ସୁନ୍ଦର ତ୍ୱଚା କିଏ ବା ନ ଚାହେଁ । ସଧାରଣ ଦିନ ଅପେକ୍ଷା କୌଣସି ଫେଷ୍ଟିଭାଲ କିମ୍ବା ନିଜ ପାର୍ଟନର ସହ ଦେଖା କରିବାର ପ୍ଲାନ ଥିଲେ ସମସ୍ତେ ପ୍ରଥମେ ନିଜ ତ୍ୱଚା କଥା ଭାବନ୍ତି । ଦିନକୁ ସ୍ପେଶାଲ କରିବା ପାଇଁ ଖାସ କରି ଝିଅ ମାନଙ୍କୁ ଅନେକ କିଛି ଉପାୟ ଆପଣାଇବାକୁ ପଡିଥାଏ । କିନ୍ତୁ ଯଦି ଏହି ଦିନ ମୁହଁରେ ଯଦି ପିମ୍ପଲସ୍ ହୋଇଗଲା ତେବେ କଥା ସରିଲା । ବାହାରକୁ ଯିବା ସମୟରେ ଏସବୁ ହେବା ଦ୍ୱାରା ନିଜକୁ କମର୍ଫଟେବଲ୍ ଲାଗିନଥାଏ । କିନ୍ତୁ ଏହା ପ୍ରାକୃତିକ ସମସ୍ୟା ।
ଆଜିକାଲିର ଖରାପ ଲାଇଫଷ୍ଟାଇଲ ହେତୁ ଜଣେ କେବଳ ସ୍ୱାସ୍ଥ୍ୟ ନୁହେଁ ତ୍ୱଚାରେ ମଧ୍ୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ତ୍ୱଚାକୁ ସୁସ୍ଥ ରଖିବା ପାଇଁ ସଠିକ୍ ଭାବରେ ତ୍ୱଚାର ଯତ୍ନ ନେବା ମଧ୍ୟ ଜରୁରୀ ହୋଇଥାଏ । ଅନେକ ଲୋକ ବ୍ରଣ ଏବଂ ପିମ୍ପଲ୍ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ମୁହଁରେ ପିମ୍ପଲ୍ସ ରହିବା ସୌନ୍ଦର୍ଯ୍ୟର ଏକ ଦାଗ ପରି । ଅନେକ ଥର ଏହି ପିମ୍ପଲ୍ସ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ । କିଛି ଲୋକ ପିମ୍ପଲ୍ସରେ ବାରମ୍ବାର ହାତ ଲଗାଇବା ଭଳି ଭୁଲ୍ କରନ୍ତି, ଯେଉଁ କାରଣରୁ ତ୍ୱଚାରେ ଚିହ୍ନ ରହିଯାଏ ।
ଯେଉଁମାନଙ୍କର ସେନସେଟିଭ୍ ସ୍କିନ ହୋଇଥାଏ ସେମାନେ ପିମ୍ପଲ୍ ଦ୍ୱାରା ଅଧିକ ଅସୁବିଧାରେ ପଡ଼ନ୍ତି । ଯଦି ଆପଣ ନିଜ ତ୍ୱଚାକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଆଉ ବେଶି କିଛି ଭାବନ୍ତୁ ନାହିଁ । ଆଜି ଆମେ ଏଥିପାଇଁ କିଛି ଜରୁରୀ ଟିପ୍ସ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଏହାସହ ଆପଣଙ୍କୁ ଭଲ ଫାଇଦା ମଧ୍ୟ ମିଳିବ । ତେବେ ଆସନ୍ତୁ ଜାଣିବା କିଭଳି ପିମ୍ପଲ୍ସ ସମସ୍ୟାରୁ ମୁକ୍ତି ପାଇବେ ।
ଦିନକୁ ଦୁଇଥର ଫେସ୍ ୱାସ୍ କରନ୍ତୁ:
ଯଦି ଆପଣ ପିମ୍ପଲ୍ ଠାରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ଦିନକୁ ଦୁଇଥର ଫେସ୍ ୱାସ୍ କରନ୍ତୁ । ମୁହଁ ଧୋଇବା ଦ୍ୱାରା ମୁହଁରେ ଲାଗିଥିବା ସମସ୍ତ ଧୂଳି ଏବଂ ମଇଳା ଦୂର ହୋଇଯାଏ । ମୁହଁ ଧୋଇବା ପାଇଁ ଜେଣ୍ଟିଲ୍ କ୍ଲିଜର୍ ବ୍ୟବହାର କରନ୍ତୁ । ମୁହଁ ଧୋଇବା ପରେ ମୁହଁକୁ ମଶ୍ଚରାଇଜ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ ।
ତ୍ୱଚାକୁ ଡ୍ରାଏ ହେବାକୁ ଦିଅନ୍ତୁ ନାହିଁ:
ଯଥାସମ୍ଭବ ନିଜ ତ୍ୱଚାକୁ ଡ୍ରାଏ ହେବାକୁ ଦିଅନ୍ତୁ ନାହିଁ । ତ୍ୱଚାକୁ ହାଇଡ୍ରେଟ୍ କରିବା ମଧ୍ୟ ଅତ୍ୟନ୍ତ ଜରୁରୀ । ଏଥିପାଇଁ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ ଏବଂ ମୁହଁରେ ଅଲକୋହଲ୍ ଫ୍ରି କ୍ରିମ୍ ଲଗାନ୍ତୁ । ଡ୍ରାଏ ସ୍କିନ ଯୋଗୁଁ ପିମ୍ପଲ୍ସ ସମସ୍ୟା ଅଧିକ ହୋଇପାରେ ।
ହାତ ଏବଂ ନଖକୁ ସଫା ରଖନ୍ତୁ:
ବେଳେବେଳେ ମୁହଁକୁ ବାରମ୍ବାର ଛୁଇଁବା କାରଣରୁ ପିମ୍ପଲ୍ ହୁଏ । ଏପରି ପରିସ୍ଥିତିରେ, ମୁହଁରେ କୌଣସି ପ୍ରକାରର କ୍ରିମ୍ ଲଗାଇବା ପୂର୍ବରୁ ସବୁବେଳେ ହାତ ଏବଂ ନଖ ସଫା କରିବା ଜରୁରୀ ଅଟେ । ଏହା ଦ୍ୱାରା ମୁହଁରେ ବ୍ୟାକଟେରିଆ ହେବେ ନାହିଁ ।
ଡାଏଟର ଯତ୍ନ ନିଅନ୍ତୁ:
ଖରାପ ଡାଏଟ ମଧ୍ୟ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ । ଏପରି ପରିସ୍ଥିତିରେ, ଡାଏଟରେ ଭିଟାମିନ୍ A, B 12 ଏବଂ ଭିଟାମିନ C ଥିବା ଖାଦ୍ୟଗୁଡିକ ସାମିଲ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ତ୍ୱଚାକୁ ଚମକାଇବା ପାଇଁ ଏବଂ ପିମ୍ପଲ୍ ଠାରୁ ଦୂରରେ ରହିବା ପାଇଁ ଖାଦ୍ୟରେ ବିଟ୍ ରୁଟ୍, କମଳା ଏବଂ ବାଦାମ ଭଳି ଜିନିଷ ସାମିଲ କରନ୍ତୁ ।