ଉର୍ବଶୀ ଢୋଲକିଆଙ୍କ କାର୍‌ ଦୁର୍ଘଟଣା; ସୁଟିଂ ପାଇଁ ଯାଉଥିବା ବେଳେ ପଛପଟୁ ପିଟିଲା ସ୍କୁଲ ବସ୍‌

ଟିଭି ଅଭିନେତ୍ରୀ ଉର୍ବଶୀ ଢୋଲକିଆଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ନିକଟରେ ଅଭିନେତ୍ରୀ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି। ଖବର ରହିଛି କି, ଶନିବାର ଉର୍ବଶୀ ଫିଲ୍ମ ଷ୍ଟୁଡିଓରେ ସୁଟିଂ ପାଇଁ ଯାଉଥିବା ସମୟରେ ଏକ ସ୍କୁଲ ବସ୍ ତାଙ୍କ କାରକୁ ପଛପଟୁ ଧକ୍କା ଦେଇଥିଲା। ଏହି ଧକ୍କା ବହୁତ ଶକ୍ତିଶାଳୀ ଥିଲା।

ଯଦିଓ କାର ଓ ସ୍କୁଲ ବସ୍ ମଧ୍ୟରେ ଧକ୍କାରେ ଅଭିନେତ୍ରୀ ଗୁରୁତର ଆହତ ହୋଇନାହାନ୍ତି ଏବଂ ସେ ସୁରକ୍ଷିତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଉର୍ବଶୀ ଥାନାରେ ବସ୍ ଡ୍ରାଇଭରଙ୍କ ବିରୋଧରେ କୌଣସି ମାମଲା ରୁଜୁ କରିନାହାନ୍ତି। ଅଭିନେତ୍ରୀଙ୍କ କହିବା ହେଲା, ଏହା କେବଳ ଏକ ଦୁର୍ଘଟଣା ଥିଲା। ଫ୍ୟାନ୍‌ମାନେ ଚିନ୍ତା କରିବା ଆବଶ୍ୟକ ନାହିଁ। ଡାକ୍ତର ତାଙ୍କୁ କିଛି ଦିନ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି।

ସୂଚନା ମୁତାବକ, ଅଭିନେତ୍ରୀ ସୁଟିଂ ପାଇଁ ନିଜ କାରରେ ବସି ମୁମ୍ବାଇର ମୀରା ରୋଡ ଫିଲ୍ମ ଷ୍ଟୁଡିଓ ଆଡକୁ ଯାଉଥିଲେ। ଏହି ସମୟରେ କାଶିମିରା ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ୍‌ ଉର୍ବଶୀଙ୍କ କାର୍‌କୁ ପଛପଟୁ ଆସି ଜୋର୍‌ରେ ଧକ୍କା ଦେଇଥିଲା। ଅଭିନେତ୍ରୀ କହିଛନ୍ତି କି, ‘ଚିନ୍ତା କରିବା ଆବଶ୍ୟକ ନାହିଁ। ମୁଁ ଠିକ୍‌ ଅଛି’।

କହି ରଖୁଛୁ, ଉର୍ବଶୀ ଢୋଲକିଆ ଟିଭି ଜଗତର ଏକ ଜଣାଶୁଣା ନାଁ। ସେ ଟିଭିରେ ଅଧିକାଂଶ ଭିଲେନ୍‌ର ରୋଲ୍‌ ନିଭାଇଛନ୍ତି। ଏଥି ସହିତ ଉର୍ବଶୀ ଚର୍ଚ୍ଚିତ ଶୋ’ ବିଗ୍‌ ବସ୍‌ ସିଜନ ୬ର ମଧ୍ୟ ବିଜେତା ରହିଛନ୍ତି। ତାଙ୍କର ଦୁଇ ଯାଆଁଳା ସନ୍ତାନ ଅଛନ୍ତି।