ଅମିତାଭଙ୍କୁ ଆଙ୍ଗ୍ରି ୟଙ୍ଗମ୍ୟାନ୍ ବନାଇଥିବା ‘ଜଞ୍ଜିର’ ସ୍କ୍ରିପ୍ଟ ଧର୍ମେନ୍ଦ୍ର କିଣିଥିଲେ ୧୭,୫୦୦ ଟଙ୍କାରେ

ମୁମ୍ବାଇ: ଫିଲ୍ମ ‘ଜଞ୍ଜିର’ରୁ ବଦଳିଥିଲା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଭାଗ୍ୟ । ସେ ଆଙ୍ଗ୍ରି ୟଙ୍ଗମ୍ୟାନ୍ ଭାବେ ପରିଚିତି ପାଇଲେ ଆଉ ବଲିଉଡ୍ ପାଇଲା ଆଉ ଜଣେ ସୁପରଷ୍ଟାର । ହେଲେ ପ୍ରଥମେ ଧର୍ମେନ୍ଦ୍ରଙ୍କୁ ନେଇ ହେବାକୁ ଥିବା ଏହି ଫିଲ୍ମ କେମିତି ଆସିଲା ଅମିତାଭଙ୍କ ହାତକୁ, ସେକଥା ଖୁବ୍ କମ୍ ସିନେପ୍ରେମୀ ଜାଣିଥିବେ । ଅବଶ ଏତିକି ଚର୍ଚ୍ଚା ହୋଇଥିଲା ଯେ ଧର୍ମେନ୍ଦ୍ର ମନା କରି ଦେବାରୁ ଫିଲ୍ମ ଯାଇଥିଲା ବିଗ୍ ‘ବି’ଙ୍କ ହାତକୁ । କିନ୍ତୁ ଏହା ପଛର ରହସ୍ୟ ଉପରୁ ପର୍ଦ୍ଦା ଉଠାଇଛନ୍ତି ନିଜେ ଧରମ ପାଆଜୀ ।
ଆଗାମୀ ବାପଅପୁଅ ଯୋଡ଼ି ଫିଲ୍ମ ‘ୟମଲା ପଗଲା ଦିୱାନା ଫିର’ର ଏକ ପ୍ରମୋସନ୍ ସୋ’ ବେଳେ ସେ ଏହି କଥା ସ୍ପଷ୍ଟ କରିଛନ୍ତି । କଥା ହେଉଛି, ‘ଜଞ୍ଜିର’ ଫିଲ୍ମର ପ୍ରଯୋଜକ ଓ ନିର୍ଦ୍ଦେଶକ ଥିଲେ ପ୍ରକାଶ ମେହେରା । ତାଙ୍କ ସହିତ ତା ପୂର୍ବରୁ ‘ସମାଧି’ ଫିଲ୍ମ କରିଥିଲେ ଧର୍ମେନ୍ଦ୍ର । ‘ଜଞ୍ଜିର’ ଫିଲ୍ମର ସ୍କ୍ରିପ୍ଟ ସଲମନ ଖାନଙ୍କ ବାପା ସଲିମ ଖାନ୍ ଲେଖିଥିଲେ । ତାଙ୍କ ଠାରୁ କପି ରାଇଟ୍ସ ଧର୍ମେନ୍ଦ୍ର କିଣି ନେଇଥିଲେ । କେତେ ଟଙ୍କାରେ ଜାଣିଛନ୍ତି ? ମାତ୍ର ୧୭,୫୦୦ ଟଙ୍କାରେ । ତେବେ ଫିଲ୍ମ ନିର୍ମାଣ ହୋଇ ପାରିନଥିଲା । ବିଳମ୍ବ ଦେଖି ପ୍ରକାଶ ମେହେରା ତାଙ୍କଠାରୁ ସ୍କ୍ରିପ୍ଟ ମାଗି ନେଲେ ଓ ଧର୍ମେନ୍ଦ୍ର ଦେଇଦେଲେ ।
ଆହୁରି ପଢ଼ୁନ୍ତି : ହିରୋରୁ ଜିରୋ ହେଲେ ସଲମାନ୍
ତେବେ ସେତେବେଳେ ଏକ ଛୋଟିଆ ବିବାଦ ହୋଇଥିଲା । ଧର୍ମେନ୍ଦ୍ରଙ୍କ ଭଣଜାଙ୍କୁ ନେଇ ତାଙ୍କ ଭଉଣୀ ଏକ ଫିଲ୍ମ କରିବାକୁ ଚାହୁଁଥିଲେ । ଏଥିପାଇଁ ସେ ପ୍ରକାଶ ମେହେରାଙ୍କୁ ନିର୍ଦ୍ଦେଶକ ଭାବେ ବାଛିଥିଲେ । କିନ୍ତୁ ପ୍ରକାଶ ମନା କରିଦେବାରୁ ଧର୍ମେନ୍ଦ୍ରଙ୍କ ଭଉଣୀ ରାଗି ଯାଇ ଧର୍ମେନ୍ଦ୍ରଙ୍କୁ ପ୍ରକାଶ ମେହେରାଙ୍କ ସହ ଆଉ କୌଣସି ଫଲ୍ମରେ ଅରଭିନୟ ନକରିବାକୁ ଜିଦ୍ ଧରିଲେ । ସେଇଆ ହେଲା । ଶେଷରେ ଜଞ୍ଜିର ଗଲା ଅମିତାଭଙ୍କ ହାତକୁ । ଆଉ ତା ପରେ ଇତିହାସ ବନିଗଲା ।