ଜୟା ବଚ୍ଚନଙ୍କ ମହାକୁମ୍ଭ ବିବୃତ୍ତିକୁ ନେଇ ଏମିତି କହିଦେଲେ ସୋନୁ ନିଗମ ! ଏବେ ସିଙ୍ଗରଙ୍କୁ ନେଇ ଉଠୁଛି ଅଙ୍ଗୁଳି

ବଲିଉଡ୍ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ମହାକୁମ୍ଭ ମେଳାକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ । ସେ ସଙ୍ଗମ ଜଳକୁ ଦୂଷିତ ବୋଲି କହିଥିଲେ । ଜୟା ଦାବି କରିଥିଲେ ଯେ ଦଳାଚକଟାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହକୁ ନଦୀରେ ଫିଙ୍ଗାଯାଇଥିଲା, ଯାହା ଦ୍ୱାରା ପାଣି ଆହୁରି ଅଧିକ ଦୂଷିତ ହୋଇଗଲା ।

ଜୟାଙ୍କର ଏହି ବିବୃତ୍ତି ଉପରେ ସୋନୁ ନିଗମ ‘ଏକ୍ସ’ରେ ତାଙ୍କୁ ଟାର୍ଗେଟ୍ କରିଥିଲେ । କିନ୍ତୁ ପ୍ରକୃତ କଥା ହେଉଛି ଯେ ‘ଏକ୍ସ’ରେ ଜୟାଙ୍କୁ ଟାର୍ଗେଟ୍ କରିଥିବା ଏହି ସୋନୁ ନିଗମ ହେଉଛନ୍ତି ବିହାରର ଜଣେ ଫୌଜଦାରୀ ଓକିଲ । ‘ଏକ୍ସ’ ବାୟୋ ଅନୁସାରେ, ତାଙ୍କର ପୂରା ନାମ ସୋନୁ ନିଗମ ସିଂ । ସେ ଜୟା ବଚ୍ଚନଙ୍କ ବୟାନ ଉପରେ ନିଜର ମତ ରଖିବା ପରେ ନେଟିଜେନ୍ସ ତାଙ୍କୁ ବଲିଉଡ୍ ସିଙ୍ଗର ସୋନୁ ନିଗମ ବୋଲି ଭାବିଥିଲେ ।

ସେପଟେ ସିଙ୍ଗର ସୋନୁ ନିଗମ ଗତବର୍ଷ ଜୁନରେ ହିଁ ନିଶ୍ଚିତ କରିଥିଲେ ଯେ ସେ ଟ୍ୱିଟରରେ ନାହାନ୍ତି । ସେ ସାତ ବର୍ଷ ପୂର୍ବେ ‘ଏକ୍ସ (ଟ୍ୱିଟର)’ ଛାଡ଼ିଥିଲେ ।

ବିହାରର ଓକିଲ ସୋନୁ ନିଗମ ସିଂ ଜୟା ବଚ୍ଚନଙ୍କ ବୟାନର ଭିଡିଓ ତାଙ୍କ ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି, ‘ଜୟା ବଚ୍ଚନ ଜୀ ନିଜର ମାନସିକ ସନ୍ତୁଳନ ହରାଇ ଦେଇଛନ୍ତି । ଅମିତାଭ ଜୀ, ତାଙ୍କୁ ଜଣେ ଭଲ ଡାକ୍ତରଙ୍କୁ ଦେଖାନ୍ତୁ’ । ତାଙ୍କର ଏହି ଟ୍ୱିଟରେ ଲୋକମାନେ ମଧ୍ୟ ଜୟା ବଚ୍ଚନଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଦେଇଥିଲେ । ନେଟିଜେନ୍ସ ଜୟାଙ୍କୁ ଟ୍ରୋଲ୍ କରିଥିଲେ ।

ଜଣେ ୟୁଜର ଲେଖିଛନ୍ତି, ‘ଧାର୍ମିକ ଭାବନାକୁ ଆଘାତ ଦେବାକୁ ନେଇ ସାରା ଦେଶରେ ଏହା ଉପରେ ମାମଲା ରୁଜୁ ହେବା ଉଚିତ୍ । ସାରା ଦେଶର ସନାତନୀ ମାମଲା ପଞ୍ଜିକୃତ କରାନ୍ତୁ । ଗିରଫ ନ ହେବା ଯାଏ ଶାନ୍ତ ରୁହନ୍ତୁ ନାହିଁ’ ।

କହି ରଖୁଛୁ ଯେ ପ୍ରୟାଗରାଜ ମହାକୁମ୍ଭରେ ହୋଇଥିବା ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏହି ଦୁର୍ଘଟଣା ପରେ କୌଣସି ପ୍ରକାର ବିଶେଷ ପାସ୍ ଆଉ କୁମ୍ଭମେଳାରେ କାମ କରିବ ନାହିଁ । ସେହିପରି ମେଳା ପରିସରକୁ ନୋ-ଭେହିକିଲ ଜୋନ ଘୋଷଣା କରାଯାଇଛି । କୌଣସି ପ୍ରକାର ଗାଡ଼ି ମେଳା କ୍ଷେତ୍ର ମଧ୍ୟକୁ ପ୍ରବେଶ କରିପାରିବ ନାହିଁ । ଫେବୃୟାରୀ ୪ ପର୍ଯ୍ୟନ୍ତ ସହରରେ ୪ ଚକିଆ ଯାନର ଏଣ୍ଟ୍ରି ସମ୍ପୂର୍ଣ୍ଣ ନିଷେଧ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: ମହାକୁମ୍ଭରେ ପୁଣି ଅଘଟଣ : ଫାଟିଲା ହଟ୍ ଏୟାର ବେଲୁନ୍, ୬ ଶ୍ରଦ୍ଧାଳୁ ଆହତ

You might also like