସେନ୍ସ ଅଫ୍ ହ୍ୟୁମର ବହୁତ ଭଲ ଥିଲା । ଆମେ ବର୍ଷେରୁ ଅଧିକ ସମୟ ହେବ ଏକାଠି ସୁଟିଂ କରୁଥିଲୁ । ବର୍ତ୍ତମାନ ଆମେ ସମସ୍ତେ ଗଭୀର ଶୋକରେ ଅଛୁ ।

କହି ରଖୁଛୁ, ଯୋଗେଶ ମହାଜନଙ୍କର ଏକ ୭ ବର୍ଷର ପୁଅ ମଧ୍ୟ ଅଛି । ଅଭିନେତାଙ୍କ ମୃତ୍ୟୁରେ ତାଙ୍କ ପତ୍ନୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଆଜି ଦିନ ୧୧ଟାରେ ମୁମ୍ବାଇର ବୋରିଭାଲି ୱେଷ୍ଟର ହାଇସ୍କୁଲ ନିକଟ ଗୋରାରୀ-୨ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

ଆହୁରି ପଢ଼ନ୍ତୁ: ସୁଟିଙ୍ଗ ସେଟରେ ଘଟିଲା ଅଘଟଣ…ଛାତ ସହ ତଳକୁ ପଡିଗଲେ ଅର୍ଜୁନ

You might also like