ଧଳା ପୋଷାକରୁ ହଳଦୀ ଦାଗ ଛଡ଼ାଇବା ପାଇଁ ୫ ଘରୋଇ ଉପାୟ; ଭୁଲ୍‌ରେ ବ୍ୟବହାର କରିବେ ନାହିଁ ଗରମ ପାଣି

ଯେତେ ସତର୍କ ରହିଲେ ମଧ୍ୟ ଖାଦ୍ୟ ଖାଇଲା ବେଳେ ଆମ ପୋଷାକରେ ଅଇଁଠା ପଡ଼ିଯାଏ। ସେହିପରି ଘର କାମ ବେଳେ ହେଉ କି ଅନ୍ୟାନ୍ୟ କାମ ସମୟରେ କିଛି ନା କିଛି ଦାଗ ପୋଷାକରେ ଲାଗି ଯାଇଥାଏ, ଯାହାକି ସହଜରେ ଛାଡ଼ି ନ ଥାଏ। ତେବେ ଧୂଳି, ମାଟି ଆଦିକୁ ଛଡ଼ାଇବା ଏତେ କଷ୍ଟକର ହୋଇ ନ ଥିବା ବେଳେ ଡ୍ରେସ୍‌ରୁ ହଳଦୀ ଦାଗ ଛଡ଼ାଇବା କିନ୍ତୁ କାଠିକାର ପାଠ ହୋଇଥାଏ। ଯେତେ ଚେଷ୍ଟା କଲେ ବି ଏହା ସହଜରେ ଦୂର ହୋଇ ନ ଥାଏ, ଯାହାକି ପସନ୍ଦର ଡ୍ରେସକୁ ଖରାପ କରି ଦେଇଥାଏ। କିନ୍ତୁ ଏବେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ। ଆଜି ଆମେ କିଛି ଘରୋଇ ଉପାୟ ବିଷୟରେ କହିବୁ, ଯାହାକୁ ଆପଣାଇ ଆପଣ ନିଜ ପୋଷାକରୁ ହଳଦୀ ଦାଗ ଛଡ଼ାଇ ପାରିବେ।

ପ୍ରି-ଟ୍ରିଟ୍‌ କରିବା: ପୋଷାକରେ ହଳଦୀ ଗୁଣ୍ଡ ପଡ଼ି ଯାଇଥିଲେ ପ୍ରଥମେ ଝାଡ଼ି ଦିଅନ୍ତୁ। ଏହାପରେ ସେହି ସ୍ଥାନରେ ଲିକ୍ୱିଡ୍‌ ଡିଟର୍ଜେଣ୍ଟ ପକାଇ ଆଙ୍ଗୁଠିରେ ଗୋଲ ଗୋଲ ବୁଲାଇ ଘଷନ୍ତୁ। ଯଦି ତେଲ ଲଗା ହଳଦୀର ଦାଗ ରହିଥାଏ, ତ କର୍ନ ଷ୍ଟାର୍ଚ ପକାନ୍ତୁ ଏବଂ ୨୦ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହାପରେ ଡିଟର୍ଜେଣ୍ଟରେ ଧୋଇ ଦିଅନ୍ତୁ।

ଟୁଥ୍‌ପେଷ୍ଟ: ଆପଣ ଟୁଥ୍‌ପେଷ୍ଟ ସାହାଯ୍ୟରେ ବି ହଳଦୀ ଦାଗ ଛଡ଼ାଇବାକୁ ଚେଷ୍ଟା କରି ପାରିବେ। ଦାଗ ଲାଗିଥିବା ସ୍ଥାନରେ ପେଷ୍ଟ୍‍ ଲଗାଇ ୫ ମିନିଟ୍‌ ପର୍ଯ୍ୟନ୍ତ ରଗଡ଼ନ୍ତୁ। ୧୦ ମିନିଟ୍‌ ଛାଡ଼ି ଦେବା ପରେ କପଡ଼ା ଧୋଇ ଦିଅନ୍ତୁ।

ଧଳା ଭିନେଗାର: ୨ ଚାମଚ ଭିନେଗାରକୁ ୧ ଚାମଚ ବାସନ ମଜା ଲିକ୍ୱିଡ୍‌ରେ ସହିତ ମିଶାଇ ନିଅନ୍ତୁ। ଏହି ମିଶ୍ରଣକୁ କପଡ଼ାରେ ହଳଦୀ ଦାଗ ଥିବା ସ୍ଥାନରେ ଲଗାନ୍ତୁ ଏବଂ ୩୦ ମିନିଟ୍‌ ପାଇଁ ଛାଡ଼ି ଦିଅନ୍ତୁ। ଏବେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

ଲେମ୍ବୁ: ଯଦି ଆପଣ କୌଣସି ରେଷ୍ଟୁରାଣ୍ଟରେ ବସିଛନ୍ତି ଏବଂ ହଠାତ୍‌ ହଳଦୀ ଲଗା ଖାଦ୍ୟ ଜିନିଷ ଆପଣଙ୍କ ପୋଷାକ ଉପରେ ପଡ଼ି ଯାଉଛି। ତ ତୁରନ୍ତ ଆପଣ ଲେମ୍ବୁ ନେଇ ସେହି ସ୍ଥାନରେ ଘଷି ପାରିବେ। ଦେଖିବେ, ଦାଗ ହାଲୁକା ପଡ଼ିଯିବ।

ଥଣ୍ଡା ପାଣି: ହଳଦୀ ଲାଗିଥିବା ପୋଷାକକୁ ଆପଣ ଥଣ୍ଡା ପାଣିରେ କିଛି ସମୟ ବୁଡ଼ାଇ ରଖନ୍ତୁ। କିଛି ସମୟ ପରେ ଏହାକୁ ସାବୁନ ଲଗାଇ ଧୋଇ ଦିଅନ୍ତୁ। ଥଣ୍ଡା ପାଣି ଦାଗକୁ ହାଲୁକା କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ମନେ ରଖନ୍ତୁ, ଭୁଲ୍‌ରେ ବି ବ୍ୟବହାର କରିବେ ନାହିଁ ଗରମ ପାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.