ଲୋକପ୍ରିୟ ଅଭିନେତ୍ରୀ ସୁଲୋଚନା ଲାଟକରଙ୍କ ଦେହାନ୍ତ, ମୋଦି ଜଣାଇଲେ ଶ୍ରଦ୍ଧାଞ୍ଜଳି

ମରାଠୀ ଏବଂ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ସୁଲୋଚନା ଲାଟକରଙ୍କ ପରଲୋକ । ୯୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ମରାଠୀ ଏବଂ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ସୁଲୋଚନା ଲାଟକରଙ୍କର ୯୪ ବର୍ଷରେ ପରଲୋକ ହୋଇଛି । ମୁମ୍ବାଇ ସ୍ଥିତ ଗୋଟିଏ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛିଦିନ ହେଲାଣି ଗୁରୁତର ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ରବିବାର ରାତିରେ ତାଙ୍କର ଦେହାନ୍ତ ହୋଇଛି । ସୁଲୋଚନାଙ୍କ ଅନ୍ତିମ ସଂସ୍କାର ଆଜି ଦାଦର ଶଶ୍ମାନରେ ହେବ ।

ସୁଲୋଚନାଙ୍କ ଝିଅ କାଞ୍ଚନ ଏହି ଦୁଃଖଦ ଖବର ସମସ୍ତଙ୍କୁ ଦେଇଛନ୍ତି। ସୁଲୋଚନାଙ୍କ ଅବସ୍ଥା ଗୁରୁତର ଥିଲା । ସେ ନିଃଶ୍ୱାସ ନେବାରେ କଷ୍ଟ ଓ ବୟସଜନିତ ରୋଗ ଯୋଗୁ ଗୁରୁତର ହେବାରୁ ତାଙ୍କୁ ମୁମ୍ବାଇର ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ସୁଲୋଚନାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ମୋଦି ଶ୍ରଦ୍ଧାଞ୍ଜଳି ଦେଇ ଲେଖିଛନ୍ତି, ଆପଣ ଚାଲିଯିବା ପରେ ଭାରତୀୟ ସିନେମାରେ ଏକ ଖାଲିସ୍ଥାନ ପଡିବ । ଆପଣଙ୍କ ଅଭିନୟ ସବୁବେଳେ ଆମ ସଂସ୍କୃତିକୁ ସମୃଦ୍ଧ କରିଛି । ତାଙ୍କ କାମ ସବୁବେଳେ ଝଲସିବ । ପରିବାରକୁ ସ୍ୱାନ୍ତନା । ଓମ୍‌ ଶାନ୍ତି ।

ସୂଚନାଯୋଗ୍ୟ, ସୁଲୋଚନା ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସମସ୍ତ ମେଡିକାଲ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିଲେ । ଏଥିସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ତୁରନ୍ତ ଚିକିତ୍ସା ପାଇଁ ସୁଲୋଚନାଙ୍କ ପରିବାର ଲୋକଙ୍କୁ ୩ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ।

ସୁଲୋଚନା ହିନ୍ଦୀରେ ୨୫୦ ଓ ମରାଠୀରେ ୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ସେ ଅଧିକାଂଶ ବଲିଉଡ ଫିଲ୍ମରେ ମା’ ଭୂମିକାରେ ନଜର ଆସିଥିଲେ। ନିଜର ଅଭିନୟ ପାଇଁ ତାଙ୍କୁ ୧୯୯୯ରେ ପଦ୍ମଶ୍ରୀ ଓ ୨୦୦୯ରେ ମହାରାଷ୍ଟ୍ର ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କୁ ବାଜିରାଓ ମସ୍ତାନୀରେ ମଧ୍ୟ ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.