କୁହୁଡି ଆଉ ବର୍ଷା : ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ଜିଲ୍ଲାରେ ଦେଖାଯିବ ଘନ କୁହୁଡ଼ି, ୨୯ ତାରିଖ ଆଡ଼କୁ ଉତ୍ତର-ପଶ୍ଚିମ ଓଡ଼ିଶାରେ ମେଘୁଆ ରହିବ ପାଗ

ଭୁବନେଶ୍ବର : ରାଜ୍ୟରେ ଶୀତ କମିବା ଆରମ୍ଭ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ତାପମାତ୍ରା ୨ରୁ ୩ ଦିନ ପର୍ଯ୍ୟନ୍ତ ବଢ଼ିଛି। ଫଳରେ ଅଧିକାଂଶ ଜିଲ୍ଲାର ସର୍ବନିମ୍ନ ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି। ଗତକାଲି ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୧୧ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ଛୁଇଁଛି। ଯାହାକି ସର୍ବନିମ୍ନ ସ୍ବାଭାବିକ ତାପମାତ୍ରାଠାରୁ ୩ ଡିଗ୍ରି ଅଧିକ। ତେବେ ଆଜି କିଛି ଜିଲ୍ଲାରେ ସାମାନ୍ଯ ବର୍ଷା ହୋଇଥିବା ପରିଲକ୍ଷିତ ହୋଇଛି। ଯାଜପୁର ଓ ଭଦ୍ରକ ଭଳି କିଛି ଜ଼ିଲ୍ଲାରେ ବର୍ଷା ହୋଇଛି ।

ଅନ୍ୟପଟେ ରାଜ୍ୟରେ ଏବେ କୁହୁଡ଼ି ପାଇଁ ଅନୁକୂଳ ବାତାବରଣ ରହିଛି। ଆଜି ସକାଳେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର ଓ ମାଲକାନଗିରିରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟର ଅନେକ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନାକୁ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ‌ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ମିଳିଥିବା ସୂଚନା ମୁତାବକ,  ୨୯ ତାରିଖ ଆଡ଼କୁ ଉତ୍ତର-ପଶ୍ଚିମ ଓଡ଼ିଶାରେ ପାଗ ମେଘୁଆ ରହିବ। ଏଥିସହ କିଛି କିଛି ଅଞ୍ଚଳରେ ସାମାନ୍ୟ ବର୍ଷା ହୋଇପାରେ। ବିଶେଷ କରି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ଅନୁଗୁଳ ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ଏହାଛଡ଼ା ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ କିଛି ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିବ।

Leave A Reply

Your email address will not be published.