ବିକ୍ରାନ୍ତ ମେସିଙ୍କ ୟୁ ଟର୍ଣ୍ଣ…କହିଲେ, ‘ମୁଁ ଅଭିନୟ ଛାଡ଼ିନି କି ଅବସର ନେଇନି’
ବିକ୍ରାନ୍ତ ମେସି, ନିକଟରେ ସୋସିଆଲ ମିଡିଆରେ ନିଜ ଅବସର ବିଷୟରେ ଘୋଷଣା କରି ଚର୍ଚ୍ଚାକୁ ଆସିଥିଲେ । ବର୍ତ୍ତମାନ ସେ ତାଙ୍କର ଏହି ପୋଷ୍ଟ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି । ନିଜର ସଦ୍ୟତମ ଚଳଚ୍ଚିତ୍ର ‘ଦ ସାବରମତି ରିପୋର୍ଟ’ର ସଫଳତା ପରେ ବିକ୍ରାନ୍ତ ମେସି ଡିସେମ୍ବର ୨ ତାରିଖ ସକାଳେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ।
ଏଥିରେ ସେ କହିଥିଲେ ଯେ ‘୨୦୨୫ରେ ଶେଷ ଥର ପାଇଁ ତାଙ୍କୁ ଫିଲ୍ମରେ ଦେଖିବାକୁ ମିଳିବ’ । ଏହି ଖବର ଶୁଣି ତାଙ୍କ ଫ୍ୟାନ୍ସ ଏବଂ ଇଣ୍ଡଷ୍ଟ୍ରିର ଲୋକଙ୍କୁ ବଡ଼ ଝଟକା ଲାଗିଥିଲା । ଖବରକୁ କେହି ବିଶ୍ୱାସ କରିପାରି ନ ଥିଲେ । ଏବେ ଅଭିନେତା ନିଜର ନୂଆ ବୟାନ ଜାରି କରି ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି ଯେ ଲୋକମାନେ ତାଙ୍କ ପୋଷ୍ଟକୁ ଭୁଲ୍ ବୁଝିଛନ୍ତି ।
ଅଭିନେତା ତାଙ୍କ ବୟାନରେ କହିଛନ୍ତି, ‘ଅଭିନୟ ହିଁ ସେହି ଜିନିଷ, ଯାହା ମୁଁ କେବଳ କରିପାରିବି ଏବଂ ମୋତେ ଏହା ସବୁ କିଛି ଦେଇଛି, ଯାହା ମୋ ପାଖରେ ଅଛି । ମୋର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଛି । ମୁଁ କେବଳ କିଛି ସମୟ ପାଇଁ ବିଶ୍ରାମ ନେବାକୁ ଚାହୁଁଛି । ମୋ କାର୍ଯ୍ୟରେ ଉନ୍ନତି ଆଣିବାକୁ ଚାହୁଁଛି । ବର୍ତ୍ତମାନ ମୁଁ ବହୁତ କ୍ଳାନ୍ତ ଅନୁଭବ କରୁଛି’ ।
‘ମୋ ପୋଷ୍ଟର ଭୁଲ୍ ଅର୍ଥ ବାହାର କରାଯାଇଛି ଯେ ମୁଁ ଅଭିନୟ ଛାଡୁଛି କିମ୍ବା ଏଥିରୁ ଅବସର ନେଉଛି । ମୁଁ ମୋ ପରିବାର ଏବଂ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ପାଇଁ କିଛି ସମୟ ଆରାମ କରିବାକୁ ଚାହୁଁଛି । ଠିକ୍ ସମୟ ଆସିଲେ ମୁଁ ଫେରି ଆସିବି, କେବଳ ମୁଁ ବିରତି ନେଉଛି’ ।
କହି ରଖୁଛୁ, ବିକ୍ରାନ୍ତ ମେସିଙ୍କ ଅଭିନୀତ ଫିଲ୍ମ ‘ଦ ସାବରମତି ରିପୋର୍ଟ’ ନଭେମ୍ବର ୧୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।