କାର୍ତ୍ତିକ ମାସରେ ଏସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ, ଦେଖାଦେଇପାରେ ଗମ୍ଭୀର ସମସ୍ୟା

ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ। ହିନ୍ଦୁ ଧର୍ମରେ ଏହି ମାସର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ଏହି ମାସରେ ଏକାସଙ୍ଗେ ଅନେକ ପର୍ବପର୍ବାଣୀ ମଧ୍ୟ ପଡ଼ୁଛି। ଏଣୁ କେହି କେହି ଏହାକୁ ପର୍ବମାସ ବୋଲି ମଧ୍ୟ କହିଥାନ୍ତି। ତେବେ କାର୍ତ୍ତିକ ମାସର କେବଳ ଧର୍ମ ସହ ନୁହେଁ, ବରଂ ଶରୀର ସହ ମଧ୍ୟ ଏହାର ସମ୍ପର୍କ ରହିଛି। ଏହି ଋତୁରେ ରୋଗାଗ୍ରସ୍ତ ହେବାର ସମ୍ଭାବନା ଅଧିକ ରହିଥାଏ। ଏଣୁ ଏ ଅବସରରେ ଧାର୍ମିକ ଓ ବୈଜ୍ଞାନିକ ଦୃଷ୍ଟିରୁ ମଧ୍ୟ କେତେକ ଖାଦ୍ୟକୁ ଖାଇବାରୁ ବିରତ ରହିବା ଉଚିତ। ଆସନ୍ତୁ ଜାଣିବା କାର୍ତ୍ତିକରେ କେଉଁ କେଉଁ ଖାଦ୍ୟ ଖାଇବା ମନା…

ଦହି:

କାର୍ତ୍ତିକ ମାସରେ ଦହି ଖାଇବାରୁ ବିରତ ରୁହନ୍ତୁ। ଏହି ମାସରେ ଦହି ଖାଇବାକୁ ଶାସ୍ତ୍ରରେ ବାରଣ କରାଯାଇଛି। ଅନ୍ୟପଟେ କାର୍ତ୍ତିକ ମାସରେ ଧୀରେ ଧୀରେ ଥଣ୍ଡା ପଡ଼ିବା ମଧ୍ୟ ଆରମ୍ଭ ହୋଇଯାଇଥାଏ। ଏଣୁ ଦହି ଖାଇଲେ ହଜମ ପ୍ରକ୍ରିୟା ପ୍ରଭାବିତ ହେବା ଆଶଙ୍କା ରହିଛି। ଏଥିସହ ଦହି ଥଣ୍ଡା ହୋଇଥିବାରୁ ତଣ୍ଟି ଖରାପ ହେବା, ଥଣ୍ଡା, କାଶ ଆଦି ହେବା ସମ୍ଭାବନା ରହିଥାଏ।

ମାଛ:

କାର୍ତ୍ତିକ ଏକ ଧର୍ମ ତଥା ଶୁଭ ମାସ ହୋଇଥିବାରୁ ଏହି ମାସରେ ଆମିଷ ଖାଇବାକୁ ମନା କରାଯାଏ। ଧାର୍ମିକ ଦୃଷ୍ଟିକୋଣରୁ ଦେଖିଲେ ଭଗବାନ ବିଷ୍ଣୁ ସର୍ବ ପ୍ରଥମେ ମତ୍ସ୍ୟ ଅର୍ଥାତ୍‌ ମାଛ ଅବତାର ନେଇଥିଲେ। ଏଣୁ ଏହି ସମୟରେ ମାଛ ଖାଇଲେ ଭଗବାନ ଅସନ୍ତୁଷ୍ଟ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ଏକ୍ସପର୍ଟଙ୍କ କହିବାନୁସାରେ, ଏହି ମାସରେ ନଦୀରେ ବନ୍ୟା ଆସେ। ଫଳରେ ପାଣି ଦୂଷିତ ହୁଏ। ଏଣୁ ଏଠାରୁ ଆସୁଥିବା ମାଛ ଖାଇଲେ ଦେହ ଖରାପ ହେବା ଆଶଙ୍କା ରହିଛି। ତେଣୁ କାର୍ତ୍ତିକ ମାସରେ ମାଛ ନ ଖାଇବା ଭଲ।

ବାଇଗଣ:

ବାଇଗଣକୁ ଏକ ଅଶୁଦ୍ଧ ପରିବା ମଧ୍ୟ କୁହାଯାଏ। ଏହି କାରଣରୁ ଧାର୍ମିକ ଦୃଷ୍ଟିରୁ କାର୍ତ୍ତିକରେ ବାଇଗଣ ଖାଇବାକୁ ବାରଣ କରାଯାଏ। ଅନ୍ୟପଟେ ଏହି ଋତୁରେ ବାଇଗଣ ଖାଇଲେ ପିତ୍ତଦୋଷ ଦେଖାଦିଏ। ଏଣୁ କାର୍ତ୍ତିକରେ ବାଇଗଣଠାରୁ ଦୂରେଇ ରହିବା ଉଚିତ।

କଲରା:

କଲରା ଦେହ ପାଇଁ ଭଲ ହୋଇଥିଲେ ମଧ୍ୟ କାର୍ତ୍ତିକରେ ଏହାକୁ ଖାଆନ୍ତୁ ନାହିଁ। କାରଣ କାର୍ତ୍ତିକକୁ ଭଗବାନଙ୍କ ଆରାଧନା କରିବା ମାସ ବୋଲି କୁହାଯାଏ। ଏଣୁ ଏହି ଋତୁରେ ପିତା, ରାଗ ଓ ଚଟ୍‌ପଟା ଜିନିଷ ଖାଇବାରୁ ବିରତ ରହିବା ଉଚିତ।

ଡାଲି:

କାର୍ତ୍ତିକ ମାସରେ କେତେକ ଡାଲି ଖାଇବାକୁ ମନା କରାଯାଏ। ଏକ୍ସପର୍ଟଙ୍କ ମୁତାବକ, ଏହି ମାସରେ ଋତୁ ବଦଳିଥାଏ, ଫଳରେ ଖାଦ୍ୟ ହଜମ ହେବାରେ ସମସ୍ୟା ଦେଖାଦିଏ। ଏଣୁ ଏହି ମାସରେ ଖାସ୍‌ କରି ଚଣା ଓ ହରଡ଼ ଡାଲି ଖାଇବାରୁ ଦୂରେଇ ରୁହନ୍ତୁ। ଆପଣ ଏହା ବଦଳରେ ମୁଗ ଡାଲି ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.