ପତଳାପଣକୁ ନେଇ ଚିନ୍ତିତ କି? ତ ଓଜନ ବଢ଼ାଇବା ପାଇଁ ଏହି ୫ଟି ଜିନିଷ ସେବନ କରନ୍ତୁ

ଓଜନ କମାଇବା ଯେତିକି କଷ୍ଟସାଧ୍ୟ ହୋଇଥାଏ, କିଛି ଲୋକଙ୍କ ପାଇଁ ଏହାକୁ ବଢ଼ାଇବା ମଧ୍ୟ ସେତିକି ମୁସ୍କିଲ ହୋଇ ଯାଇଥାଏ। ଯଦିଓ ଆଜିକାଲି ଲୋକମାନେ ବେଶି ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ଅଛନ୍ତି, କିନ୍ତୁ କିଛି ଲୋକ ଅଛନ୍ତି, ଯେଉଁମାନେ ନିଜର ପତଳା ଶରୀରକୁ ନେଇ ମଧ୍ୟ ଲଜ୍ଜା ଅନୁଭବ କରନ୍ତି। ଅନେକ ସ୍ଥାନରେ ସେମାନଙ୍କୁ ଥଟ୍ଟା, ପରିହାସର ସାମ୍ନା କରିବାକୁ ପଡ଼ିଥାଏ। ଲୋକମାନେ ଯେତେ ଖାଇବେ ବି ସେମାନଙ୍କ ଦେହରେ ଲାଗି ନ ଥାଏ। ବେଳେବେଳେ ଆବଶ୍ୟକତାଠାରୁ ଅଧିକ ପତଳା ହେବା ମଧ୍ୟ ଅସୁସ୍ଥତାର ସଙ୍କେତ ହୋଇଥାଏ। ଏମିତି ଲୋକଙ୍କୁ ନିଜ ବ୍ୟକ୍ତିତ୍ୱ ଏବଂ ପୋଷାକକୁ ନେଇ ଅନେକ ବାର ଲଜ୍ଜିତ ହେବାକୁ ପଡ଼ିଥାଏ। ଏହି ଲୋକମାନେ ମୋଟା ହେବା ପାଇଁ କାହିଁ କେତେ ଉପାୟ ଆପଣାଇ ଥାଆନ୍ତି। ଆଜି ଆମେ ଆପଣଙ୍କୁ ଓଜନ ବୃଦ୍ଧି ପାଇଁ କିଛି ଘରୋଇ ଉପଚାର ଏବଂ ଖାଦ୍ୟ ପଦାର୍ଥ ବିଷୟରେ କହିବାକୁ ଯାଉଛୁ, ଯଦ୍ଦ୍ଵାରା ଶୀଘ୍ର ଓଜନ ବଢ଼ିବାରେ ସାହାଯ୍ୟ ମିଳି ପାରିବ।

କ୍ଷୀର ଏବଂ ମହୁ: ଯଦି ଆପଣଙ୍କୁ ମୋଟା ହେବାର ଅଛି, ତା’ ହେଲେ ପ୍ରତିଦିନ କ୍ଷୀର ସହିତ ମହୁ ପିଅନ୍ତୁ। ଏହାଦ୍ୱାରା ବହୁତ ଜଲ୍‌ଦି ଆପଣଙ୍କ ଓଜନ ବଢ଼ିବାକୁ ଲାଗିବ। ଆପଣ ଜଳଖିଆରେ ଏବଂ ରାତିରେ ଶୋଇବା ପୂର୍ବରୁ ମହୁ ମିଶା କ୍ଷୀର ପିଇ ପାରିବେ। ଏହାକୁ ପିଇବା ଦ୍ୱାରା ହଜମ କ୍ରିୟା ଭଲ ଭାବରେ ହୋଇଥାଏ ଏବଂ ଓଜନ ବୃଦ୍ଧିରେ ମଧ୍ୟ ସାହାଯ୍ୟ ମିଳିଥାଏ।

କଦଳୀ: ଓଜନ ବଢ଼ାଇବା ପାଇଁ କଦଳୀକୁ ନିଜ ଡାଏଟରେ ନିଶ୍ଚୟ ସାମିଲ କରନ୍ତୁ। ଯଦି ଆପଣ ମୋଟା ହେବାକୁ ଚାହୁଁଛନ୍ତି, ତା’ ହେଲେ ଦିନକୁ ଅତି କମରେ ୩ରୁ ୪ଟି କଦଳୀ ନିଶ୍ଚୟ ଖାଆନ୍ତୁ। କଦଳୀ ପୁଷ୍ଟିକର ଗୁଣରେ ଭରପୂର ଥାଏ। ଓଜନ ବୃଦ୍ଧି ପାଇଁ କ୍ଷୀର କିମ୍ବା ଦହି ସହିତ କଦଳୀ ଖାଆନ୍ତୁ।

ବାଦାମ ଓ ଖଜୁରୀ: ଓଜନ ବଢ଼ାଇବାରେ ଡ୍ରାଏ ଫ୍ରୁଟସ୍‌ ବହୁତ ପ୍ରଭାବଶାଳୀ ହୋଇଥାଏ। ମୋଟା ହେବା ପାଇଁ କ୍ଷୀରରେ ୩-୪ଟି ବାଦାମ ଏବଂ ଖଜୁରୀ ପକାଇ ଫୁଟାନ୍ତୁ। ଏହାକୁ ପ୍ରତିଦିନ କ୍ଷୀର ସହିତ ମିଶାଇ ପିଇବା ଦ୍ୱାରା ଓଜନ ବଢ଼ିବାକୁ ଲାଗିବ। ରାତିରେ ଶୋଇବା ପୂର୍ବରୁ ଏହି କ୍ଷୀର ପିଇବା ଦ୍ୱାରା ହଜମ ପ୍ରକ୍ରିୟା ମଜଭୁତ ହୋଇଥାଏ।

କ୍ଷୀର-ଦଲିୟା କିମ୍ବା ଓଟ୍ସ: କ୍ଷୀର-ଦଲିୟା କିମ୍ବା କ୍ଷୀର-ଓଟ୍ସ ମଧ୍ୟ ଓଜନ ବଢ଼ାଇବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଆପଣ ଫୁଲ୍‌ ଫ୍ୟାଟ୍‌ ମିଲ୍କ ବ୍ୟବହାର କରି ପାରିବେ। ଜଳଖିଆରେ ପ୍ରତିଦିନ କ୍ଷୀର-ଦଲିୟା କିମ୍ବା ମିଠା ଓଟ୍ସ ଖାଇବା ଦ୍ୱାରା ଓଜନ ବଢ଼ିଥାଏ।

କିସମିସ୍: ଓଜନ ବଢ଼ାଇବା ପାଇଁ କିସମିସ୍ ମଧ୍ୟ ବ୍ୟବହାର କରାଯାଇ ପାରିବ। ମୋଟା ହେବା ପାଇଁ ୧୦ ଗ୍ରାମ କିସ୍‌ମିସକୁ କ୍ଷୀରରେ ଭିଜାଇ ରଖନ୍ତୁ। ରାତିରେ ଶୋଇବା ପୂର୍ବରୁ ଏହି କ୍ଷୀରକୁ ଫୁଟାଇ ନିଅନ୍ତୁ ଏବଂ ଏହାକୁ ପିଅନ୍ତୁ। ଯଦି ଆପଣ ଏମିତି କରିପାରୁ ନାହାନ୍ତି, ତା’ ହେଲେ କ୍ଷୀର ସହିତ କିସମିସ୍ ଖାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.