ଇଣ୍ଡଷ୍ଟ୍ରୀ ଛାଡ଼ିଲେ ବିକ୍ରାନ୍ତ ମେସି ! ଆକ୍ଟିଙ୍ଗରୁ ସନ୍ୟାସ ନେଇ କଲେ ଘୋଷଣା

ବଲିଉଡର ଅନ୍ୟତମ ଟ୍ୟାଲେଣ୍ଟଡ୍ ଅଭିନେତା ହେଉଛନ୍ତି ବିକ୍ରାନ୍ତ ମେସି । ସେ ନିଜ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ପ୍ରକାରର ରୋଲ୍ ପ୍ଲେ କରିଛନ୍ତି ଏବଂ ଦର୍ଶକଙ୍କ ହୃଦୟରେ ସ୍ଥାନ ହାସଲ କରିଛନ୍ତି । କିନ୍ତୁ ଡିସେମ୍ବର ୧ ରେ ବିକ୍ରାନ୍ତ ମେସି ଇଣ୍ଡଷ୍ଟ୍ରୀ ଛାଡିବା ନେଇ ଘୋଷଣା କରିଛନ୍ତି । ସେ ସୋସିଆଲ ମିଡିଆରେ ଆକ୍ଟିଙ୍ଗରୁ ଅବସର ନେବା ପାଇଁ ଘୋଷଣା କରିଥିଲେ । ବିକ୍ରାନ୍ତ ନିଜ କ୍ୟାରିୟରରେ ସଫଳତାର ଶିଖରରେ ପହଞ୍ଚିବା ସମୟରେ ହିଁ ଏହି ନିଷ୍ପତ୍ତି ନେଇଛନ୍ତି ।

ବିକ୍ରାନ୍ତ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ନମସ୍କାର, ଗତ କିଛି ବର୍ଷ ଭଲ ଥିଲା । ଆପଣଙ୍କ ସପୋର୍ଟ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । କିନ୍ତୁ ଏବେ ମୁଁ ଅନୁଭବ କରୁଛି ଯେ ଘରକୁ ଫେରିବାର ସମୟ ଆସିଛି । ଆଗାମୀ ୨୦୨୫ ରେ ଆମେ ଶେଷ ଥର ପାଇଁ ଭେଟିବା । ଶେଷ ୨ ଫିଲ୍ମ ଏବଂ ଅନେକ ବର୍ଷର ସ୍ମୃତି । ପୁଣି ଥରେ ଧନ୍ୟବାଦ, ସବୁକିଛି ପାଇଁ ମୁଁ ସବୁଦିନ ଋଣି । ”ବିକ୍ରାନ୍ତଙ୍କ ଏହି ଘୋଷଣା ଫ୍ୟାନ୍ସ ଏବଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କମେଣ୍ଟ ସେକ୍ସନରେ ଅଭିନେତାଙ୍କ ଏହି ନିଷ୍ପତ୍ତି ଉପରେ ଅନେକ ଫ୍ୟାନ୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି, ଜଣେ ୟୁଜର ଲେଖିଛନ୍ତି, “ଆପଣ ଏହା କାହିଁକି କରିବେ? ଆପଣଙ୍କ ଭଳି ଅଭିନେତା ନାହାଁନ୍ତି । ଆମକୁ କିଛି ଭଲ ସିନେମା ଦରକାର । ଏମତି ଭାବେ ଅନେକ ୟୁଜର ତାଙ୍କ ପୋଷ୍ଟରେ କମେଣ୍ଟ ଦେଇଛନ୍ତି ।

ବିକ୍ରାନ୍ତଙ୍କ କାର୍ଯ୍ୟ ବିଷୟରେ କହିବାକୁ ଗଲେ, ଗତ ବର୍ଷ ସେ ଫିଲ୍ମ ‘12th Fail’ ରେ ଆଇପିଏସ୍ ମନୋଜ କୁମାର ଶର୍ମା ଭୂମିକା ପାଇଁ ପ୍ରଶଂସିତ ହୋଇଥିଲେ । ଫିଲ୍ମରେ କରିଥିବା ଆକ୍ଟିଙ୍ଗ ପାଇଁ ସେ ଲୋକଙ୍କ ମନ କିଣି ପାରିଥିଲେ । ନିକଟରେ ଅଭିନେତାଙ୍କ ସାବରମତି ରିପୋର୍ଟ ରିଲିଜ ହୋଇଥିଲା । ଏହି ଫିଲ୍ମଟି ବହୁ ପ୍ରଶଂସିତ ହୋଇଛି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ଏହାକୁ ପ୍ରଶଂସା କରିଛନ୍ତି ।