ବଡ଼ ତୁଳନାରେ ଖାଆନ୍ତୁ ଛୋଟ ଅଣ୍ଡା, ଭରି ରହିଛି ଅଧିକ ପୋଷକ ତତ୍ତ୍ୱ
ସାଧାରଣତଃ ଆମେ ଦୋକାନକୁ ଅଣ୍ଡା କିଣିବାକୁ ଯିବା ବେଳେ ବାଛି ବାଛି ବଡ଼ ବଡ଼ ଅଣ୍ଡା କିଣିଥାଉ। ଏଥିରେ ଅଧିକ ତରଳ ପଦାର୍ଥ ଓ ବଡ଼ କେସର ଥିବ ବୋଲି ଆମର ଏକ ଧାରଣା ରହିଛି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବଡ଼ ଅଣ୍ଡା ତୁଳନାରେ ଛୋଟ ଅଣ୍ଡାରେ ଅଧିକ ପୋଷକ ତତ୍ତ୍ୱ ରହିଛି। ନିକଟରେ ଏନେଇ ଏକ୍ସପର୍ଟ କହିଛନ୍ତି ଯେ ଛୋଟ ଅଣ୍ଡାରେ ଅଧିକ ପୋଷକ ତତ୍ତ୍ୱ ତଥା ଭିଟାମିନ୍ ରହିଛି, ଯାହା ଶରୀର ବୃଦ୍ଧିରେ ସହାୟକ ହୋଇଥାଏ। ଏମିତି କି କେତେକ ଜିମ୍ ଟ୍ରେନର ମଧ୍ୟ କୁକୁଡ଼ାର ଛୋଟ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି।
ଡାଏଟିସିୟାନ୍ ଓ ଡାକ୍ତରଙ୍କ କହିବାନୁସାରେ, ଅଣ୍ଡା ଏକ ସମ୍ପୂର୍ଣ୍ଣ ଡାଏଟ୍। ଏହାକୁ ଲୋକମାନେ ଆମ୍ଲେଟ୍ କିମ୍ବା ସିଝାଇ ଖାଇଥାନ୍ତି। ଅଣ୍ଡା ଖାଇଲେ ଅଧିକ ସମୟ ପର୍ଯ୍ୟନ୍ତ ଭୋକ ବି ହୁଏ ନାହିଁ। ଏହା ପଛର ସବୁଠୁ ବଡ଼ କାରଣ ହେଉଛି ଏଥିରେ ଅଧିକ ପରିମାଣର ପ୍ରୋଟିନ୍ ରହିଛି। ଖାସ୍ କରି ଛୋଟ ପିଲାଙ୍କ ଶାରୀରିକ ବୃଦ୍ଧି ପାଇଁ ଅଣ୍ଡା ଖାଇବାକୁ ପରାମର୍ଶ ଦିଆଯାଏ।
ତେବେ ଏନେଇ କୁକୁଡ଼ା ଫାର୍ମର ମାଲିକ କୁହନ୍ତି ଯେ କୁକୁଡ଼ାଙ୍କୁ ପାଳିବା ବେଳେ ଆମେ ପିଲାଟି ବେଳୁ ସେମାନଙ୍କୁ ପୋଷକଯୁକ୍ତ ଖାଦ୍ୟ ଖାଇବାକୁ ଦେଇଥାଉ। ବଡ଼ ହେବା ପରେ କୁକୁଡ଼ା ପ୍ରଥମେ ଛୋଟ ଛୋଟ ଅଣ୍ଡା ଦେଇଥାଏ। ଏସବୁ ଅଣ୍ଡାରେ ପ୍ରୋଟିନ୍ ଓ ପୋଷକ ତତ୍ତ୍ୱ ପ୍ରଚୁର ମାତ୍ରାରେ ରହିଥାଏ। ସମୟ ସହ ଧୀରେ ଧୀରେ କୁକୁଡ଼ା ବଡ଼ ବଡ଼ ଅଣ୍ଡା ଦେଇଥାଏ। ସେହି ଅନୁପାତରେ କୁକୁଡ଼ା ଶରୀରରୁ କ୍ୟାଲସିୟମ୍ ମଧ୍ୟ କମେ। ଫଳସ୍ୱରୂପ ଅଣ୍ଡାରେ ମଧ୍ୟ ପୋଷକ ତତ୍ତ୍ୱ କମିଥାଏ। ଏଭଳି ସ୍ଥିତିରେ ଫାର୍ମ ମାଲିକ କୁକୁଡ଼ାକୁ ବିକ୍ରି କରି ଦେଇଥାନ୍ତି ବୋଲି କହିଛନ୍ତି। ଏଣୁ ସବୁବେଳେ ଛୋଟ ଅଣ୍ଡା ଖାଇବାକୁ ଏକ୍ସପର୍ଟ ପରାମର୍ଶ ଦିଅନ୍ତି।