ଜାମୁକୋଳି ଖାଇବା ପରେ ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ ଜିନିଷ, ହୋଇପାରେ ପେଟ ଖରାପ

ଖରାଦିନେ ପ୍ରଚୁର ମାତ୍ରାରେ ଜାମୁକୋଳି ମିଳେ। ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ମଧ୍ୟ ହିତକର ହୋଇଥାଏ। ଆୟୁର୍ବେଦିକରେ ଜାମୁକୋଳିକୁ ବହୁ ରୋଗ ପାଇଁ ବ୍ୟବହାର କରାଯାଇଥାଏ। ଜାମୁକୋଳିରେ ଭିଟାମିନ୍ ସି, ବି୬, ଫାଇବର, କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଫ୍ୟାଟ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍, ପୋଟାସିୟମ୍, ସୋଡିୟମ୍, ଆଇରନ୍, ଥାୟାମିନ୍, ରାଇବୋଫ୍ଲେବିନ୍, ନିୟାସିନ୍, ଆଣ୍ଟି ଅକ୍ସିଡେଣ୍ଟ ଆଦି ଗୁଣ ଭରି ରହିଥାଏ। ଖାସ୍ କରି ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ବରଦାନ ସଦୃଶ ହୋଇଥାଏ। କିନ୍ତୁ ଏହି କୋଳି ଖାଇବାର ତୁରନ୍ତ ପରେ ୩ଟି ଜିନିଷ ସେବନ କରିବା ଅନୁଚିତ। ଏହା ଦ୍ୱାରା ଆପଣ ରୋଗାଗ୍ରସ୍ତ ହୋଇପାରନ୍ତି।
ଆଚାର:
ସାଧାରଣତଃ ଲୋକମାନେ ଭୋଜନରେ ଆଚାର ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି। ସେହିପରି କିଛି ଲୋକ ଫଳର ସାଲାଡ୍ ମଧ୍ୟ ଖାଇଥାନ୍ତି। କିନ୍ତୁ କେବେ ବି ଖାଦ୍ୟ ସହ ଜାମୁକୋଳି ଖାଇବା କଥା ନୁହେଁ। ଏହା ଦ୍ୱାରା ଲାଭ ନୁହେଁ ବରଂ କ୍ଷତି ହୋଇଥାଏ। ଆଚାର ସହ ଜାମୁକୋଳି ଖାଇଲେ ପେଟ ସମ୍ବନ୍ଧୀୟ ରୋଗ ଦେଖାଦେଇପାରେ। ଏଣୁ କେବେ ବି ଜାମୁକୋଳି ଖାଇବାର ତୁରନ୍ତ ପରେ ଆଚାର ଖାଆନ୍ତୁ ନାହିଁ।
କ୍ଷୀର:
କ୍ଷୀରରେ ପୋଷକ ତତ୍ତ୍ୱ ସହ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଭରି ରହିଥାଏ। ଏହାକୁ ଶାରୀରିକ ଓ ମାନସିକ ବିକାଶ ପାଇଁ ବ୍ୟବହାର କରାଯାଏ। କିନ୍ତୁ ଜାମୁକୋଳି ଖାଇବାର ପରେ ପରେ କ୍ଷୀର ପିଇବା ଅନୁଚିତ। ଏହା ଦ୍ୱାରା ପାଚନ କ୍ରିୟା ଖରାପ ହେବା ସହ ପେଟ ସମ୍ବନ୍ଧୀୟ ରୋଗ ଦେଖାଦେବା ଆଶଙ୍କା ରହିଛି। ଜାମୁକୋଳି ପରେ କ୍ଷୀର ପିଇଲେ ପେଟରେ ଗ୍ୟାସ୍, ଅପଚ, ଏସିଡିଟି ଆଦି ସମସ୍ୟା ଦେଖାଦେଇପାରେ। ଯଦି ଆପଣ କ୍ଷୀର ପିଇବାକୁ ଚାହୁଁଛନ୍ତି ତେବେ କୋଳି ଖାଇବାର ୧-୨ ଘଣ୍ଟା ପରେ ପିଇପାରିବେ।
ହଳଦୀ:
ଜାମୁକୋଳି ଖାଇବା ପରେ ହଳଦୀ ସେବନରୁ ମଧ୍ୟ ବିରତ ରହିବା ଉଚିତ। ଏକ୍ସପର୍ଟଙ୍କ ମୁତାବକ, ଏହା ଦ୍ୱାରା ଶରୀରରେ ରିଆକ୍ସନ୍ ହୋଇପାରେ। ହଳଦୀ ଓ ଜାମୁକୋଳିକୁ ଆଗପଛ ହୋଇ ଖାଇଲେ ପେଟ କାଟିବା ସହ ଜ୍ୱଳନ ମଧ୍ୟ ହୋଇପାରେ। ଏଣୁ ଜାମୁକୋଳି ଖାଇବାର ଅଧ ଘଣ୍ଟା ପରେ ହଳଦୀ ଖାଇବା ଉଚିତ।