ଇମ୍ୟୁନିଟି ବଢ଼ାଇବାକୁ ନିୟମିତ ପିଅନ୍ତୁ ଗାଜର-ଅଦା ସୁପ୍‌, ଉଭୟ ଥଣ୍ଡା ଓ କରୋନାକୁ ଦେବ ମାତ୍‌

ଏବେ ଗୋଟେ ପଟେ ଥଣ୍ଡା ବଢ଼ୁଥିବା ବେଳେ ଅନ୍ୟ ପଟେ କରୋନା ଭାଇରସ୍‌ର ପ୍ରକୋପ ବି ଧୀରେ ଧୀରେ ବୃଦ୍ଧି ପାଉଛି। ଓମିକ୍ରନ୍‌ ଭ୍ୟାରିଏଣ୍ଟ ସାରା ବିଶ୍ୱରେ କାୟା ବିସ୍ତାର କରିବା ଆରମ୍ଭ କରି ଦେଲାଣି। ଏଭଳି ସ୍ଥିତିରେ ଇମ୍ୟୁନିଟି ବଢ଼ାଇବା ପାଇଁ ଆପଣ ସ୍ୱାଦିଷ୍ଟ ତଥା ପୋଷକ ତତ୍ତ୍ୱ ଯୁକ୍ତ ଗାଜର ଓ ଅଦାର ସୁପ୍‌ ସେବନ କରିପାରିବେ। ଏହି ସୁପ୍‌ ଇମ୍ୟୁନିଟି ବଢ଼ାଇବାରେ ବେଶ୍‌ ସାହାଯ୍ୟ କରିଥାଏ। ଗାଜରରେ ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ୍‌ ଏ ଓ ବିଟା କେରୋଟିନ୍‌ ରହିଛି, ଯାହା ଶରୀରର ରୋଗକୁ ଦୂରେଇବାରେ ସାହାଯ୍ୟ କରେ। ସେହିପରି ଅଦାରେ ଆଣ୍ଟି ଅକ୍ସିଡେଣ୍ଟ ଓ ଭିଟାମିନ୍‌ ସି ରହିଛି, ଯାହା ଇମ୍ୟୁନିଟିକୁ ମଜଭୁତ କରେ। ଏଣୁ ଗାଜର ଓ ଅଦା ସୁପ୍‌ ସେବନ ଏହି ସମୟରେ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ତେବେ ଆସନ୍ତୁ ଜାଣିବା ଏହି ସୁପ୍‌ର ପ୍ରସ୍ତୁତି ପ୍ରଣାଳୀ…

ଆବଶ୍ୟକୀୟ ଉପକରଣ:

କଟା ଅଦା, କଟା ଗାଜର, ଲେମ୍ବୁ ରସ/ଭିନେଗାର, ପିଆଜ, ଲୁଣ, ଗୋଲମରିଚ ଗୁଣ୍ଡ, ଲବଙ୍ଗ, ରସୁଣ, ଧନିଆ ପତ୍ର ଓ ଅଲିଭ ଅଏଲ

ପ୍ରସ୍ତୁତି ପ୍ରଣାଳୀ:

ଗାଜର-ଅଦା ସୁପ୍‌ ତିଆରି କରିବା ପାଇଁ ପ୍ରଥମେ ପ୍ୟାନ୍‌ରେ ଅଲିଭ୍‌ ଅଏଲ୍‌ ଗରମ କରନ୍ତୁ। ଏହା ପରେ ଏଥିରେ ପିଆଜ, ଲୁଣ, ଗୋଲମରିଚ ଗୁଣ୍ଡ ପକାଇ ୫ ମିନିଟ୍‌ ଯାଏଁ ଭାଜନ୍ତୁ। ଏବେ ଏଥିରେ ଲବଙ୍ଗ, ରସୁଣ ଓ କଟା ଗାଜର ପକାନ୍ତୁ। ଏହା ପରେ ଘୋଡ଼େଇ ଦେଇ ୫ ମିନିଟ୍‌ ଯାଏଁ ସିଝିବାକୁ ଦିଅନ୍ତୁ। ସିଝିଗଲା ପରେ ଏଥିରେ କଟା ଅଦା ପକାନ୍ତୁ। ଏହା ଭଲ ଭାବେ ସିଝିଗଲେ ୧ ଚାମଚ ଲେମ୍ବୁ ରସ କିମ୍ବା ଭିନେଗାର ମିଶାନ୍ତୁ। ଏବେ ଏହାକୁ ଆଉ ୨୦ ମିନିଟ୍‌ ଯାଏଁ କମ୍‌ ଆଞ୍ଚରେ ସିଝିବାକୁ ଛାଡ଼ି ଦିଅନ୍ତୁ। ଏହା ପରେ ଏହି ମିଶ୍ରଣକୁ ମିକଶ୍ଚର ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏବେ ଏହାକୁ ଛାଣି ଦେଇ ସେବନ କରନ୍ତୁ। ସର୍ଭ କଲା ବେଳେ ଉପରେ କିଛି ଧନିଆ ପତ୍ରରେ ସଜାନ୍ତୁ। ଶୀତଦିନେ ଏହି ସୁପ୍‌ ଶରୀରକୁ ସତେଜ ରଖିବାରେ ସାହାଯ୍ୟ କରିବ।