ହେୟାର କଲର ଓ ଖରା ଯୋଗୁ ମଧ୍ୟ ଦେଖାଦେଇଥାଏ ସ୍କିନ୍‌ ଆଲର୍ଜି ସମସ୍ୟା, ଜାଣନ୍ତୁ ରକ୍ଷା ପାଇବା ଉପାୟ

ପ୍ରଦୂଷଣ ଯୋଗୁ ତ୍ୱଚା ରୋଗ ସହ ଜଡ଼ିତ ସମସ୍ୟା ବୃଦ୍ଧି ପାଉଛି। ସବୁ ବୟସର ଲୋକ ଏବେ ଚର୍ମ ରୋଗ ଯୋଗୁ ଚିନ୍ତିତ ଅଛନ୍ତି। ଏଥିମଧ୍ୟରୁ ଅଧିକାଂଶ ରୋଗ ଆମ ଅଜାଣତରେ ହୋଇଥାଏ। ଯେଉଁ ସବୁ ବିକାର ବା ସଂକ୍ରମଣ ମଣିଷ ତ୍ୱଚାକୁ ଅଧିକ ପ୍ରଭାବିତ କରିଥାଏ ତାହାକୁ ଚର୍ମ ରୋଗ ବୋଲି କୁହାଯାଏ। ଚର୍ମ ରୋଗର ଲକ୍ଷଣ ଓ ଗମ୍ଭୀରତାରେ ଅନେକ ପ୍ରଭେଦ ରହିଛି। ଏହା ଅସ୍ଥାୟୀ ଓ ସ୍ଥାୟୀ ହେବା ସହ ଯନ୍ତ୍ରଣାଦାୟକ ଓ ଯନ୍ତ୍ରଣାମୁକ୍ତ ହୋଇଥାଏ। ବଜାରରେ ମିଳୁଥିବା କ୍ରିମ୍‌ରେ ଷ୍ଟେରଏଡ୍‌ ରହିଥାଏ, ଯାହା ଇନ୍‌ଫେକସନ୍‌କୁ କିଛି ସମୟ ପାଇଁ ଦବାଇ ଦିଏ। କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ କରିପାରେ ନାହିଁ। ଏଣୁ ମନ ଇଚ୍ଛା କୌଣସି ଔଷଧ ନ ଖାଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି।

ସ୍କିନ୍‌ ସମ୍ବନ୍ଧୀୟ କିଛି ରୋଗ ଝାଳ ଯୋଗୁ ମଧ୍ୟ ହୋଇଥାଏ। ଜଙ୍ଘ ଓ କାଖ ଆଦି ସ୍ଥାନରେ ଝାଳ ଜମା ହୋଇ ଦୁର୍ଗନ୍ଧ ଓ ଫଙ୍ଗସ୍‌ ସୃଷ୍ଟି ହୋଇଥାଏ। ପ୍ରଥମେ ଏହି ସ୍ଥାନରେ କଳାପଣ, ଝାଳେଇ ଯିବା ଆଦି ସମସ୍ୟା ଦେଖାଦିଏ। ପରେ କୁଣ୍ଡାଇ ହେବା, ଆଲର୍ଜି ଯୋଗୁ ଜ୍ୱଳନ ଭଳି ସମସ୍ୟା ହୋଇଥାଏ। ଝାଳ ଯୋଗୁ ଘିମିରି ମଧ୍ୟ ହୁଏ। ଏଣୁ ସବୁବେଳେ ଝାଳ ହେଉଥିବା ସ୍ଥାନକୁ ଶୁଖିଲା ରଖନ୍ତୁ ଓ ବାରମ୍ବାର ପାଉଡର ଲଗାନ୍ତୁ।

ହେୟାର କଲର କରୁଥିବା ଲୋକଙ୍କୁ ସ୍କିନ୍‌ ରୋଗ ଓ ସନ୍‌ ଆଲର୍ଜିର ଆଶଙ୍କା ଅଧିକ ଥାଏ। ଥାଇରଏଡ୍‌ ରୋଗୀଙ୍କର ତ୍ୱଚା ଶୁଷ୍କ ଓ ପତଳା ହୋଇଥାଏ। ହେୟାର କଲରରେ ପେରାଫିନାୟଲ ଡାୟମିନ୍‌ ତତ୍ତ୍ୱ ରହିଥାଏ। ଏହା ଦ୍ୱାରା ଖରାରେ ଆଲର୍ଜିର ଆଶଙ୍କା ବଢ଼ିଯାଏ। ତ୍ୱଚାରେ ନାଲି ନାଲି ହୋଇ ଫଳିଯାଏ ଓ କୁଣ୍ଡାଇ ହୁଏ। ଏଭଳି ସମସ୍ୟା ଥିଲେ ଖରାକୁ ଯାଆନ୍ତୁ ନାହିଁ। ଯଦି ଖରାକୁ ଯାଉଛନ୍ତି, ତେବେ ଘୋଡାଇ ହୋଇ ଯାଆନ୍ତୁ। ପରିଷ୍କାର ପୋଷାକ ପିନ୍ଧନ୍ତୁ। ସକାଳେ ଓ ସନ୍ଧ୍ୟାରେ ସ୍ନାନ କରନ୍ତୁ। ଅନ୍ୟମାନଙ୍କ ପୋଷାକ ପିନ୍ଧନ୍ତୁ ନାହିଁ।