ଆଜିକାର ଯୁବପିଢ଼ି ନିଜ କ୍ୟାରିୟର ଓ ଚାକିରି ପାଇଁ ଏତେ ଚିନ୍ତାରେ ରହୁଛନ୍ତି ଯେ ସ୍ୱାସ୍ଥ୍ୟର ଯତ୍ନ ନେଇପାରୁନାହାନ୍ତି। ଏଣୁ ଖୁବ୍ କମ୍ ବୟସରୁ ହିଁ ସେମାନେ ବିଭିନ୍ନ ଦୂରାରୋଗର ଶିକାର ହେଉଛନ୍ତି। ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଜାରି କରାଯାଇଥିବା ରିପୋର୍ଟ ମୁତାବକ ସାରା ଦୁନିଆରେ ପ୍ରାୟ ୩୬ କୋଟି ଲୋକ ହେପାଟାଇଟିସ୍ ବି ଓ ସିରେ ପୀଡ଼ିତ ଅଛନ୍ତି। ହେପାଟାଇଟିସ୍ ହେଲେ ଲିଭର ଫୁଲିଯାଇଥାଏ। ଏହା ଯୋଗୁ ସିରୋସିସ୍ ଭଳି ଗମ୍ଭୀର ରୋଗ ହୋଇଥାଏ। ଏହା ବ୍ୟତୀତ ହେପାଟାଇଟିସ୍ ଦ୍ୱାରା ପୁରୁଷଙ୍କ ଠାରେ ବାଞ୍ଝପଣ ବା ପିଲା ନ ହେବା ଭଳି ସମସ୍ୟା ଦେଖାଦେଇଥାଏ।
ଡବ୍ଲ୍ୟୁଏଚ୍ଓର ରିପୋର୍ଟ ମୁତାବକ ହେପାଟାଇଟିସ୍ ବି ଥିବା ପୁରୁଷଙ୍କ ଠାରେ ସନ୍ତାନ ଜନ୍ମ କରିବା ଆଶଙ୍କା ୧.୫୯ ଗୁଣ କମ୍ ରହିଥାଏ। ହେପାଟାଇଟିସ୍ ବି ଭାଇରସ୍ ଶୁକ୍ରାଣୁର ଗତିଶୀଳତା ଓ ପରିମାଣକୁ କମ୍ କରିଦିଏ।
ଦିଲ୍ଲୀର ଆଇବିଏଫ୍ ଏବଂ ଇନ୍ଫର୍ଟିଲିଟିର ଡାଇରେକ୍ଟର ଏବଂ ଫେଡେରେସନ୍ ଅଫ୍ ଅବଷ୍ଟ୍ରେଟ୍ରିକ୍ସ ଓ ଗାଇନିକୋଲୋଜିକାଲ ସୋସାଇଟି ଅଫ୍ ଇଣ୍ଡିଆର ମହାସଚିବ ଡା.ଋଷିକେଶ ଡି ପାଇ କହିଛନ୍ତି ହେପାଟାଇଟିସ୍ ଅଣ୍ଡାଶୟ ବା ଗର୍ଭାଶୟ ଗ୍ରନ୍ଥିର କାର୍ଯ୍ୟଦକ୍ଷତା ଉପରେ କୌଣସି ପ୍ରଭାବ ପକାଇନଥାଏ। ମାତ୍ର ଏହି ଭାଇରସ୍ ଯୋଗୁ ପୁରୁଷଙ୍କ ଶୁକ୍ରାଣୁଜନନ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଏହା ଦ୍ୱାରା ଶୁକ୍ରାଣୁର ପରିମାଣ, ଟେଷ୍ଟୋଷ୍ଟେରନ୍ର ସ୍ତର ଓ ଗତିଶୀଳତା କମିଯାଏ। ଫଳରେ ପୁରୁଷଙ୍କ ପ୍ରଜନନ କ୍ଷମତା ପ୍ରଭାବିତ ହୋଇଥାଏ।
ସେ କହିଛନ୍ତି ବର୍ତ୍ତମାନ ସମସ୍ତ ପିଲା ହେଉନଥିବା ଦମ୍ପତିଙ୍କୁ HBsAg ଓ HCV ପରୀକ୍ଷା କରିନେବା ଜରୁରୀ। ଏହାଦ୍ୱାରା ସେମାନଙ୍କ ପ୍ରଜନନ କ୍ଷମତା ସମ୍ପର୍କରେ ସ୍ପଷ୍ଟ ଭାବେ ଜଣାପଡ଼ିବ। ଏଥିସହ ରୋଗ ଯେଭଳି ସାଥୀ ଓ ପିଲାଙ୍କୁ ସ୍ଥାନାନ୍ତର ନ ହେବ ସେ ନେଇ ମଧ୍ୟ ସେ ସଚେତନ ରହିପାରିବେ।