ସକାଳୁ ଉଠୁ ଉଠୁ ଖାଆନ୍ତୁ ରାଶି, ପେଟ ସଫା ସାଙ୍ଗକୁ ଦାନ୍ତ ବି ହେବ ମଜଭୁତ

ଭଲ ସ୍ୱାସ୍ଥ୍ୟ ପାଇଁ ଲୋକେ ନିଜ ଖାଦ୍ୟପେୟରେ ବିଭିନ୍ନ ପ୍ରକାର ଜିନିଷ ସାମିଲ କରିଥାଆନ୍ତି। ଏହି ସବୁ ଖାଦ୍ୟ ଜିନିଷ ମେଟାବଲିଜମ୍‌କୁ ବଢ଼ାଇଥାଏ, ଯଦ୍ଦ୍ଵାରା ଶରୀର ଫିଟ୍‌ ରହିଥାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ରାଶି। ଆୟୁର୍ବେଦ ଅନୁସାରେ, ଭଜା ରାଶି ଚୋବାଇବା ଦ୍ୱାରା ପେଟ ଭଲ ଭାବେ ସଫା ହୋଇଥାଏ। ଦାନ୍ତ ଏବଂ ମାଢ଼ି ମଧ୍ୟ ମଜଭୁତ ରହିଥାଏ।

ଦାନ୍ତ ପାଇଁ କେବଳ ବ୍ରଶ କରିବା ଯଥେଷ୍ଟ ନୁହେଁ। ଦାନ୍ତ ଏବଂ ମାଢ଼ିକୁ ସୁସ୍ଥ ରଖିବା ପାଇଁ ଆଉ ବି କେତେକ ଜିନିଷକୁ ସାମିଲ କରିବା ଜରୁରୀ। କ୍ୟାଲସିୟମ୍‌ଯୁକ୍ତ ଖାଦ୍ୟ ଖାଇଲେ ଦାନ୍ତ ଏବଂ ମାଢ଼ି ଶକ୍ତ ରହିଥାଏ। ଏକ୍ସପର୍ଟଙ୍କ କହିବା ହେଲା, ଯଦି ସକାଳୁ ସକାଳୁ ଆମେ ଭଜା ରାଶି ଖାଇବା, ତେବେ ଆମକୁ ଫାଇଦା ମିଳିପାରିବ। ରାଶି ଚୋବାଇବା ପରେ ଆପଣ ଚାହିଁଲେ ବିନା ଟୁଥ୍‌ପେଷ୍ଟ ଏବଂ ଟୁଥ୍‌ ପାଉଡରରେ ଦାନ୍ତକୁ ବ୍ରଶ କରିପାରିବେ।

ଏକ ରିସର୍ଚ୍ଚରୁ ଜଣାପଡ଼ିଛି, ରାଶିରେ କ୍ୟାଲସିୟମ୍‌ ଭରପୂର ମାତ୍ରାରେ ରହିଛି, ଯାହା ଦାନ୍ତ ଏବଂ ମାଢ଼ି ଆଖାପାଖ ହାଡ଼କୁ ସୁରକ୍ଷିତ ରଖିବାରେ ସହାୟକ ହୋଇଥାଏ। ଏହା ଦାନ୍ତ ଇନାମେଲ୍‌ରେ ଜମିଥିବା ମଇଳାକୁ ହଟାଇବା କାମ କରିଥାଏ। କେବଳ ଏତିକି ନୁହେଁ, ସକାଳୁ ସକାଳୁ ଏହାକୁ ଚୋବାଇଲେ ଲିଭର୍‌ ଓ ପେଟ ଠିକ୍‌ ରହିଥାଏ ଏବଂ ପାଚନ ତନ୍ତ୍ରରେ ସୁଧାର ଆସିଥାଏ। ଏକ୍ସପର୍ଟଙ୍କ ମୁତାବକ, ରାଶି ଏକ ଚମତ୍କାରୀ ଆୟୁର୍ବେଦିକ ମଞ୍ଜି। ଏହା ଶୁଖିଲା କାଶକୁ ବି ଭଲ କରିଦେଇଥାଏ।

Leave A Reply

Your email address will not be published.