ଶୀତୁଆ ପାଗରେ ଘରେ ବନାନ୍ତୁ ଗରମା ଗରମ ଛତୁ ପରଟା, ଥରେ ଖାଇବା ମାତ୍ରେ ହୋଇଯିବେ ଦିୱାନା

ଶୀତଦିନେ, ବିଭିନ୍ନ ପ୍ରକାରର ଗରମା ଗରମ ପରଟା ଖାଇବାକୁ ସମସ୍ତଙ୍କର ଇଛା ଥାଏ । ଖାସ କରି ନିରାମିଶ ରେସିପି କଥା କହିଲେ ଆମ ମନକୁ ପ୍ରଥମେ ଛତୁ କଥା ଆସେ। ଛତୁରେ ସବୁ ରେସିପି ଏକଦମ୍‌ ବଢ଼ିଆ ସ୍ୱାଦ ଦେଇଥାଏ। ଆମେ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ଛତୁରେ ଏକ ବଢ଼ିଆ ରେସିପି, ଯାହାର ନାମ ହେଉଛି ଛତୁ ପରଟା । ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ:

ଅଟା

ଛତୁ

ଲୁଣ

ମଇଦା

ଜୁଆଣି

ଘିଅ

ଗୋଲମରିଚ ଗୁଣ୍ଡ

କଟା ପିଆଜ

କଟା କଞ୍ଚା ଲଙ୍କା

କଟା ଅଦା

ଲଙ୍କା ଗୁଣ୍ଡ

ଚାଟ୍‌ ମସଲା

ଆମଚୁର ପାଉଡର

କଟା ଧନିଆ ପତ୍ର ଓ ତେଲ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଏକ ପାତ୍ରରେ ଅଟା, ଲୁଣ, ମଇଦା, ଜୁଆଣି ଓ ଘିଅ ନେଇ ଭଲ ଭାବେ ଗୋଳାନ୍ତୁ। ଏହା ପରେ ଅଳ୍ପ ଅଳ୍ପ ପାଣି ଢାଳି ଅଟାକୁ ଦଳନ୍ତୁ। ଅଟା ଦଳି ସାରିବା ପରେ ନରମ ହେବା ପାଇଁ ଏହାକୁ ଏକ କପଡ଼ାରେ ଗୁଡ଼ାଇ କିଛି ସମୟ ରଖି ଦିଅନ୍ତୁ।

ଏବେ ତାୱା ଗରମ କରି ତେଲ ପକାନ୍ତୁ। ତେଲ ଗରମ ହେବା ପରେ କଟା ଛତୁକୁ ପକାଇ ଅଳ୍ପ ଲୁଣ ଓ ଗୋଲମରିଚ ଗୁଣ୍ଡ ଦେଇ କିଛି ସମୟ ଭାଜନ୍ତୁ। ପରେ ଏଥିରେ କଟା ପିଆଜ, କଟା କଞ୍ଚା ଲଙ୍କା, କଟା ଅଦା, ଲଙ୍କା ଗୁଣ୍ଡ, ଚାଟ୍‌ ମସଲା, ଆମଚୁର ପାଉଡର ଓ କଟା ଧନିଆ ପତ୍ର ପକାଇ ଭଲ ଭାବେ ଗୋଳାନ୍ତୁ। ମସଲା ପ୍ରସ୍ତୁତ ହୋଇଯିବା ପରେ ଏହାକୁ କାଢ଼ି ଥଣ୍ଡା କରନ୍ତୁ।

ଏବେ ଚକଟା ଯାଇଥିବା ଅଟାକୁ ଗୁଳା କରନ୍ତୁ ଓ ଏହାକୁ ଅଳ୍ପ ବେଲି ଏହା ମଝିରେ ଛତୁ ପୁର ଦେଇ ପୁଣି ବନ୍ଦ କରିଦିଅନ୍ତୁ। ଏହା ପରେ ଏଗୁଡ଼ିକୁ ରୁଟି ପରି ବେଲନ୍ତୁ ଏବଂ ଗରମ ତାୱାରେ ପକାଇ ଭଲ ଭାବେ ସେକନ୍ତୁ। ଦୁଇ ପଟ ଭଲ ଭାବେ ସେକି ହୋଇଗଲେ ତେଲ ପକାଇ ଏପଟ ସେପଟ କରନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଛତୁ ପରଟା’। ଏହାକୁ ଚଟଣି, ସସ୍‌ କିମ୍ବା ଦହି ସହିତ ଗରମ ଗରମ ପରଶି ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.