ରାଜନୀତିକୁ ଆସିବା ନେଇ ମୁହଁ ଖୋଲିଲେ ଅକ୍ଷୟ କୁମାର, କହିଲେ କ’ଣ ରହିଛି ଯୋଜନା

ରାଜନୀତିକୁ ଆସିପାରନ୍ତି କି ଖିଲାଡ଼ି କୁମାର ଅକ୍ଷୟ କୁମାର। ଏ ନେଇ ନିଜ ମତ ସେୟାର କରିଛନ୍ତି ନିଜେ ଅକ୍ଷୟ କୁମାର। ଲଣ୍ଡନର ପଲ୍‌ ମଲ୍‌ରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡାଇରେକ୍ଟର୍ସରେ ଆୟୋଜିତ ହିନ୍ଦୁଜା ଓ ବଲିଉଡ୍‌ର ବୁକ୍‌ ଲଞ୍ଚରେ ନିଜ ଯୋଜନା ବିଷୟରେ କହିଛନ୍ତି ଅକ୍ଷୟ। ରାଜନୀତିରେ ଯୋଗ ଦେବା ନେଇ ଅକ୍ଷୟ କହିଛନ୍ତି, ମୁଁ ଆଦୌ ରାଜନୀତି କରିବାକୁ ଇଚ୍ଛୁକ ନୁହେଁ। ଫିଲ୍ମ କରିକି ହିଁ ମୁଁ ବହୁତ ଖୁସି ଅଛି।

ରିପୋର୍ଟ ମୁତାବକ, କାର୍ଯ୍ୟକ୍ରମରେ ରାଜନୀତିରେ ମିଶିବା ନେଇ ପଚରାଯିବାରୁ ଅକ୍ଷୟ କହିଥିଲେ, ସେ ସିନେମା ମାଧ୍ୟମରେ ନିଜ କଥାକୁ ଲୋକଙ୍କ ସାମ୍ନାରେ ରଖିବାକୁ ଚେଷ୍ଟା କରୁଛନ୍ତି। ଏଣୁ ଫିଲ୍ମ କରି ଖୁସି ଅଛନ୍ତି। ଜଣେ ଅଭିନେତା ରୂପରେ ସାମାଜିକ ସମସ୍ୟାକୁ ଲୋକଲୋଚନକୁ ଆଣିବାକୁ ସବୁ ପ୍ରକାରର ସମ୍ଭବ କାର୍ଯ୍ୟ ସେ କରୁଛନ୍ତି ବୋଲି କହିଛନ୍ତି ଖିଲାଡ଼ି କୁମାର।

ଅକ୍ଷୟ କୁମାର କହିଛନ୍ତି, ଇତି ମଧ୍ୟରେ ମୁଁ ୧୫୦ରୁ ଅଧିକ ସିନେମାରେ କାମ କରିସାରିଲିଣି। ସବୁ ଫିଲ୍ମ ମୋ ହୃଦୟର ଅତି ନିକଟତର। କିନ୍ତୁ ଆଗକୁ ରିଲିଜ୍‌ ହେବାକୁ ଯାଉଥିବା ଫିଲ୍ମ ‘ରକ୍ଷା ବନ୍ଧନ’ କିନ୍ତୁ ସବୁଠୁ ଅଲଗା। ମୁଁ ଅଧିକାଂଶ ଫିଲ୍ମ ସାମାଜିକ ଚାଲିଚଳଣି, କୁପ୍ରଥା ଆଦିକୁ ନେଇ କରିବାକୁ ଭଲ ପାଏ, ଯାହା ସମାଜ ଉପରେ ପ୍ରଭାବ ପକାଇବ ବୋଲି କହିଛନ୍ତି ଖିଲାଡ଼ି କୁମାର।

ତେବେ ଏବେ ପ୍ରଥମ ଥର ପାଇଁ ରାଜନୀତିକୁ ଆସିବା ନେଇ ଜବାବ ଦେଇ ନାହାନ୍ତି ଅକ୍ଷୟ କୁମାର। ପୂର୍ବରୁ ୨୦୧୯ ମସିହାରେ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଧ୍ୟ ସେ ଏ ନେଇ ପ୍ରଥମେ ମୁହଁ ଖୋଲିଥିଲେ। ସେତେବେଳେ ସେ କହିଥିଲେ, ମୁଁ କେବେ ବି ଫିଲ୍ମ ଲାଇନ୍‌ ଛାଡ଼ି ରାଜନୀତିକୁ ଯିବାକୁ ଚାହୁଁ ନାହିଁ। ମୋତେ ଫିଲ୍ମ ପସନ୍ଦ ଓ ଏହା ମାଧ୍ୟମରେ ମୁଁ ଲୋକଙ୍କ ସାମ୍ନାରେ ମୋ କଥା ରଖି ପାରୁଛି।

Also Read: ଆମେରିକାରେ ସ୍ୱାଧୀନତା ଦିବସ ପରେଡ୍‌ ସମୟରେ ଗୁଳିକାଣ୍ଡ; ୬ ମୃତ, ୨୪ ଗୁରୁତର

Leave A Reply

Your email address will not be published.