ଚମକଦାର ତଥା ମଜଭୁତ କେଶ ପାଇଁ ବ୍ୟବହାର କରନ୍ତୁ ଜିରା ପାଣି, ଜାଣନ୍ତୁ ଏହାକୁ ତିଆରି କରିବା ସଠିକ୍‌ ପ୍ରଣାଳୀ

ଖାଇବାରେ ହେଉ କିମ୍ବା ଔଷଧ ଭାବେ, ଜିରା ପ୍ରାୟ ସବୁ କାମରେ ବ୍ୟବହାର ହୋଇଥାଏ। ଭାରତର ଏକ ପ୍ରମୁଖ ମସଲା ଭାବେ ପ୍ରତ୍ୟେକ ତରକାରୀ, ଭଜାରେ ମଧ୍ୟ ଜିରାକୁ ଲୋକେ ବ୍ୟବହାର କରିଥାନ୍ତି। କୁହାଯାଏ, ଯଦି ବ୍ୟଞ୍ଜନର ସ୍ୱାଦ ଭଲ ଲାଗୁନାହିଁ ତେବେ ଜିରା ଛୁଙ୍କ ଦେଇଦେଲେ ତାହା ସ୍ୱାଦିଷ୍ଟ ଲାଗେ। ମୋଟ ଉପରେ କହିବାକୁ ଗଲେ ଖାଦ୍ୟର ସ୍ୱାଦ ବଢ଼ାଇବାରେ ଜିରା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଡାଲିକୁ ତଡ଼କା ଦେବାରେ ହେଉ କିମ୍ବା ଫ୍ରାଏଡ୍‌ ରାଇସ୍‌ କରିବା ପାଇଁ ସବୁ ଜିନିଷରେ ଜିରା ବ୍ୟବହାର କରାଯାଏ। ତେବେ ବର୍ତ୍ତମାନ ଓଜନ କମ୍‌ କରିବା ପାଇଁ ମଧ୍ୟ ଲୋକେ ଜିରା ପାଣି ପିଉଛନ୍ତି। କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ଏକ ବିଉଟି ପ୍ରଡକ୍ଟ ଭାବେ ମଧ୍ୟ ଜିରାକୁ ବ୍ୟବହାର କରିହେବ।

ଜିରା ପାଣି କେବଳ ଶରୀର ପାଇଁ ନୁହେଁ ତ୍ୱଚା ପାଇଁ ମଧ୍ୟ ଖୁବ୍‌ ଲାଭକାରୀ ହୋଇଥାଏ। ଏହା କେଶ ପାଇଁ ମଧ୍ୟ ଔଷଧ ଭଳି କାମ ଦିଏ। ଚୁଟିକୁ ଚମକ ଦାର ତଥା ମୋଟା କରିବାରେ ଜିରା ପାଣି ସାହାଯ୍ୟ କରେ। କେଶ ସମ୍ବନ୍ଧୀୟ ଅନ୍ୟ ସମସ୍ୟାକୁ ଦୂର କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଶକୁ ଚମକଦାର କରିବାରେ ଜିରା କେମିତି ସାହାଯ୍ୟ କରେ…

ଜିରା ପାଣିରେ ଆଣ୍ଟି ଇନ୍‌ଫ୍ଲେମେଟରୀ, ଆଣ୍ଟି-ବ୍ୟାକ୍ଟେରିଆଲ ଓ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଭରି ରହିଛି। ତ୍ୱଚାକୁ ଚମକଦାର ବନାଇବା ପାଇଁ ଆପଣ ପ୍ରତିଦିନ ଜିରା ପାଣି ପିଇପାରିବେ। ଏହା ଶରୀରରୁ ଟକ୍ସିନ୍‌କୁ ବାହାର କରିଥାଏ, ଫଳରେ ତ୍ୱଚା ଚମକି ଉଠେ। ମୁହଁର ଦାଗ ଦୂର କରିବାରେ ମଧ୍ୟ ଏହା ସାହାଯ୍ୟ କରେ।

କେଶ ପାଇଁ କେମିତି ତିଆରି କରିବେ ଜିରା ପାଣି:

ଏହାକୁ ତିଆରି କରିବା ପାଇଁ ଏକ ପାତ୍ରରେ ପାଣିକୁ ଫୁଟାନ୍ତୁ। ପାଣି ୨ ମିନିଟ୍‌ ଫୁଟିଗଲେ ସେଥିରେ ଜିରା ପକାଇ ଗୋଳାନ୍ତୁ। ଏବେ ପାଣି ଅଧା ହେବା ଯାଏଁ ଫୁଟାନ୍ତୁ। ଅଧା ହୋଇଗଲେ ଗ୍ୟାସ୍‌ ବନ୍ଦ କରି ଏହି ପାଣିକୁ ଛାଣି ନିଅନ୍ତୁ। ଏହା ଥଣ୍ଡା ହୋଇଯିବା ପରେ କେଶ ମୂଳରେ ଲଗାନ୍ତୁ। ଜିରା ପାଣିକୁ ଚୁଟି ମୂଳରେ ଭଲ ଭାବେ ମସାଜ୍‌ କରନ୍ତୁ।

ଜିରା ପାଣିରେ ଆଣ୍ଟି ଇନ୍‌ଫ୍ଲେମେଟରୀ, ଆଣ୍ଟି-ବ୍ୟାକ୍ଟେରିଆଲ ଓ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଥିବାରୁ ଏହା ଚୁଟି ଝଡ଼ିବା କମ୍‌ କରିଥାଏ। ଏଥିସହ ରୁପି କମ୍‌ କରିବାରେ ମଧ୍ୟ ଜିରା ପାଣି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଚୁଟିକୁ ସାଇନି ବା ଚମକଦାର କରିବାରେ ମଧ୍ୟ ଜିରା ପାଣି ସାହାଯ୍ୟ କରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.