ପ୍ରତିଦିନ ଖାଆନ୍ତୁ ଛତୁ! ହାର୍ଟ ଓ ଡାଇବେଟିସ୍‌ ରୋଗୀଙ୍କ ପାଇଁ ହୋଇଥାଏ ଅତି ଉପକାରୀ, ଜାଣନ୍ତୁ ଅନ୍ୟାନ୍ୟ ଫାଇଦା

ଆଜିକାଲି ବଜାରରେ ଛତୁ ଖୁବ୍‌ ସହଜରେ ମିଳି ଯାଉଛି। ଏହା ଏମିତି ଏକ ଖାଦ୍ୟ ଜିନିଷ, ଯାହା ଉଭୟ ଶାକାହାରୀ ଏବଂ ମାଂସାହାରୀ ଲୋକଙ୍କୁ ପସନ୍ଦ ଆସିଥାଏ। ଛତୁ ପାଟି ପାଇଁ ବେଶ୍‌ ସ୍ୱାଦିଷ୍ଟ ହୋଇଥିବା ବେଳେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଭିଟାମିନ୍‌, ମିନେରାଲ୍ସ ଏବଂ ଏମିନୋ ଏସିଡ୍‌ ଭଳି କେତେକ ପୋଷକ ତତ୍ତ୍ୱ ରହିଛି। ଏହି କାରଣରୁ ଛତୁକୁ ସ୍ୱାସ୍ଥ୍ୟ ପାଇଁ ରାମବାଣ ବୋଲି କୁହାଯାଏ। ଆଜି ଆମେ ଆପଣଙ୍କୁ ଏଥିରୁ ଶରୀରକୁ ମିଳୁଥିବା ଲାଭ ବିଷୟରେ କହିବୁ। ଆସନ୍ତୁ ଜାଣିବା ଏହା ବିଷୟରେ…

ରୋଗ ପ୍ରତିରୋଧକ କ୍ଷମତା ପାଇଁ:

ଛତୁ ଖାଇଲେ ଇମ୍ୟୁନିଟି ମଜଭୁତ ହୋଇଥାଏ। ଏହାକୁ ପ୍ରାକୃତିକ ଆଣ୍ଟିବାୟୋଟିକ୍‌ ବୋଲି କୁହାଯାଏ, ଯାହା ମାଇକ୍ରୋବିୟଲ୍‌ ଏବଂ ଅନ୍ୟ ଫଙ୍ଗଲ ସଂକ୍ରମଣରୁ ଶରୀରକୁ ଦୂରେଇ ରଖିଥାଏ।

ହୃଦୟ ସ୍ୱାସ୍ଥ୍ୟ ପାଇଁ:

ଛତୁ ହୃଦୟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ହାଇ ନ୍ୟୁଟ୍ରିଏଣ୍ଟସ୍‌ ଏବଂ ଅନେକ ପ୍ରକାରର ଏନ୍‌ଜାଇମ୍ସ ରହିଛି, ଯାହାକି କୋଲେଷ୍ଟ୍ରୋଲ୍‌କୁ କମ୍‌ କରିବାରେ ସାହାଯ୍ୟ କରିଥାଏ। ଯଦି କୋଲେଷ୍ଟ୍ରୋଲ୍‌ ନିୟନ୍ତ୍ରଣରେ ରୁହେ, ତା’ ହେଲେ ହାର୍ଟ ଆଟାକ୍‌ ଏବଂ ଷ୍ଟ୍ରୋକ୍‌ର ବିପଦ ମଧ୍ୟ ଅନେକାଂଶରେ କମି ଯାଇଥାଏ।

ଡାଇବେଟିସ୍‌:

ଡାଇବେଟିସ୍‌ ରୋଗୀଙ୍କ ପାଇଁ ବି ଛତୁ ଲାଭକାରୀ ହୋଇଥାଏ। ଏହା ଫାଇବରରେ ଭରପୂର ହୋଇଥାଏ। ଏଥି ସହିତ ଏଥିରେ କାର୍ବୋହାଇଡ୍ରେଟ୍‌ ଏବଂ ସୁଗାର ମଧ୍ୟ ନ ଥାଏ। ଛତୁ ଶରୀରରେ ଇନ୍‌ସୁଲିନ ନିର୍ମାଣରେ ମଧ୍ୟ ସାହାଯ୍ୟ କରିଥାଏ।

ପେଟ ସମସ୍ୟା ଦୂର ପାଇଁ:

ଛତୁ ସେବନ କଲେ ପେଟ ଜନିତ ସମସ୍ୟା ଯେପରି କୋଷ୍ଠକାଠିନ୍ୟ, ବଦହଜ୍‌ମୀ ଆଦିରୁ ମଧ୍ୟ ମୁକ୍ତି ମିଳିଥାଏ। ଏତଦ୍‌ ବ୍ୟତୀତ, ଏହା ରକ୍ତରେ ହିମୋଗ୍ଲୋବିନ୍‌ ସ୍ତରକୁ ମଧ୍ୟ ଠିକ୍‌ ରଖିଥାଏ। କାହିଁକି ନା, ଏଥିରେ ଭରପୂର ମାତ୍ରାରେ ଫୋଲିକ୍‌ ଏସିଡ୍‌ ଓ ଆଇରନ ମିଳିଥାଏ।

ହାଡ଼ ମଜଭୁତ ପାଇଁ:

ଛତୁ ଖାଇବା ଦ୍ୱାରା ହାଡ଼ ମଜଭୁତ ହୋଇଥାଏ। କାରଣ, ଏହା ଭିଟାମିନ୍‌ ଡି’ର ଏକ ଭଲ ସ୍ରୋତ ହୋଇଥାଏ। ପ୍ରତିଦିନ ଛତୁ ସେବନ କରିବା ଦ୍ୱାରା ଶରୀରରେ ଭିଟାମିନ୍‌ ଡି’ର ଅଭାବ ରହି ନ ଥାଏ।

ଆଣ୍ଟି ଏଜିଙ୍ଗ୍‌ ଗୁଣରେ ଭରପୂର:

ସ୍ୱାସ୍ଥ୍ୟ ସହିତ ଏହା ତ୍ୱଚା ପାଇଁ ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ। ଛତୁରେ ଆଣ୍ଟି ଏଜିଙ୍ଗ୍‌ ଗୁଣ ଭରପୂର ମାତ୍ରାରେ ରହିଛି, ଯାହା ଚେହେରାରେ ବୟସ ବଢ଼ିବାର ଲକ୍ଷଣଗୁଡ଼ିକୁ କମ୍‌ କରିବାରେ ସାହାଯ୍ୟ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.