ଆଳୁରେ ଏମିତି କରନ୍ତୁ ଫେସିଆଲ୍‌; ଉଜ୍ଜ୍ୱଳ ଦିଶିବ ତ୍ୱଚା…ବେଶ୍‌ ପ୍ରଭାବଶାଳୀ ହୋଇଥାଏ ଏହି ଘରୋଇ ଉପାୟ

ଆପଣ ଏ ପର୍ଯ୍ୟନ୍ତ ଅନେକ ସ୍କିନ୍‌ କେୟାର ଟ୍ରିଟ୍‌ମେଣ୍ଟ କରାଇଥିବେ। ଫେସିଆଲ୍‌ ଏବଂ କ୍ଲିନ୍‌ଅପ୍ସ ମଧ୍ୟ କରାଇଥିବେ। କିନ୍ତୁ କ’ଣ କେବେ ଚେହେରାରେ ଆଳୁ ବ୍ୟବହାର କରିଛନ୍ତି? ଯଦି ନୁହେଁ, ତ ଆଜି ଜାଣି ନିଅନ୍ତୁ ତ୍ୱଚା ପାଇଁ ଆଳୁ କେତେ ଚମତ୍କାରୀ ହୋଇପାରେ। ଘରେ ବସି ଆପଣ ବହୁତ ସହଜରେ ଆଳୁ ଫେସିଆଲ କରି ପାରିବେ, ଯଦ୍ଦ୍ଵାରା ତ୍ୱଚା ଆପଣଙ୍କର ଉଜ୍ଜ୍ୱଳ ଦେଖାଯିବ। କାହିଁକି ନା, ଆଳୁ ଭିଟାମିନ୍‌ ସି, ବି୬, ବି୧, ବି୩, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌ ଭଳି ଖଣିଜ ଏବଂ ଡାଏଟରୀ ଆଣ୍ଟି ଅକ୍ସିଡାଣ୍ଟସ୍‌ରେ ଭରପୂର ହୋଇଥାଏ, ଯାହା କି ସ୍ୱାସ୍ଥ୍ୟ ସାଙ୍ଗକୁ ସ୍କିନ୍‌ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇପାରେ।

କେମିତି କରିବେ ଆଳୁ ଫେସିଆଲ୍‌

୧. ପ୍ରଥମେ ଆପଣ ନିଜ ଚେହେରାକୁ ଭଲ ଭାବରେ ସଫା କରି ନିଅନ୍ତୁ। ଏବେ ଗୋଟିଏ ଆଳୁରୁ ରସ ବାହାର କରି ସେଥିରେ ଗୋଲାପ ଜଳ ମିଶାନ୍ତୁ। ଏହି ମିଶ୍ରଣକୁ ନିଜ ଚେହେରାରେ ଲଗାନ୍ତୁ ଏବଂ ପାଖାପାଖି ୧୦ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ରଖିବାକୁ ଦିଅନ୍ତୁ। ମିଶ୍ରଣ ଶୁଖିଗଲେ ଥଣ୍ଡା ପାଣିରେ ମୁହଁ ଧୋଇ ନିଅନ୍ତୁ।

୨. ଦ୍ୱିତୀୟ ପର୍ଯ୍ୟାୟରେ ମହୁ ଏବଂ ଆଳୁର ରସ ବରାବର ମାତ୍ରାରେ ନିଅନ୍ତୁ। ଏବେ ଏଥିରେ ଚାଉଳ ଗୁଣ୍ଡ ମିଶାଇ ପେଷ୍ଟ୍‍ ବନାନ୍ତୁ। ଯଦି ଆପଣ ୨ ଚାମଚ ଲେଖାଏ ମହୁ ଏବଂ ଆଳୁ ରସ ନେଇଛନ୍ତି, ତ ୩ ଚାମଚ ଚାଉଳ ଗୁଣ୍ଡ ନିଅନ୍ତୁ। ଏହି ମିଶ୍ରଣରେ ସ୍କ୍ରବ୍‌ କରିବା ପରେ ଚେହେରାକୁ ପାଣିରେ ଭଲ ଭାବରେ ସଫା କରି ଦିଅନ୍ତୁ।

୩. ଏହା ପରେ ଗରମ ପାଣିର ବାମ୍ଫ ନିଅନ୍ତୁ। ତେବେ ଏହା ଆପଣଙ୍କ ପାଇଁ ଅପ୍ସନାଲ୍‌। ଆପଣ ଚାହିଁଲେ ଏହାକୁ କରି ପାରିବେ ନଚେତ୍‌ ନାହିଁ।

୪. ଏବେ ଆପଣଙ୍କୁ ଚେହେରାରେ ଆଳୁର ଫେସ୍‌ ପ୍ୟାକ୍‌ ଲଗାଇବାକୁ ହେବ। ଏଥିପାଇଁ କଞ୍ଚା ଆଳୁକୁ ଘଷି ସେଥିରେ ଚନ୍ଦନ ପାଉଡର ଏବଂ ଲେମ୍ବୁ ରସ ମିଶାଇ ପେଷ୍ଟ୍‍ ପ୍ରସ୍ତୁତ କରନ୍ତୁ। ଏବେ ଚେହେରାରେ ପାଖାପାଖି ୧୫ ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ମିଶ୍ରଣ ଶୁଖିଗଲେ ଓଦା କପଡ଼ାରେ ସଫା କରି ନିଅନ୍ତୁ।

୫. ଶେଷରେ ଏକ ଚାମଚ ମହୁରେ ଏକ ଚାମଚ ଆଳୁ ରସ ମିଶାନ୍ତୁ। ଏହାକୁ ଚେହେରାରେ ୨୦ ରୁ ୨୫ ମିନିଟ୍‌ ଲଗାଇ ରଖିବା ପରେ ଧୋଇ ଦିଅନ୍ତୁ। ଏହା ଆପଣଙ୍କ ଚେହେରାକୁ ମଇଶ୍ଚରାଇଜ କରିବାର କାମ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.