କୋବି ମଞ୍ଚୁରିଆନ୍‌ ଅନେକ ଥର ଖାଇଥିବେ ହେଲେ କେବେ ଟେଷ୍ଟ କରିଛନ୍ତି କି ସୋୟାବଡି ମଞ୍ଚୁରିଆନ୍‌, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ଆଜିକାଲି ପିଲାମାନେ ଘରେ ଖାଇବା ବଦଳରେ ବାହାରେ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ତେଣୁ ଘରେ ମା’ ମାନେ ଚିନ୍ତାରେ ରହୁଛନ୍ତି। କିପରି ପିଲାମାନେ ବାହାର ଖାଦ୍ୟ ଛାଡି ଘରେ ଖାଇବେ ତାହାକୁ ନେଇ ଅନେକ ପ୍ରକାରର ଖାଦ୍ୟ ତିଆରି କରୁଛନ୍ତି। ହେଲେ ବଜାରରେ ମିଳୁଥିବା ଖାଇବାର ଟେଷ୍ଟ ଭଳି ଟେଷ୍ଟ ମିଳୁନି। ବଜାରରେ ଖାଇବା ଦ୍ୱାରା ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡୁଛି। ତେବେ ଆପଣ ମଧ୍ୟ ଘରେ ବଜାର ଭଳି ଟେଷ୍ଟି ଖାଇବା ତିଆରି କରିପାରିବେ।

ଆପଣ ସବୁବେଳେ ବନ୍ଧାକୋବିରେ ପ୍ରସ୍ତୁତ ହୋଇଥିବା ମଞ୍ଚୁରିଆନ ନିଶ୍ଚିତ ଖାଇଥିବେ। କିନ୍ତୁ କେବେ ବି ସୋୟାବଡି ମଞ୍ଚୁରିଆନ୍‌ ଖାଇନଥିବେ। ଏହାକୁ ଆପଣ ସହଜରେ ଘରେ ବନାଇପାରିବେ। ତେବେ କେମିତି କରିବେ ସୋୟାବଡି ମଞ୍ଚୁରିଆନ୍‌ ଆସନ୍ତୁ ଜାଣିବା…

ଆବଶ୍ୟକ ସାମଗ୍ରୀ : ସୋୟାବଡି, ଦହି, ଗୋଲମରିଚ ଗୁଣ୍ଡ, କର୍ଣ୍ଣ ପାଉଡର, ଅଦା ରସୁଣ ପେଷ୍ଟ, ଲୁଣ, ଲଙ୍କା ପାଉଡର, ଧନିଆ ପାଉଡର, କ୍ୟାପସିକମ୍‌, ଟମାଟର, ସୋୟା ସସ୍‌ ଏବଂ କ୍ୟାଚଅପ୍‌

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ସୋୟାବଡିକୁ ନେଇ ଗରମ ପାଣିରେ କିଛିସମୟ ଭିଜାଇ ରଖିଦିଅନ୍ତୁ। ଏହା ଭଲଭାବେ ଫୁଲିଗଲା ପରେ ପାଣିରୁ କାଢି ଭଲଭାବେ ଚିପୁଡି ଦିଅନ୍ତୁ। ଏହାପରେ ବଡିରେ ଦହି, ଗୋଲମରିଚ ଗୁଣ୍ଡ, ଅଦା ରସୁଣ ପେଷ୍ଟ ଏବଂ ଲୁଣ, ଲଙ୍କା ପକାଇ ଭଲଭାବେ ମିଶାଇ ଦିଅନ୍ତୁ।

ଏହାପରେ କଢେଇ ଗରମ କରି ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ବଡିକୁ ସେଥିରେ ପକାଇ କିଛି ସମୟ ଭାଜିବା ପରେ ପ୍ଲେଟରେ ବାହାର କରି ରଖିଦିଅନ୍ତୁ। ଏବେ କଢେଇରେ ବଳିଥିବା ତେଲରେ ପିଆଜ, କ୍ୟାପସିକମ୍‌ ଏବଂ ଟମାଟର ପକାନ୍ତୁ। ଏହାପରେ ବଳିଥିବା ମସଲା, ସୋୟା ସସ୍‌ ଏବଂ କ୍ୟାଚଅପ୍‌ ପକାଇ ମିଶାଇ ଦିଅନ୍ତୁ। ଏହାକୁ ଢାଙ୍କି ଅଳ୍ପ ସମୟ ଆଞ୍ଚରେ ବସାନ୍ତୁ। ଏହାପରେ ସେଥିରେ କର୍ଣ୍ଣ ଷ୍ଟାର୍ଚ ପକାଇ ଅଳ୍ପ ପାଣି ଦେଇ ଗୋଳାଇ ଦିଅନ୍ତୁ। ଅଳ୍ପ ଆଞ୍ଚରେ ଏହାକୁ ବସାନ୍ତୁ। ୫ ମିନିଟ ପରେ ଏହାକୁ ଆଞ୍ଚରୁ ଓହ୍ଲାଇଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୋୟାବଡି ମଞ୍ଚୁରିଆନ୍‌। ଏହାକୁ ଆପଣ ରୁଟି କିମ୍ବା ଭାତରେ ଗରମ ଗରମ ଖାଇପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.