ମର୍ଡର ମିଷ୍ଟ୍ରୀକୁ ନେଇ ‘ଗୋବିନ୍ଦା ନାମ ମେରା’ର ଟ୍ରେଲର ଲଞ୍ଚ୍‌; କମେଡି ଅବତାରରେ ନଜର ଆସିଲେ ଭିକ୍କି, କିଆରା ଓ ଭୂମି

କମେଡି ଡ୍ରାମା ଫିଲ୍ମ ‘ଗୋବିନ୍ଦା ନାମ ମେରା’ର ଟ୍ରେଲର ରବିବାର ରିଲିଜ୍‌ ହୋଇଛି। ଫିଲ୍ମକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିଲା। ଏଥିରେ ଭିକ୍କି କୌଶଲ, କିଆରା ଆଡ୍‌ଭାଣୀ ଓ ଭୂମି ପେଡନେକର ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଶଶାଙ୍କ ଖେତାନ କରିଛନ୍ତି। ଧର୍ମା ପ୍ରଡକ୍ସନସ୍‌ର ଏହି ଫିଲ୍ମ ସିନେମାଘର ପରିବର୍ତ୍ତେ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ କରାଯିବ। ୧୬ ଡିସେମ୍ବରରେ ଫିଲ୍ମ ‘ଗୋବିନ୍ଦା ନାମ ମେରା’କୁ ଆପଣ ଡିଜ୍‌ନୀ ପ୍ଲସ୍‌ ହଟ୍‌ ଷ୍ଟାରରେ ଦେଖିପାରିବେ।

ଟ୍ରେଲରର ଆରମ୍ଭ ଭିକ୍କି କୌଶଲଙ୍କଠାରୁ ହେଉଛି। ତାଙ୍କ ନାମ ଗୋବିନ୍ଦା, ଯିଏକି, ପେସାରେ ଜଣେ କୋରିଓଗ୍ରାଫର। ଭିକ୍କି କୌଶଲଙ୍କ ପତ୍ନୀ ହୋଇଛନ୍ତି ଭୂମି ପେଡନେକର ଏବଂ ତାଙ୍କ ଚରିତ୍ରର ନାମ ହେଉଛି ଗୌରୀ। ଏହାରି ଭିତରେ ଭିକ୍କିଙ୍କ ସୁକୁଙ୍କୁ ହୃଦୟ ଦେଇ ବସୁଛନ୍ତି। ଏଠି ସୁକୁ ଭୂମିକାରେ ଅଭିନୟ କରିଛନ୍ତି କିଆରା ଆଡ୍‌ଭାଣୀ, ଯିଏକି, ନିଜେ ମଧ୍ୟ ଡ୍ୟାନ୍ସର। ସେପଟେ ଗୋବିନ୍ଦା ପତ୍ନୀଙ୍କଠାରୁ ଦୂରେଇ ଯିବାକୁ ଚାହାଁନ୍ତି ଏବଂ ତାଙ୍କଠାରୁ ଛାଡ଼ପତ୍ର ଆଶା କରନ୍ତି। ଏହା ଉପରେ ଗୌରୀ କୁହନ୍ତି କି, ‘ଦୁଇ କୋଟି ଦେ ଏବଂ ଡିଭୋର୍ସ ନେ’।

ଆଗକୁ ଗୋବିନ୍ଦା, ଗୌରୀଙ୍କ ଉପରେ ବନ୍ଧୁକ ଲଗାଉଛନ୍ତି। ପରବର୍ତ୍ତୀ ସିନ୍‌ରେ ପୋଲିସ ଏକ ହତ୍ୟାକାଣ୍ଡର ଯାଞ୍ଚ କରୁଛି ଏବଂ ଏ ନେଇ ପୋଲିସ ଗୋବିନ୍ଦା ଓ ସୁକୁଙ୍କ ଉପରେ ସନ୍ଦେହ ପ୍ରକାଶ କରୁଛି। ତେବେ ହତ୍ୟା କାହାର ହୋଇଛି, ତାହା ଟ୍ରେଲରରେ ଦେଖାଯାଇ ନାହିଁ। ଫିଲ୍ମର ପ୍ରତ୍ୟେକ ଚରିତ୍ର ଡାର୍କ ଶେଡ୍‌ ନେଇଛନ୍ତି, ଯାହା ଘଟଣାଗୁଡ଼ିକୁ ଆହୁରି ଅଧିକ ରୋମାଞ୍ଚକ କରିଦେଉଛି।

ଗୋବିନ୍ଦା ନାମ ମେରାରେ ଭିକ୍କି, ଭୂମି ଓ କିଆରା ୩ ଭିନ୍ନ ଭିନ୍ନ ଅବତାରରେ ନଜର ଆସିଛନ୍ତି। ସେମାନଙ୍କ କଷ୍ଟ୍ୟୁମ୍‌ରୁ ନେଇ ମେକ୍‌ଅପ ପର୍ଯ୍ୟନ୍ତ, ସବୁକିଛି ଭାଇବ୍ରେଣ୍ଟ ରହିଛି। ଡାଇଲଗ୍‌ ଡେଲିଭରି ମଜାଳିଆ ଢଙ୍ଗରେ କରାଯାଇଛି। ଶଶାଙ୍କ ଖେତାନ ହିଁ ଏହି ଫିଲ୍ମକୁ ରଚନା କରିଛନ୍ତି। ସେ ଏହା ପୂର୍ବରୁ ଫିଲ୍ମ ‘ଧକଡ଼’ ଓ ‘ବଦ୍ରୀନାଥ କୀ ଦୁଲ୍‌ହନିୟା’ ତିଆରି କରିଥିଲେ।

video courtesy: DisneyPlus Hotstar

Leave A Reply

Your email address will not be published.