ଦାନ୍ତରେ ଧଳା ଦାଗ ଅଛି କି? ପିଲାମାନଙ୍କ କ୍ଷେତ୍ରରେ ଦେଖା ଯାଉଥିଲେ ହୋଇଯାନ୍ତୁ ସତର୍କ

ଧଳା ଓ ସୁନ୍ଦର ଦାନ୍ତ କାହାକୁ ବା ପସନ୍ଦ ନୁହେଁ । ସଫା ଦାନ୍ତ ସୁନ୍ଦର ହସର ପରିଚୟ ବୋଲି ବିବେଚନା କରାଯାଏ । ଏହି ହସକୁ ବଜାୟ ରଖିବା ପାଇଁ ଲୋକମାନେ ସେମାନଙ୍କ ଦାନ୍ତର ବିଶେଷ ଯତ୍ନ ନିଅନ୍ତି । ଏଥିପାଇଁ ଲୋକମାନେ ଦୈନିକ ଭଲ ଭାବେ ବ୍ରଶ୍‌ କରିବା ସହ ଦାନ୍ତକୁ ଧଳା କରୁଥିବା ଟୁଥ୍‌ପେଷ୍ଟ ବ୍ୟବହାର କରନ୍ତି । ଏହା ବ୍ୟତୀତ ଅନେକ କେମିକାଲ୍‌ ପ୍ରଡକ୍ଟ ମଧ୍ୟ ଲଗେଇଥାନ୍ତି ।

କିନ୍ତୁ ଏସବୁ ସତ୍ତ୍ୱେ ବି ଦାନ୍ତରେ ଧଳା ଦାଗ ଦେଖିବାକୁ ମିଳିଥାଏ । ବିଶେଷ କରି ଏହି ସମସ୍ୟା ପିଲାମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଧଳା ଦାଗ ହେବା ପଛରେ କାରଣ କ’ଣ ହୋଇପାରେ ।

ପାଟି ଖୋଲା କରି ଶୋଇବା : ହେଲ୍ଥଲାଇନ ଅନୁଯାୟୀ ପିଲାମାନେ ପ୍ରାୟତଃ ଥଣ୍ଡା ହେଲେ ପାଟି ଦ୍ୱାରା ନିଶ୍ୱାସ ନିଅନ୍ତି ଯାହାଦ୍ୱାରା ରାତିସାରା ପାଟି ଖୋଲା ରହିଥାଏ । ଏହି କାରଣରୁ ସେମାନଙ୍କ ଦାନ୍ତର ଉପର ପୃଷ୍ଠରେ ଧଳା ପ୍ୟାଚ୍‌ ସୃଷ୍ଟି ହୋଇଥାଏ । ଯଦି ଏପରି ସମସ୍ୟା ଦେଖାହେବା ଆରମ୍ଭ ହୋଇଥାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରି ସମସ୍ୟାର ସମାଧାନ କରନ୍ତୁ ।

ଖଟା ଜିନିଷ ଖାଇବା : ଅତ୍ୟଧିକ ଖଟା ଜିନିଷ ଖାଇବା ଦ୍ୱାରା ପିଲାମାନଙ୍କର ଦାନ୍ତରେ ଧଳା ଦାଗ ହୋଇଥାଏ । ଖଟା ଖାଦ୍ୟରେ ଥିବା ଏସିଡ୍‌ ଦାନ୍ତରେ ଥିବା ଏନାମେଲ୍‌କୁ ନଷ୍ଟ କରିଦିଏ, ଯାହା ଦାନ୍ତରେ ଚିହ୍ନ ସୃଷ୍ଟି କରିଥାଏ । ତେଣୁ ପିଲାମାନଙ୍କୁ ଅଧିକ ଖଟା ଓ ମିଠା ଖାଦ୍ୟ ଖାଇବା ଠାରୁ ଦୂରେଇ ରଖନ୍ତୁ ଏବଂ ଖାଇବା ପରେ ସେମାନଙ୍କ ପାଟିକୁ ଭଲ ଭାବେ ଧୋଇ ଦିଅନ୍ତୁ ।

ଫ୍ଲୋରୋସିସ୍‌ ଟୁଥ୍‌ପେଷ୍ଟର ବ୍ୟବହାର : ପିଲାମାନେ ଫ୍ଲୋରାଇଡ୍‌ ଟୁଥ୍‌ପେଷ୍ଟ ବ୍ୟବହାର କରିବା ସମୟରେ ବେଳେବେଳେ ଏହାକୁ ଖାଇ ମଧ୍ୟ ଦେଇଥାନ୍ତି । ଏହା ଦାନ୍ତର ଏନାମେଲ୍‌କୁ କ୍ଷତି ପହଞ୍ଚାଇଥାଏ ଏବଂ ପରେ ଦାନ୍ତରେ ଦାଗ ମଧ୍ୟ ଆଣିଥାଏ । ସେହିପରି ଅନେକ ଜୁସ୍‌ ଏବଂ ଡ୍ରିଙ୍କସ୍‌ରେଫ୍ଲୋରୋସିସ୍‌ ମଧ୍ୟ ରହିଥାଏ, ତେଣୁ ପିଲାମାନଙ୍କ ପାଖରୁ ଏହିସବୁ ଡ୍ରିଙ୍କ୍‌କୁ ଦୂରେଇ ରଖିବା ଆବଶ୍ୟକ ।

କ୍ଲିପ୍‌ କାଢିବା ପରେ : ବେଳେବେଳ ଅସଜଡ଼ା ଦାନ୍ତକୁ ସଜାଡ଼ିବା ପାଇଁ ଦାନ୍ତରେ କ୍ଲିପ୍‌ ବ୍ୟବହାର କରାଯାଇଥାଏ । ତେବେ ଦାନ୍ତରୁ କ୍ଲିପ୍‌ କଢ଼ାଯିବା ପରେ, ଦାନ୍ତରେ ଏପରି ଦାଗ ଦେଖାଯାଏ । ବାସ୍ତବରେ ଏହା ଦାନ୍ତ ଚାରିପାଖରେ ଅଳିଆ ଜମା ହେତୁ ହୋଇଥାଏ । ସେଥିପାଇଁ ଦାନ୍ତର ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like