ଏପରି ବନାନ୍ତୁ ଦ୍ୱିତୀୟ ଘାଣ୍ଟ, ସବୁ ଘର ଠାରୁ ଆପଣଙ୍କ ତରକାରୀ ବାରି ହୋଇଯିବ ଅଲଗା

ଆବଶ୍ୟକ ସାମଗ୍ରୀ

ପରିବା : ପୋଟଳ, ଅମୃତଭଣ୍ଡା, ଆଳୁ, ଗାଜର, ଜହ୍ନି, ବିନ୍ସ, ଝୁଡଙ୍ଗ, କାଙ୍କଡ, ଲାଉ, ବୋଇତି କଖାରୁ, ସାରୁ, ମାଟି ଆଳୁ, କଞ୍ଚା କଦଳୀ, ଓଉ ଏବଂ ବାଇଗଣ। କଞ୍ଚା କଦଳୀକୁ କାଟି ପୁର୍ବରୁ ହଳଦି ପାଣିରେ ଭିଜାଇ ରଖିଥିବେ।

ଚଣା : ମଟର – ୪୦ ଗ୍ରାମ, କଳା ଚଣା – ୪୦ ଗ୍ରାମ, କାବୁଲି ଚଣା – ୪୦ ଗ୍ରାମ୍‌ (ଏହାକୁ ୬-୭ ଘଣ୍ଟା ବତୁରି ରଖିବେ ଏବଂ ଭଲଭାବେ ଧୋଇ ପ୍ରେସରରେ ଗୋଟେ ସିଟି ଦେଇ ସିଝାଇ ରଖିବେ)। ବୁଟ ଡାଲି – ୪୦ ଗ୍ରାମ (୩ ଘଣ୍ଟା ପାଣିରେ ଭିଜାଇ ରଖିବେ), ଗଜା ମୁଗ – ୪୦ ଗ୍ରାମ। ତାସହିତ ନଡିଆ କୋରା ଏବଂ ନଡିଆ ଖଣ୍ଡ (ଛୋଟ ସାଇଜରେ କଟା ହୋଇଥିବା)

ମସଲା : ଗୋଟା ଧନିଆ – ଏକ ଚାମଚ, ଗୋଟା ଜିରା – ଏକ ଚାମଚ, ଗୋଟେ ଛୋଟ ଚାମଚ ପାନମଧୁରୀ, ଅଧା ଖଣ୍ଡ ଷ୍ଟାର ଫୁଳ, ଛୋଟ ଖଣ୍ଡ ଜାଇ ଫଳ, ୭ଟି ଲବଙ୍ଗ, ଦୁଇ ତିନି ଖଣ୍ଡ ଡାଲଚିନି, ଦୁଇଟା ଗୁଜରାତି, ଦୁଇଟା ବଡ ଅଳେଇଚ, ୧୦ଟି ଗୋଲମରୀଚ।

ଅନ୍ୟାନ୍ୟ : ୨ଟି ଟମାଟୋ, ୨ଟି କଞ୍ଚା ଲଙ୍କା, ଅଳ୍ପ ଅଦା ଖଣ୍ଡ, ୬ଟି ଗୋଟା କାଜୁ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ଆମେ ଯେଉଁ ପରିବା ଆପଣଙ୍କୁ କହିଲୁ, ଏଥିମଧ୍ୟରୁ ଯେଉଁଟା ପସନ୍ଦ ନୁହେଁ ଆପଣ ଏହାକୁ ଅଲଗା ରଖିପାରିବେ ଏବଂ ଆଉ କିଛି ପରିବା ନିଜ ପସନ୍ଦ ମୁତାବକ ମିଶାଇ ବି ପାରିବେ। ମନେ ରଖିବେ ଘାଣ୍ଟ ତରକାରୀକୁ ସବୁବେଳେ ବଡ ଡିସ କିମ୍ବା ବଡ କଡେଇରେ ବନେଇବେ। ଆଦୌ ବି ପ୍ରେସର କୁକରରେ ବନାଇବେନି, କାହିଁକିନା ଏହାର ଟେଷ୍ଟ ଜମା ବି ଭଲ ଆସିବନି। ଆପଣ ଚାହିଁଲେ ବଡ ଡେକଚିରେ ବି ବନାଇପାରିବେ। ତେବେ ପ୍ରଥମେ ଡିସ ଗରମ କରନ୍ତୁ ସେଥିରେ ଗୋଟେ ଛୋଟ ଚାମଚ ଘିଅ ଗରମ କରନ୍ତୁ। ଘିଅ ଗରମ ହେଲା ପରେ କାଟି ରଖିଥିବା ଓଉକୁ ପକାଇ ସାମାନ୍ୟ ଭାଜି ଦିଅନ୍ତୁ। ଯେହେତୁ ଓଉରେ ଲାଳ ଅଂଶ ଥାଏ ତେଣୁ ଏହାକୁ ଭାଜି ଦେଲେ ଏହାର ଲାଳ ଅଂଶ ବାହାରିଯାଏ। ଏହାକୁ ନ ଭାଜିଲେ ଆପଣଙ୍କ ତରକାରୀ ଲାଳୁଆ ଲାଗିବ। ଓଉକୁ ୩ ମିନିଟ ଭାଜିବା ପରେ କାଢ଼ି ଦିଅନ୍ତୁ। ଏବେ ସେଥିରେ ଆଉ ଏକ ଚାମଚ ଘିଅ ଗରମ କରି ଜିରା ପକାଇବା। ଏବେ ଏଥିରେ ମାଟି ଆଳୁ ଏବଂ ସାରୁକୁ ପକାଇ ଭାଜନ୍ତୁ। ଏହାକୁ ୨ରୁ୩ ମିନିଟ ଭାଜିବା ପରେ କେବଳ ବାଇଗଣକୁ ଛାଡି ଅନ୍ୟ ସମସ୍ତ ପରିବାକୁ ପକାଇ ଭାଜନ୍ତୁ। ବାଇଗଣ ଜଲଦି ସିଝିଯିବ ତେଣୁ ବାଇଗଣକୁ ପରେ ପକାଇବେ।

ପରିବାକୁ ଭାଜିଲା ବେଳେ ଏଥିରେ ବତୁରାଇ ରଖିଥିବା ବୁଟ ଡାଲିକୁ ପକାଇ ଦିଅନ୍ତୁ। ଏବେ ସ୍ୱାଦ ଅନୁସାରେ ଲୁଣ ଏବଂ ଆବଶ୍ୟକ ଅନୁସାରେ ହଳଦି ପକାନ୍ତୁ। ଏହାକୁ ଏବେ ଭଲଭାବେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସକୁ ହାଇ ଫ୍ଲେମ କରି ପରିବାକୁ ଭାଜନ୍ତୁ। ୫ରୁ୬ ମିନିଟ ପରିବାକୁ ହାଇ ଫ୍ଲେମରେ ଭାଜିବାବେଳେ ଏହାକୁ ଢ଼ାଙ୍କୁଣୀ ଘୋଡାଇ ଭାଜିବେ। କିଛି କିଛି ସେକେଣ୍ଡରେ ଘୋଡଣୀ କାଢ଼ି ଏହାକୁ ଚାମଚରେ ଚଲାଉଥିବେ, ଯେପରି ପରିବା ତଳୁ ପୋଡିବନାହିଁ। ପରିବା ଭଲଭାବେ ଭାଜି ହୋଇଗଲା ପରେ ଏଥିରେ ଗରମ ପାଣି ମିଶାନ୍ତୁ। ପାଣିକୁ ସବୁବେଳେ ପରିବାର ଉପର ପର୍ଯ୍ୟନ୍ତ ଦେବେ। ପାଣି ଯେତେବେଳେ ଫୁଟି ଆସିବ ସେତେବେଳେ ବାଇଗଣକୁ ମିଶାଇବେ। ଏବେ ଦରସିଝା କରି ରଖିଥିବା ଚଣା ଏବଂ ମଟରକୁ ପକାଇଦେବେ। ଏଥିରେ ବତୁରୀ ରଖିଥିବା ଗଜା ମୁଗକୁ ବି ପକାଇଦେବେ। ଏହି ସମୟରେ ବି କଟା ନଡିଆକୁ ପକାଇ ଦିଅନ୍ତୁ। ଏସବୁ ସାମଗ୍ରୀ ଯେତେବେଳେ ଫୁଟି ଆସିବ ସେତେବେଳେ ଏହାର ଘୋଡଣୀ ବାହାର କରି ଚଲାନ୍ତୁ। ଏବେ ଗ୍ୟାସର ଫ୍ଲେମକୁ ମିଡିୟମ କରି ଏହାକୁ ୧୫ ମିନିଟ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ ଯେପରି ସମସ୍ତ ପରିବା ଭଲଭାବେ ସିଝିଯିବ। ୧୫ ମିନିଟ ପରେ ଦେଖିବେ ପରିବା ଭଲଭାବେ ସିଝି ଯାଇଥିବ ଏବେ ଏହାକୁ ଆଞ୍ଚରୁ ଓହ୍ଲାଇ ସାଇଡରେ ରଖିଦିଅନ୍ତୁ।

ଏବେ ଗୋଟା ଧନିଆ – ଏକ ଚାମଚ, ଗୋଟା ଜିରା – ଏକ ଚାମଚ, ଗୋଟେ ଛୋଟ ଚାମଚ ପାନମଧୁରୀ, ଅଧା ଖଣ୍ଡ ଷ୍ଟାର ଫୁଳ, ଛୋଟ ଖଣ୍ଡ ଜାଇ ଫଳ, ୭ଟି ଲବଙ୍ଗ, ଦୁଇ ତିନି ଖଣ୍ଡ ଡାଲଚିନି, ଦୁଇଟା ଗୁଜରାତି, ଦୁଇଟା ବଡ ଅଳେଇଚ, ୧୦ଟି ଗୋଲମରୀଚକୁ କଡେଇରେ ମିଡିୟମ୍‌ ଫ୍ଲେମରେ ଭାଜି ଦିଅନ୍ତୁ। ଏହି ଗୋଟା ମସଲାରୁ ବାସ୍ନା ଆସିବା ଯାଏଁ ଭାଜନ୍ତୁ। ଏସବୁକୁ ପ୍ଲେଟକୁ କାଢ଼ି ଥଣ୍ଡା କରିଦିଅନ୍ତୁ ଏବଂ ଏହାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ।

ଏବେ ଆଉ ଗୋଟେ ମସଲା ବନାନ୍ତୁ। ଏହି ମସଲା ବନାଇବା ପାଇଁ ୨ଟି ଟମାଟୋ, ୨ଟି କଞ୍ଚା ଲଙ୍କା, ଅଳ୍ପ ଅଦା ଖଣ୍ଡ, ୬ଟି ଗୋଟା କାଜୁକୁ ଜାରରେ ରଖି ଅଳ୍ପ ପାଣି ଦେଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବେ କଡେଇରେ ଘିଅ ଗରମ କରନ୍ତୁ ଏବଂ ଘିଅ ଗରମ ହୋଇଗଲେ ଏଥିରେ ଗୋଟା ଜିରା, ୨ଟି ତେଜପତ୍ର ଏବଂ ୩ଟି ସୁଖିଲା ଲଙ୍କା ପକାଇ ଭାଜନ୍ତୁ। ଏବେ ଏଥିରେ ୧/୪ ଚାମଚ ହେଙ୍ଗୁ ପକାନ୍ତୁ। ହେଙ୍ଗୁ ପକାଇଲେ ସ୍ୱାଦ ବହୁତ ଭଲ ଆସେ। ହେଙ୍ଗୁ ଭାଜି ଆସିଲେ ଏଥିରେ ଗ୍ରାଇଣ୍ଡିଂ କରିଥିବା ଟମାଟୋ କଞ୍ଚା ଲଙ୍କା ପେଷ୍ଟକୁ ପକାଇ ଭାଜିଦେବେ। ଏଥିରେ ସାମାନ୍ୟ ପାଣି ଦେଇଦେବେ, ଯେପରି ମସଲା ତଳେ ଲାଗିବନି। ଏହି ମସଲାକୁ ଭାଜିବା ସମୟରେ ରଙ୍ଗ ପାଇଁ ଗୋଟେ ଚାମଚ ଲାଲ ଲଙ୍କା ଗୁଣ୍ଡ ଦେଇଦିଅନ୍ତୁ। ଏହି ସମୟରେ କସ୍ତୁରୀ ମେଥି ଗୋଟେ ଛୋଟ ଚାମଚ ଦେଇଦେବେ। ଯେହେତୁ ଆମେ ବିନା ପିଆଜ ରସୁଣରେ ତରକାରୀ ବନାଉଛନ୍ତି କସ୍ତୁରୀ ମେଥି ପକାଇଲେ ତରକାରୀର ସ୍ୱାଦ ଭଲ ଆସିବ।

ଏବେ ଏହି ମସଲାକୁ ଘୋଡାଇ ୩-୪ ମିନିଟ ଗ୍ୟାସରେ ବସାନ୍ତୁ। ମସଲା ଭଲଭାବେ ହୋଇଗଲା ପରେ ଏହାକୁ ନେଇ ସିଝାଇ ରଖିଥିବା ପରିବାରେ ମିଶାଇ ଦିଅନ୍ତୁ। ଏବେ ଗ୍ୟାସର ଫ୍ଲେମକୁ ହାଇ କରି ତରକାରୀକୁ ଫୁଟାନ୍ତୁ। ତରକାରୀ ଟକମକ ଫୁଟିବା ସମୟରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଗୋଟା ମସଲା ଗୁଣ୍ଡକୁ ଏଥିରେ ପକାଇ ଦିଅନ୍ତୁ। ଏହାକୁ ଭଲଭାବେ ଗୋଳାଇ ଏଥିରେ କୋରା ନଡିଆକୁ ପକାଇ ଦିଅନ୍ତୁ। ହାଇ ଫ୍ଲେମରେ କିଛି ସମୟ ଆଞ୍ଚରେ ବସାଇ ଏଥିରେ ଧନିଆ ପତ୍ର ବି ପକାଇ ପାରିବେ। ଏଥିରେ ପାଣି ଟିକେ ରଖିବେ ଯେମିତି ଥଣ୍ଡା ହେଲେ ବି ଏହା ଅଧିକ ସୁଖିଲା ହେବନି। ଏବେ ଆପଣଙ୍କ ଦ୍ୱିତୀୟା ଘାଣ୍ଟ ଏକଦମ୍‌ ପ୍ରସ୍ତୁତ ହୋଇଯାଇଛି।

Leave A Reply

Your email address will not be published.