କେବଳ ସୌନ୍ଦର୍ଯ୍ୟ ନୁହେଁ ବରଂ ଏହିସବୁ ରୋଗର କାରଣ ସାଜିଥାଏ ବଡ଼ନଖ

ସାଧାରଣତଃ ମହିଳାମାନେ ବଡ଼ ବଡ଼ ନଖ ରଖିବାକୁ ପସନ୍ଦ କରିଥାନ୍ତି। ନଖ ତାଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ବୋଲି ସେମାନଙ୍କର ଧାରଣା ରହିଥାଏ। ଯଦି ବଡ଼ ନଖ ରଖୁଛନ୍ତି ତେବେ ଏହାକୁ ପରିଷ୍କାର ପରିଚ୍ଛନ୍ନ ଓ ସାଇଜ୍‌ରେ କାଟିବା ମଧ୍ୟ ଜରୁରୀ। ନଚେତ୍‌ ଘାତକ ସାଜିପାରେ ବଡ଼ ନଖ।

କେରାଟିନ୍‌ ନାମକ ଏକ କଠିନ ପ୍ରୋଟିନ୍‌ରେ ନଖ ତିଆରି ହୋଇଛି। ଏହା ପାଦ ଓ ହାତର ଆଙ୍ଗୁଳିର ସମ୍ବେଦନଶୀଳ ଅଗ୍ରଭାଗକୁ ସୁରକ୍ଷା ଦେଇଥାଏ। ତେବେ ଆମେ ଯଦି ନଖକୁ ପରିଷ୍କାର ନରଖିବା ତେବେ ନଖ ମାଧ୍ୟମରେ ବହୁ ରୋଗସୃଷ୍ଟିକାରୀ ଜୀବ ପେଟକୁ ଚାଲିଯିବେ। ଯାହା ପରେ ଶରୀରକୁ ଅସୁସ୍ଥ କରିଦେବ।

ଲମ୍ବା ଓ ଅପରିଷ୍କାର ନଖ ବିଭିନ୍ନ ସଂକ୍ରମକ ରୋଗର ବାହକ କୃମିଙ୍କୁ ଜନ୍ମ ଦେଇଥାଏ। ନଖକୁ କିଛି ଦିନ ବ୍ୟବଧାନରେ ସଫା ନ କଲେ ଏଥିରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାନ୍ତି। ପରିଣାମ ସ୍ୱରୂପ ପେଟ ରୋଗ, ଝାଡ଼ା, ବାନ୍ତି ଭଳି ସମସ୍ୟା ଦେଖାଦିଏ। ଛୋଟ ଛୁଆଙ୍କ ଠାରେ ଏହି ରୋଗ ଅଧିକ ଦେଖିବାକୁ ମିଳେ। ନଖ ଅପରିଷ୍କାର ଥିଲେ ଜୀବାଣୁମାନେ ସହଜରେ ଶରୀରକୁ ପ୍ରବେଶ କରିଥାନ୍ତି। ଏଣୁ ଛୋଟଛୁଆଙ୍କ ନଖ କାଟିବା ଜରୁରୀ। ପିଲାମାନେ କୁଣ୍ଡାଇବା ପାଇଁ ନଖର ବ୍ୟବହାର କରି ଶରୀରକୁ ଖଣ୍ଡିଆଖାବରା କରିଦିଅନ୍ତି। ତେଣୁ ନିୟମିତ ବ୍ୟବଧାନରେ ସେମାନଙ୍କ ନଖ କାଟିବା ଆବଶ୍ୟକ।

ଏହାସହ ପଢ଼ନ୍ତୁ: ଦହିଠାରୁ ଅଧିକ ସ୍ୱାସ୍ଥ୍ୟକାରୀ ଘୋଳଦହି, ଜାଣନ୍ତୁ କେମିତି

ସେହିପରି ଛୁଆଙ୍କ ମା’ମାନେ ମଧ୍ୟ ନଖ ପରିଷ୍କାର କରି ରଖିବା ଉଚିତ। ଛୁଆଙ୍କ ତ୍ୱଚା ବହୁତ ସମ୍ବେଦନଶୀଳ ଓ ପତଳା ହୋଇଥାଏ। ମା’ ବଡ଼ ନଖ ରଖିଥିଲେ ପିଲାଙ୍କୁ ଖୁଆଇବା, ପିଇବା ବା ଅନ୍ୟ କାମ କରୁଥିବା ବେଳେ ଆଘାତ ଲାଗିବାର ସମ୍ଭାବନା ରହିଛି। ଏଥିସହ ପିଲାଙ୍କ ଡାଇପର, ଲୁଗାପଟା ଆଦି ସଫା କରିବା ବେଳେ ମା’ଙ୍କ ନଖରେ ବ୍ୟାକ୍ଟେରିଆ ରହିବା ସମ୍ଭାବନା ରହିଛି। ଏଣୁ ମା’ମାନେ ମଧ୍ୟ ନିଜ ନଖକୁ ଛୋଟ ରଖିବା ଉଚିତ।

କେବଳ ହାତକୁ ସାବୁନ୍‌ରେ ଧୋଇଦେଲେ ଜୀବାଣୁ ମରିଯାଆନ୍ତି ବୋଲି କେତେକଙ୍କ ଧାରଣା ରହିଛି। ଯଦି ଆପଣ ମଧ୍ୟ ସେଭଳି ଚିନ୍ତା କରୁଥାନ୍ତି ତେବେ ତାହା ଭୁଲ। ବ୍ୟାକ୍ଟେରିଆ କେବଳ ହାତ ପାପୁଲିରେ ନଥାନ୍ତି, ସେମାନେ ନଖ କଣରେ ମଧ୍ୟ ରହି ରୋଗ ସୃଷ୍ଟି କରିଥାନ୍ତି। ଏଣୁ ହାତ ଧୋଇବା ବେଳେ ନଖକୁ ମଧ୍ୟ ପରିଷ୍କାର କରନ୍ତୁ। ନଚେତ୍‌ ସଂକ୍ରମଣର ଶିକାର ହୋଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.