କଟକ ପରିବାର ଅଦାଲତରେ ହାଜର ହେଲେ ବର୍ଷା-ଅନୁଭବ, ଜଜ୍ ଉଭୟଙ୍କ ମାମଲାକୁ ନେଇ କରିବେ ଆଲୋଚନା

କଟକ (କେନ୍ୟୁଜ): ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । କଟକ ପରିବାର ଅଦାଲତରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ । ଉଭୟ ବର୍ଷା ଓ ଅନୁଭବଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ପରିବାର ଅଦାଲତ । ମାମଲାରେ ଅସହଯୋଗ କରିଥିବାରୁ ଉଭୟଙ୍କୁ ୫ ହଜାର ଟଙ୍କାର ତଣ୍ଡ ଦେଇଥିଲେ କୋର୍ଟ । ଆଜି ହାଜର ହେବା ପାଇଁ ଗତ ୯ ତାରିଖରେ ନିର୍ଦ୍ଦେଶ ଦେଇଥିଲେ କଟକ ପରିବାର ଅଦାଲତ । ସେହିପରି ସାଂସଦ ଅନୁଭବ ମହାନ୍ତି ମଧ୍ୟ କୋର୍ଟରେ ହାଜର ହୋଇଛନ୍ତି। ଉଭୟଙ୍କ ସହ ଆଲୋଚନା କରିବାକୁ ଜଜ୍ ସେମାନଙ୍କୁ ନିଜ ଚ୍ୟାମ୍ବରକୁ ପଠାଇଥିବା କୁହାଯାଉଛି । କୋର୍ଟରେ ନିଜ ଅନ୍ୟକାମ ସାରି ଜଜ୍ ଉଭୟଙ୍କ ମାମଲାକୁ ନେଇ ଆଲୋଚନା କରିବେ ।

ପୂର୍ବରୁ ବାରମ୍ବାର ତାରିଖ ଧାର୍ଯ୍ୟ ପରେ ବି ସାକ୍ଷ୍ୟଗ୍ରହଣ ପାଇଁ ବର୍ଷା କୋର୍ଟ ଆସୁନଥିଲେ । ସେହିପରି ଅନୁଭବ ମଧ୍ୟ ଛାଡ଼ପତ୍ର ପିଟିସନରେ ବିବାହ ସ୍ଥାନ ଭୁଲ୍ ଦର୍ଶାଇଥିଲେ । ଏହାକୁ ନେଇ ଉଭୟେ ବର୍ଷା ଓ ଅନୁଭବଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ଫାଇନ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ପରିବାର ଅଦାଲତ । ଅଯଥାରେ କୋର୍ଟଙ୍କ ସମୟ ବିଳମ୍ବ କରିଥିବାରୁ ଉଭୟେ ଏହି ଟଙ୍କା ଗଣିବେ ବୋଲି ଜଣାପଡ଼ିଛି । ଉଭୟଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି । ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷାଙ୍କ ଆବେଦନ ଓ ବିବାହ ସ୍ଥାନ ତଥ୍ୟରେ ସଂଶୋଧନ ପାଇଁ ଅନୁଭବଙ୍କ ଆବେଦନକୁ ଗ୍ରହଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.