ଚା’ କଫି ପିଇବା ପାଇଁ ବ୍ୟବହାର କରୁଛନ୍ତି କି ପେପର୍ କପ୍? ସ୍ୱାସ୍ଥ୍ୟ ଉପରେ ପଡିପାରେ ଖରାପ ପ୍ରଭାବ

ଚାଲିଛି ଶୀତଦିନ । ଏହି ସମୟରୁ ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ବହୁତ ଚା’ କଫି ପିଇଥାନ୍ତି । ଆଜିକାଲି ପ୍ରାୟତଃ ଲୋକମାନେ ଚା’ କଫି ପିଇବା ପାଇଁ ଡିସ୍ପୋଜେବଲ୍‌ କପ୍‌ ବ୍ୟବହାର କରୁଛନ୍ତି । ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ଡିସ୍ପୋଜେବଲ୍‌ କପ୍‌ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । କିନ୍ତୁ ଡାକ୍ତରଙ୍କ ମତ ଏହା ସମ୍ପୂର୍ଣ୍ଣ ବିପରୀତ । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ କାଗଜ କପ୍ ତିଆରି ପାଇଁ ଅନେକ ପ୍ରକାରର ରାସାୟନିକ ପଦାର୍ଥ ଏବଂ ପ୍ଲାଷ୍ଟିକ୍ ବ୍ୟବହୃତ ହୁଏ ।

ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ପାଇଁ କାଗଜ କପ୍ କେତେ ବିପଜ୍ଜନକ ଏବଂ ଏହା ବଦଳରେ ଆମେ କ’ଣ ବ୍ୟବହାର କରିବା ଉଚିତ । ଚା’ କଫି ପିଇବା ପାଇଁ ଆମେ ସାଧାରଣତଃ ପେପର୍ କପ୍ ବ୍ୟବହାର କରିଥାଉ । କିନ୍ତୁ ଆପଣ ତ ଜାଣିଥିବେ କାଗଜରେ କୌଣସି ତରଳ ପଦାର୍ଥ ରହିପାରେ ନାହିଁ । ଏପରି ପରିସ୍ଥିତିରେ, କପ୍‌ର ଭିତର ଅଂଶକୁ ୱାଟରପ୍ରୁଫ୍ କରିବା ପାଇଁ ଅଲଟ୍ରା ଥିନ୍ ପ୍ଲାଷ୍ଟିକରେ କୋଟ୍ କରାଯାଏ । ଯାହାକୁ ଆମେ ମାଇକ୍ରୋପ୍ଲାଷ୍ଟିକ୍ ବୋଲି କହିଥାଉ ।

ଏହି ମାଇକ୍ରୋପ୍ଲାଷ୍ଟିକ୍ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ବାସ୍ତବରେ, ଯେତେବେଳେ ଆମେ ଏହି କପଗୁଡିକରେ କଫି କିମ୍ବା ଗରମ ପାଣି ପରି କୌଣସି ଗରମ ପାନୀୟ ଢାଳିଥାଉ ଏଥିରୁ ମାଇକ୍ରୋପ୍ଲାଷ୍ଟିକ୍ ର କ୍ଷୁଦ୍ର କଣିକା ବାହାରିବା ଆରମ୍ଭ କରେ । ଏହି କଣିକାଗୁଡ଼ିକ ଏତେ ଛୋଟ ଯେ ସେଗୁଡିକ କେବଳ ମାଇକ୍ରୋସ୍କୋପ୍ ଦ୍ୱାରା ଦେଖାଯାଏ । କିନ୍ତୁ ସେଗୁଡ଼ିକ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ଧୀରେ ଧୀରେ ଏହି କଣିକାଗୁଡ଼ିକ କପରୁ ପାନୀୟରେ ଦ୍ରବୀଭୂତ ହେବାକୁ ଲାଗିଲେ ।

ଆଇଆଇଟି ଖଡ଼ଗପୁର କିଛି ବର୍ଷ ପୂର୍ବେ ଏକ ରିସର୍ଚ୍ଚ ହୋଇଥିଲା ​​ଯେଉଁଥିରେ ଜଣାପଡିଛି ଯେ ଏକ କାଗଜ କପରେ ଯଦି ୧୫ ମିନିଟ ପର୍ଯ୍ୟନ୍ତ କୌଣସି ଗରମ ପାନୀୟ ରହେ ସେଥିରୁ ପ୍ରାୟ ୨୦,୦୦୦ ରୁ ୨୫,୦୦୦ ମାଇକ୍ରୋପ୍ଲାଷ୍ଟିକ୍ କଣିକା ବାହାରିପାରେ । ଏହି କଣିକା ଆମ ଶରୀରରେ ପ୍ରବେଶ କରି ହରମୋନ୍ ଅସନ୍ତୁଳନ ଏବଂ କ୍ୟାନ୍ସର ଭଳି ଗମ୍ଭୀର ରୋଗ ସୃଷ୍ଟି କରିପାରେ । ଏପରି ପରିସ୍ଥିତିରେ, ଆପଣ ନିଜ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି କାଗଜ କପ୍ ବ୍ୟବହାର କରିବା ଠାରୁ ଦୂରେଇ ରହିବା ଉଚିତ୍ ।

ଏହା ପରିବର୍ତ୍ତେ, ଆପଣ ଚିନା ମାଟି କିମ୍ବା ଷ୍ଟେନଲେସ୍ ଷ୍ଟିଲ୍ କପ୍ ବ୍ୟବହାର କରନ୍ତୁ । ଯଦି ଆପଣ ବାହାରେ ଚା’ କିମ୍ବା କଫି ପିଉଛନ୍ତି ତେବେ ମାଟି କୁଲହଡ୍ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ରହିବ । କିମ୍ବା ସର୍ବଦା ନିଜ ସହ ଏଭଳି ଏକ କପ୍ ରଖନ୍ତୁ ଯାହାକୁ ଆପଣ ବାରମ୍ବାର ବ୍ୟବହାର କରିପାରିବେ । ଏହା କେବଳ ପରିବେଶ ପାଇଁ ନୁହେଁ ବରଂ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅଧିକ ଲାଭଦାୟକ ହେବ ।