ଆଜି ବନାନ୍ତୁ ଅମୃତଭଣ୍ଡା ଚଟଣୀ, କମ୍ ସମୟରେ ହେବ ପ୍ରସ୍ତୁତ

ଆପଣ ଅମୃତଭଣ୍ଡା ନିଶ୍ଚିତ ଖାଇଥିବେ। ଏହାକୁ ଡାଲମା, ସନ୍ତୁଳା କିମ୍ବା ଭାଜି ଆମେ ଘରେ ଖାଇଥାଉ। ଅନେକ ଘରେ ଏହାକୁ ପିଲାମାନେ ଖାଇବାକୁ ପସନ୍ଦ କରନ୍ତି ନାହିଁ । ତେବେ ଅମୃତଭଣ୍ଡାକୁ କଞ୍ଚା କିମ୍ବା ପାଚିଲା ମଧ୍ୟ ଖିଆଯାଏ । ଅମୃତଭଣ୍ଡାରେ ଥିବା ଭିଟାମିନ ଏବଂ ମିନେରାଲ୍ସ ସ୍ୱାସ୍ଥ୍ୟ ପାଇଁ ଫାଇଦା ଦେଇଥାଏ। ତେବେ କେବେ ଆପଣ ଅମୃତଭଣ୍ଡାରେ ଚଟଣୀ କରି ଖାଇଛନ୍ତି କି ? ହୁଏତ ଖାଇନଥିବେ। କିନ୍ତୁ ଗୁଜରାଟରେ ଏହାକୁ ପ୍ରତିଦିନ ଖିଆଯାଏ। ସେଠାରେ ଏହାକୁ ପପେୟାନୋ ସମ୍ଭାରୋ ବୋଲି କୁହନ୍ତି। ଏହାକୁ ସାଧାରଣତଃ ଗାଠିୟା କିମ୍ବା ସ୍ନାକ୍ସ ସହିତ ଖିଆଯାଏ।
ପଶ୍ଚିମ ବଙ୍ଗରେ ଏହା ପ୍ଲାଷ୍ଟିକ ଚଟଣୀ ନାମରେ ଜଣାଶୁଣା। ଅମୃତଭଣ୍ଡା ଚଟଣୀକୁ ମସଲାଦାର ସାଲାଡ ଭାବେ ବ୍ୟବହାର କରାଯାଏ । ତେବେ ଏହାକୁ କେମିତି ବନାଇବେ ଆସନ୍ତୁ ଶିଖିବା…
ଆବଶ୍ୟକୀୟ ସାମଗ୍ରୀ: ଅମୃତଭଣ୍ଡା, କଞ୍ଚାଲଙ୍କା, ସୋରିଷ, ହେଙ୍ଗୁ, ହଳଦୀ ପାଉଡର, ତେଲ, ଲୁଣ ସ୍ୱାଦନୁସାରେ, ଅଳ୍ପ ପାଣି ।
ପ୍ରସ୍ତୁତି ପ୍ରଣାଳୀ : ଏକ ନନ୍ଷ୍ଟିକ ପ୍ୟାନକୁ ଗ୍ୟାସରେ ବସାଇ ଗରମ ହେବା ପରେ ତେଲ ପକାନ୍ତୁ। ସେଥିରେ ସୋରିଷ ପକାଇ ଫୁଟି ଆସିଲେ, ଅଳ୍ପ ହେଙ୍ଗୁ ପକାଇ ଦିଅନ୍ତୁ। ଏବେ ସେଥିରେ କଞ୍ଚାଲଙ୍କା ପକାଇ ୧ରୁ ୨ ମିନିଟ୍ ଭାଜନ୍ତୁ। ତା’ ପରେ ପୂର୍ବରୁ ଚୋପା ଛଡାଇ କରି କଦୁକସ କରି ରଖିଥିବା ଅମୃତଭଣ୍ଡାକୁ ଏବେ ଏଥିରେ ପକାନ୍ତୁ। ଏଥିରେ ଅଳ୍ପ ଲୁଣ ପକାଇ ଦିଅନ୍ତୁ। ଭଲ ଭାବେ ଏହାକୁ ମିଶାଇ ୨-୩ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ।
ଏବେ ଏଥିରେ ୨ ଚାମଚ ପାଣି ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ତା’ ପରେ ହଳଦୀ ପାଉଡର ଦେଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏହାକୁ ଢାଙ୍କି ଦେଇ ୪ରୁ ୫ ମିନିଟ୍ ପକାଇ ସିଝାଇଦିଅନ୍ତୁ। ତା’ ପରେ ଚଟଣୀକୁ କାଢି ଆପଣ ରୁଟି କିମ୍ବା ଭାତରେ ଖାଇପାରିବେ।