ପ୍ରତିଦିନ ଖାଆନ୍ତୁ ତୁଳସୀ ପତ୍ର, ମିଳିବ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି

ତୁଳସୀ ଗଛର ଅନେକ ଧାର୍ମିକ ମହତ୍ତ୍ୱ ରହିଛି ଏବଂ ଆୟୁର୍ବେଦ ଦୃଷ୍ଟିକୋଣରୁ ତୁଳସୀ ଔଷଧୀୟ ଗୁଣରେ ପରିପୂର୍ଣ୍ଣ । ତେବେ ତୁଳସୀ ଗଛ ପତ୍ରଠାରୁ ଆରମ୍ଭ କରି ଏହାର ଚେର ପର୍ଯ୍ୟନ୍ତ, ଏହା ଅତ୍ୟନ୍ତ ଉପଯୋଗୀ । ତୁଳସୀ କେବଳ ଚା’ କିମ୍ବା କାଢ଼ାରେ ମିଶାଇ ନୁହେଁ ବରଂ ଏହାର ପତ୍ରକୁ ସିଧାସଳଖ ଖିଆ ମଧ୍ୟ ଯାଏ । ଯାହା ଥଣ୍ଡା, କାଶ, ଗଳା ଯନ୍ତ୍ରଣା, ଜ୍ୱର ଏବଂ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ । କେଉଁ ଅନାଦି କାଳରୁ ତୁଳସୀ ଏକ ଘରୋଇ ଉପଚାର ଭାବରେ ବ୍ୟବହୃତ ହୋଇଆସୁଛି । କିନ୍ତୁ ଆପଣ ଜାଣନ୍ତି କି ପ୍ରତିଦିନ ସକାଳେ ଖାଲି ପେଟରେ ୪ ରୁ ୫ଟି ତୁଳସୀ ପତ୍ର ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଇବ । ପ୍ରତିଦିନ ସକାଳେ ୪ ରୁ ୫ଟି ତୁଳସୀ ପତ୍ର ଖାଇ ପାଣି ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା ପ୍ରତ୍ୟେକ ଦିନ ସକାଳେ ୪ ରୁ ୫ଟି ତୁଳସୀ ପତ୍ର ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ’ଣ ଲାଭ ମିଳିବ ।

ଏହି ସମସ୍ୟାଗୁଡ଼ିକରେ ତୁଳସୀ ଖାଇବା ଉପଯୋଗୀ :
ହଜମ ପ୍ରକ୍ରିୟାରେ ଉନ୍ନତି : ପ୍ରତିଦିନ ସକାଳେ ତୁଳସୀ ପତ୍ର ଖାଇବା ଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟା ଧୀରେ ଧୀରେ ଉନ୍ନତ ହୁଏ ଏବଂ ଆପଣ ପେଟ ସମ୍ବନ୍ଧୀୟ ସମସ୍ୟାରୁ ଦୂରେଇ ରୁହନ୍ତି, ଯେପରିକି କୋଷ୍ଠକାଠିନ୍ୟ, ଗ୍ୟାସ୍, ଏସିଡ଼ିଟି ଇତ୍ୟାଦି । ଏଭଳି ପରିସ୍ଥିତିରେ କେବଳ ୪ ରୁ ୫ଟି ତୁଳସୀ ପତ୍ର ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରେ । କିନ୍ତୁ ଗୋଟିଏ ଜିନିଷ ଧ୍ୟାନରେ ରଖନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଲଗାତାର ତୁଳସୀ ପତ୍ର ଖାଆନ୍ତୁ ନାହିଁ ।

ଡାଇବେଟିସରେ ଲାଭଦାୟକ : ଯଦି ଆପଣଙ୍କର ଡାଇବେଟିସ ଅଛି, ତେବେ ନିଶ୍ଚିତ ଭାବରେ ଆପଣଙ୍କ ଖାଦ୍ୟରେ ତୁଳସୀ ଅନ୍ତର୍ଭୂକ୍ତ କରନ୍ତୁ । ଏହା ରକ୍ତରେ ସୁଗର ଲେବଲକୁ କମ କରିବ ଏବଂ ଡାଇବେଟିସ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

ବାରମ୍ବାର ଅସୁସ୍ଥ ହେବ ନାହିଁ : ଋତୁ ପରିବର୍ତ୍ତନ ସମୟରେ ଭାଇରାଲ୍ ରୋଗର ଶିକାର ହେବା ଏକ ସାଧାରଣ କଥା । ଏହି ସମୟରେ ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଥଣ୍ଡା, କାଶ, ଜ୍ୱର ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ପରିସ୍ଥିତିରେ ପ୍ରତିଦିନ ସକାଳେ ତୁଳସୀ ପତ୍ର ଖାଇବା ଦ୍ୱାରା ଆପଣ ଏହି ଭାଇରାଲ୍ ସ୍ୱାସ୍ଥ୍ୟ ସମସ୍ୟାରୁ ସୁରକ୍ଷିତ ରୁହନ୍ତି, କାରଣ ତୁଳସୀ ପତ୍ର ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।

ଲିଭର ପାଇଁ ଲାଭଦାୟକ : ତୁଳସୀ ଆପଣଙ୍କ ଲିଭରକୁ ଡିଟକ୍ସାଇଫ୍ କରିଥାଏ । ଏହା ରକ୍ତରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ ଏବଂ ଏହାକୁ ଶୁଦ୍ଧ କରିଥାଏ ।

ସ୍କିନ ପାଇଁ ଲାଭଦାୟକ : ତୁଳସୀ ପତ୍ର ଖାଇବା ଦ୍ୱାରା ସ୍କିନ ଭଲ ରହିଥାଏ । ଏହି ପତ୍ର ଖାଇବା ଦ୍ୱାରା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ତୁଳସୀ ପତ୍ର ଖାଇବା ଦ୍ୱାରା ଷ୍ଟ୍ରେସ କମିଯାଏ । ଏହା ବ୍ୟତୀତ ତୁଳସୀ ପତ୍ରର ପାଣି ପିଇବା ଦ୍ୱାରା ଥଣ୍ଡା ଏବଂ କାଶ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଏହିପରି ତୁଳସୀ ପତ୍ର ଖାଆନ୍ତୁ :
୪ ରୁ ୫ଟି ତୁଳସୀ ପତ୍ର ନେଇ ପ୍ରତିଦିନ ସକାଳେ ଖାଲି ପେଟରେ ଚୋବାନ୍ତୁ । କିଛି ତୁଳସୀ ପତ୍ରକୁ ଏକ ଗ୍ଲାସ ପାଣିରେ ରାତିସାରା ଭିଜାନ୍ତୁ । ସକାଳେ ଖାଲି ପେଟରେ ଏହି ପାଣି ପିଅନ୍ତୁ । ଏହା ବ୍ୟତୀତ ଏକ କପ୍ ପାଣିରେ ୪ ରୁ ୫ଟି ତୁଳସୀ ପତ୍ର ରଖନ୍ତୁ ଏବଂ ଏହାକୁ ଅତି କମରେ ୧ ମିନିଟ୍ ଗରମ କରନ୍ତୁ । ଏବେ ଏହାକୁ କପ୍ ରେ ଛାଣି ଦିଅନ୍ତୁ ଏବଂ ଅଳ୍ପ ମହୁ ମିଶାଇ ଏହାକୁ ପିଆନ୍ତୁ । ଏପରି କିଛି ଦିନ କରନ୍ତୁ ଦେଖିବେ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ ।