ଟଙ୍କା ଦେଇ ଆମେ କିଣୁଛେ ବିଷ, ସୁସ୍ଥ ରହିବା ଚକ୍କରରେ କରୁଛେ ଅନେକ ରୋଗକୁ ଆମନ୍ତ୍ରଣ
ପୃଥିବୀପୃଷ୍ଠରେ ଧୀରେ ଧୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏବେ ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେଉଛନ୍ତି। ବାହାରର ତେଲମସଲା ଖାଦ୍ୟଠୁ ଦୂରେଇ ଘରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି ଲୋକେ। ଆମିଷ ଅପେକ୍ଷା ଲୋକେ ଏବେ ଅଧିକ ନିରାମିଷ ବା ପରିବା ଖାଇବା ଉପରେ ଗୁରୁତ୍ୱ ଦେଉଛନ୍ତି । ପ୍ରାକୃତିକ ଉପାୟରେ ଫଳୁଥିବା ପନିପରିବା ଶରୀରକୁ ଶକ୍ତି ସହ ଉତ୍ତମ ପୋଷକତତ୍ତ୍ୱ ଯୋଗାଇବା ଆଶାରେ ଲୋକେ ଚଢ଼ା ଦରରେ ମଧ୍ୟ ପରିବା କିଣିବାକୁ ପଛଘୁଞ୍ଚା ଦେଉନାହାନ୍ତି। ତେବେ ବଜାରରୁ କିଣୁଥିବା ପରିବାର ମାନ ଉପରେ କେବେ କେହି ପ୍ରଶ୍ନ କରିନଥାନ୍ତି। ଗ୍ରାହକଙ୍କ ବିଶ୍ୱାସ ଥାଏ ଯେ ପନିପରିବାରୁ କେବଳ ଶରୀର ଉପଯୋଗୀ ଭିଟାମିନ୍ ହିଁ ମିଳିଥାଏ।
ଏହାସହ ପଢ଼ନ୍ତୁ: ସବୁ ଉପାୟକୁ ଆପଣେଇ ଥକିଗଲେଣି! ଏବେ ଏହି ଘରୋଇ ଉପାୟରେ ଛଡ଼ାନ୍ତୁ ସିଗାରେଟ୍ ଅଭ୍ୟାସ
ଯଦି ଆପଣ ମଧ୍ୟ ଏଭଳି ଚିନ୍ତା କରୁଥାନ୍ତି ତେବେ ଭୁଲ ଭାବୁଛନ୍ତି। ଆଜିକାଲି ପନିପରିବାରେ ବହୁ ବିଷାକ୍ତ ରାସାୟନିକ ଦ୍ରବ୍ୟ ମିଶାଯାଉଛି ଯାହା ଶରୀରକୁ ରୋଗଗ୍ରସ୍ତ କରିଥାଏ। ସାଧାରଣତଃ ପରିବାକୁ ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରଖିବାକୁ ଏବଂ ତାଜା ଦେଖାଯିବାକୁ ବ୍ୟବସାୟୀମାନେ ଏଥିରେ କ୍ଷତିକାରକ ରାସାୟନିକ ପଦାର୍ଥ ମିଶାଉଛନ୍ତି।
କେବଳ ଏତିକି ନୁହେଁ ପରିବାର ଆକାର ବୃଦ୍ଧି କରିବାକୁ ମଧ୍ୟ ଅକ୍ସିଡୋସିନ୍ ଇଞ୍ଜେକସନ୍ର ବ୍ୟବହାର କରାଯାଉଛି। ଏହା ଦ୍ୱାରା ମଣିଷ ଶରୀରର ହାଡ଼ ଦୁର୍ବଳ ହୋଇଯାଏ। ସେହିଭଳି କଦଳୀ ଓ ଆମ୍ବ ଭଳି ଫଳକୁ ଶୀଘ୍ର ପଚାଇବା ପାଇଁ କାର୍ବାଇଡ୍ର ପ୍ରୟୋଗ କରାଯାଉଛି। ଏହା କ୍ୟାନସ୍ର ଭଳି ମାରାତ୍ମକ ରୋଗ ସୃଷ୍ଟି କରିଥାଏ। ସେହିଭଳି ଡାଳିମ୍ବ ଓ ତରଭୁଜକୁ ଲାଲ୍ କରିବା ପାଇଁ ଏଥିରେ ନାଲି ରଙ୍ଗ ବ୍ୟବହାର କରାଯାଏ। ହରଡ଼ ଡାଲିରେ ଶରୀରକୁ ଅପଙ୍ଗ କରି ଦେଉଥିବା ଖେସାରୀ ମିଶ୍ରଣ କରାଯାଉଛି।
ହଳଦୀ ଓ ଅନ୍ୟାନ୍ୟ ମସଲାରେ କାଠଗୁଣ୍ଡ ମିଶ୍ରଣ କରାଯାଉଛି। କାଠଗୁଣ୍ଡ ଯକୃତକୁ ନଷ୍ଟ କରିଦିଏ। ଖାଇବା ତେଲରେ ମୋବିଲର ଅପମିଶ୍ରଣ କରାଯାଉଛି। ଯାହା ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ଅଚଳ କରିବା ସହ କ୍ୟାନ୍ସର ଭଳି ଭୟଙ୍କର ରୋଗ ସୃଷ୍ଟି କରେ।
ସରକାରୀ ତଥ୍ୟ ଅନୁସାରେ ବଜାରରେ ମିଳୁଥିବା ୬୪ ପ୍ରତିଶତ ଖାଦ୍ୟରେ ଅପମିଶ୍ରଣ ହୋଇଥାଏ। କ୍ଷୀର, ପନିର, ଖୋଲାରେ ବିକ୍ରି ହେଉଥିବା ପରିବାରେ ଅଧିକ ଅପମିଶ୍ରଣ ହେବା ସମ୍ଭାବନା ରହିଥାଏ। ଆମେ ଅଜାଣତରେ ଏଭଳି ବିଷାକ୍ତ ଖାଦ୍ୟ ଖାଇ ରୋଗଗ୍ରସ୍ତ ହେଉଛେ। ତେବେ ଆମେ ଚାହିଁଲେ ଏଭଳି ଅପମିଶ୍ରିତ ଫଳ ଓ ପନିପରିବାକୁ ପରୀକ୍ଷା କରି ପାରିବା।
ସବୁଜ ପରିବାରେ ଅପମିଶ୍ରଣ ଜାଣିବାକୁ ଏପରି କରନ୍ତୁ:
ପରିବାକୁ ସବୁଜ ଓ ସତେଜ ରଖିବା ପାଇଁ ଏଥିରେ କ୍ଷତିକାରକ ମେଲାକାଟ୍ ଗ୍ରୀନ୍ ନାମକ ରାସାୟନିକ ପଦାର୍ଥର ମିଶ୍ରଣ କରାଯାଏ। ମେଲାକାଟ୍ ଗ୍ରୀନ୍ ଏକ କ୍ୟାନସରକାରକ ଦ୍ରବ୍ୟ। ପରିବାରେ ରଙ୍ଗର ବ୍ୟବହାର ହୋଇଛି କି ନାହିଁ ଜାଣିବା ପାଇଁ ବଜାରକୁ ଯିବା ବେଳେ ସାଙ୍ଗରେ ଏକ କପଡ଼ାରେ ଲିକୁଇଡ୍ ପାରାଫିନ୍ ମିଶାଇ ସାଙ୍ଗରେ ନିଅନ୍ତୁ। କୌଣସି ସବୁଜ ପରିବାରେ ରଙ୍ଗ ମିଶିଥିବା ନେଇ ସନ୍ଦେହ ହେଲେ ପାରାଫିନ୍ କପଡ଼ାକୁ ପରିବାରେ ଘସନ୍ତୁ। ପରିବାରେ ରଙ୍ଗ ମିଶିଥିଲେ ତାହା କପଡ଼ାରେ ଲାଗିଯିବ। ଫଳରେ ଆପଣ ଅପମିଶ୍ରଣ ହୋଇଥିବା ଜାଣି ପାରିବେ। ଏ ସମ୍ବନ୍ଧରେ ଆପଣ ଅଭିଯୋଗ ମଧ୍ୟ କରି ପାରିବେ। ଖାଦ୍ୟ ସୁରକ୍ଷା ଅଧିନିୟମ ୨୦୦୬ ଅନୁସାରେ ପରିବା ବିକ୍ରେତାଙ୍କୁ ୨ ଲକ୍ଷ ଟଙ୍କାର ଜରିମାନା ଓ ଆଜୀବନ କାରାଦଣ୍ଡ ହେବ।
ଫ୍ରୋଜେନ୍ ମଟରରେ ମାଲାକାଇଡ୍ ଗ୍ରୀନ୍:
ଅଧିକ ଦିନ ଯାଏଁ ଗ୍ରୀନ୍ ମଟର ବ୍ୟବହାର କରିବାକୁ ଆମେ ପ୍ରାୟତଃ ବଜାରରୁ ଫ୍ରୋଜେନ୍ ମଟର ଆଣି ଫ୍ରିଜ୍ରେ ରଖି ପରେ ଖାଉଛେ। ଏହି ମଟରରେ ମାଲାକାଇଡ଼୍ ଗ୍ରୀନ୍ ନାମକ ଏକ ରାସାୟନିକ ପଦାର୍ଥ ମିଶିଥାଏ । ଯାହା ଅଲସର, ଟ୍ୟୁମର ଭଳି ପେଟ ସମ୍ବନ୍ଧୀୟ ଗମ୍ଭୀର ରୋଗ ସୃଷ୍ଟି କରେ। ଗ୍ରୀନ୍ ମଟରରେ ଅପମିଶ୍ରଣ ହୋଇଛି କି ନାହିଁ ଜାଣିବା ପାଇଁ କିଛି ମଟର ନେଇ ଅଧ ଘଣ୍ଟା ପାଇଁ ପାଣିରେ ଭିଜାଇ ଦିଅନ୍ତୁ। ଯଦି ପାଣିର ରଙ୍ଗ ସବୁଜ ହୋଇଯିବ ତ ଜାଣିବେ ଆପଣ କିଣିଥିବା ମଟରରେ ଅପମିଶ୍ରଣ ହୋଇଛି।
ସେଓରେ ମହମ:
କୁହାଯାଏ ଯେ ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ୱାରା ବ୍ୟକ୍ତି ସମ୍ପୂର୍ଣ୍ଣ ରୋଗମୁକ୍ତ ରହିଥାଏ। ତେବେ ଆପଣ ଜାଣିଛନ୍ତି କି ବଜାରରେ ମିଳୁଥିବା ପଲିସ ସେଓ ଶରୀର ପାଇଁ କେତେ କ୍ଷତିକାରକ? ସେଓକୁ ପଲିସ କରିବା ପାଇଁ ମହମର ବ୍ୟବହାର କରାଯାଏ। ସେଓରେ ମହମର ଆସ୍ତରଣ ଦିଆଯାଇଛି କି ନାହିଁ ଜାଣିବା ପାଇଁ ଏକ ବ୍ଳେଡ କିମ୍ବା ଛୁରୀ ନିଅନ୍ତୁ। ସେଥିରେ ସେଓର ଉପର ଅଂଶକୁ ଧୀରେ ଧୀରେ ରାମ୍ପିବା ଆରମ୍ଭ କରନ୍ତୁ। ଯଦି ଧଳା ରଙ୍ଗର ଚୋପା ଭଳି ବାହାରେ ତେବେ ସେଓରେ ବିଷାକ୍ତ ମହମ ମିଶିଥିବା ଜାଣିବେ। ଏହି ଆସ୍ତରଣକୁ ସଫା କରିବା ପରେ ଆପଣ ସେଓ ଖାଇ ପାରିବେ। ଯାହା କ୍ଷତିକାରକ ନୁହେଁ ।
ଫ୍ରିଜ୍ରେ ପରିବା ରଖିବା ପୂର୍ବରୁ ଏହାକୁ ଭିନେଗାରରେ ଧୁଅନ୍ତୁ। ଏହାଦ୍ୱାରା ଏଥଇରେ ଥିବା ବିଷାକ୍ତ ଜିନିଷ ପରିଷ୍କାର ହୋଇଯାଏ। ଏଭଳି ଅପମିଶ୍ରଣରୁ ବର୍ତ୍ତିବା ପାଇଁ କେବଳ ଋତୁଭିତ୍ତିକ ଫଳ ସେବନ କରନ୍ତୁ। ଅନ୍ୟ ହାଇବ୍ରିଡ୍ ପରିବା ଖାଇବାରୁ ନିବୃତ୍ତ ରୁହନ୍ତୁ। ଯଦି ପାରୁଛନ୍ତି ନିଜ ଛାତ ଉପରେ କିମ୍ବା ବଗିଚାରେ ପରିବା ଗଛ ଲଗାନ୍ତୁ। ଯଦି କୌଣସି ଦୋକାନୀ ଏପରି ଅପମିଶ୍ରଣ କରୁଥିବା ଜାଣିବାକୁ ପାଉଛନ୍ତି ତେବେ ତୁରନ୍ତ ଅଭିଯୋଗ କରନ୍ତୁ। ଆପଣଙ୍କର ଏହି ଛୋଟ ସାହାଯ୍ୟ କିଛି ଜୀବନ ବଞ୍ଚାଇ ପାରିବ।