କେଶଝଡ଼ା କମାଇବ ଯୋଗ, ପ୍ରତିଦିନ କରନ୍ତୁ ଏହି ୪ଟି ଯୋଗାସନ
ସୌନ୍ଦର୍ଯ୍ୟ ଏବଂ ଆକର୍ଷଣୀୟ ଚେହେରା ପାଇଁ ମୁଣ୍ଡରେ ଚୁଟି ରହିବା ଗୁରୁତ୍ୱପୂର୍ଣ୍ଣ । ସେ ପୁଅ ହୁଅନ୍ତୁ କି ଝିଅ ହୁଅନ୍ତୁ, ସମସ୍ତେ ଗହଳିଆ ଏବଂ ସୁନ୍ଦର ଚୁଟି ଚାହାଁନ୍ତି । ଚୁଟି ବ୍ୟକ୍ତିର ଚେହେରାକୁ ଆକର୍ଷଣୀୟ ଏବଂ ପ୍ରଭାବଶାଳୀ କରିଥାଏ । କିନ୍ତୁ ଆଜିକାଲି ପାଣିପାଗ, ପ୍ରଦୂଷଣ, ପୁଷ୍ଟିକର ଖାଦ୍ୟର ଅଭାବ ଏବଂ ଭୁଲ ଜୀବନଶୈଳୀ ହେତୁ ଚୁଟି ଉପରେ ଖରାପ ପ୍ରଭାବ ପଡୁଛି । ବର୍ତ୍ତମାନ କେଶ ଝଡ଼ିବା ଅନେକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଯାଇଛି ।
ଲୋକମାନଙ୍କ ବୟସ ହେବା ପୂର୍ବରୁ ମଧ୍ୟ ଶୀଘ୍ର ଚୁଟି ଝଡ଼ିବା ଆରମ୍ଭ କରୁଛି। ଖାଲି ଚୁଟି ଝଡୁନି, ଚୁଟି ବୃଦ୍ଧି ମଧ୍ୟ ବନ୍ଦ ହୋଇଯାଉଛି। କିଛି ଲୋକଙ୍କ କମ ବୟସରେ ଚୁଟି ପାଚି ଧଳା ହୋଇଯିବା ମଧ୍ୟ ଦେଖାଯାଉଛି । ଏପରି ପରିସ୍ଥିତିରେ, ଲୋକମାନେ ପ୍ରାୟତ କଳା, ଗହଳିଆ ଚୁଟି ପାଇଁ ଏବଂ ଚୁଟି ଝଡିବା ରୋକିବା ପାଇଁ ଅନେକ ପ୍ରକାରର କେମିକାଲ ପ୍ରଡକ୍ଟ ବ୍ୟବହାର କରନ୍ତି ।
ଏହିସବୁ କେମିକାଲ୍ ପ୍ରଡକ୍ଟର ବ୍ୟବହାର ଶରୀରରେ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ପକାଇଥାଏ । ଏଭଳି ପରିସ୍ଥିତିରେ ଚୁଟିକୁ ଗହଳିଆ, କଳା ଏବଂ ବଢିବାରେ ସାହାଯ୍ୟ କରିବା ପାଇଁ ଯୋଗାସନ ଅଭ୍ୟାସ କରିବା ମଧ୍ୟ ପ୍ରଭାବଶାଳୀ ହୋଇଥାଏ । ତେବେ ଆସନ୍ତୁ କେଉଁ ସବୁ ଯୋଗାସନ କରିବା ଦ୍ୱାରା ଏହି ସବୁ ଫଳ ମିଳିବ …
ବାଳାସନ: ବର୍ତ୍ତମାନ ଫାଷ୍ଟଫୁଡ୍, ଜଙ୍କ୍ଫୁଡ୍, ଆଦି ଖାଦ୍ୟ ସାଙ୍ଗକୁ ଅନ୍ୟାନ୍ୟ ଅସନ୍ତୁଳିତ ଖାଦ୍ୟାଭ୍ୟାସ ଅଧିକାଂଶଙ୍କଠାରେ ଗ୍ୟାଷ୍ଟ୍ରିକ ସମସ୍ୟା ସୃଷ୍ଟି କରୁଛି । ଅପରପକ୍ଷେରେ ଏହା ମଧ୍ୟ କେଶ ଝଡ଼ିବାର କାରଣ ସାଜୁଛି । ଏଭଳି ସମସ୍ୟା ଥିଲେ ସନ୍ତୁଳିତ ଖାଦ୍ୟ ଖାଇବା ସହ ଖାଇ ସାରିବା ପରେ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ବଜ୍ରାସନରେ ବସନ୍ତୁ । ଏହାଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହେବା ସହ ଗ୍ୟାଷ୍ଟ୍ରିକ ଏବଂ ଅ୍ୟାନ୍ୟନ୍ୟ ପେଟଜନିତ ସମସ୍ୟା ଦୂର ହେବ । ଏଣୁ କେଶ ଝଡ଼ିବା ସମସ୍ୟା ମଧ୍ୟ କମ୍ ହେବ ।
ଭୁଜଙ୍ଗାସନ: ଯେଉଁମାନଙ୍କ ଶରୀରରେ ବିଶେଷକରି ମୁଣ୍ଡକୁ କୌଣସି କାରଣରୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ, ସେମାନଙ୍କଠାରେ କେଶ ଝଡ଼ିବା ସମସ୍ୟା ଅଧିକ ଦେଖାଦେଇଥାଏ । ଯଦି ଚୁଟି ଅତ୍ୟଧିକ ଝଡୁଥାଏ ଏବଂ ପାଚି ଯାଉଥାଏ, ତେବେ ଭୁଜଙ୍ଗାସନ ଅଭ୍ୟାସ ବହୁତ ଲାଭ ଦିଏ । ଏହା ଶରୀରରେ ସଠିକ୍ ଭାବେ ରକ୍ତ ସଞ୍ଚାଳନ କରିବାରେ ସାହାଯ୍ୟ କରେ । ଫଳରେ କେଶ ମୂଳକୁ ରକ୍ତ ସହ ଅମ୍ଳଜାନ ପହଞ୍ଚିପାରେ ।
ଶୀର୍ଷାସନ: ଏହି ଆସନ ମଧ୍ୟ ମୁଣ୍ଡକୁ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ । ଫଳରେ କେଶ ଝଡ଼ିବା ହ୍ରାସ ପାଇବା ସହ କେଶ ମଜଭୁତ ଏବଂ ଘନ ହୋଇଥାଏ । ହେଲେ ଏହି ଆସନ କରିବା ପୂର୍ବରୁ ପ୍ରଥମେ ଏକ୍ସପର୍ଟଙ୍କ ପରାମର୍ଶ ନେବା ଉଚିତ୍।
ମତ୍ସ୍ୟାସନ: ଲମ୍ବା, ମଜଭୁତ ଏବଂ ଘନ କଳା କେଶ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହି ଆସନ ଖୁବ୍ ଲାଭଦାୟକ ହୋଇପାରିବ । କେବଳ କେଶ ପାଇଁ ନୁହେଁ, ଏହା ଶରୀରରୁ ମେଦବହୁଳତା ଦୂର କରିବା ସହ ବିଷାକ୍ତ ଉପାଦାନ ନିର୍ଗତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।