ଏହି ନବରାତ୍ରୀରେ ବ୍ରତ ରଖିଥିବା ଲୋକଙ୍କ ପାଇଁ ବନାନ୍ତୁ ଅମୃତଭଣ୍ଡା ହାଲୁଆ, ସ୍ୱାଦ ଏପରି ସବୁ ଭୁଲିଯିବେ
ସେପ୍ଟେମ୍ବର ୨୯ ତାରିଖ ବା ରବିବାରରୁ ଆରମ୍ଭ ହେବାକୁ ଯାଉଛି ନବରାତ୍ରି । ନବରାତ୍ରି ସମୟରେ ଅନେକ ଲୋକ ୯ ଦିନର ବ୍ରତ ରଖିଥାନ୍ତି । ଏପରିସ୍ଥଳେ ପ୍ରତିଦିନ ଗୋଟିଏ ପ୍ରକାର ଖାଇବା ସମସ୍ତଙ୍କୁ ଭଲଲାଗେ ନାହିଁ । ୯ ଦିନର ସମୟ ବହୁତ ଲମ୍ବା ହୋଇଥାଏ ଆଉ ଏହି ସମୟରେ ଆପଣଙ୍କୁ କିଛି ଭିନ୍ନ ଖାଇବା ଟ୍ରାଏ କରିବା ଆବଶ୍ୟକ । ସେଥିପାଇଁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଅମୃତଭଣ୍ଡା ହାଲୁଆ । ଏହି ହାଲୁଆକୁ ଆପଣ ପୂଜା ବ୍ରତ ଭଳି ଦିନରେ ବି ଖାଇ ପାରିବେ । ଏହି ହାଲୁଆ ଖାଇବା ପାଇଁ ବହୁତ ସ୍ବାଦ୍ଦିଷ୍ଟ ହେବା ସହିତ ଏହାକୁ ସବୁ ବୟସର ଲୋକ ମଧ୍ୟ ଖାଇ ପାରିବେ । ଅମୃତଭଣ୍ଡା ଖାଇବା ପେଟ ପାଇଁ ବହୁତ ଭଲ ହୋଇଥାଏ । ଏପରିସ୍ଥଳେ ବ୍ରତ ସମୟରେ ଏହାକୁ ଆପଣ ସେବନ କରିପାରିବେ । ତାହେଲେ ଆସନ୍ତୁ ଜାଣିବା ଅମୃତଭଣ୍ଡା ହାଲୁଆ ପ୍ରସ୍ତୁତ କରିବାର ସହଜ ଉପାୟ ।
ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ
କଞ୍ଚା ଅମୃତଭଣ୍ଡା ୧ଟି, ଫୁଲକ୍ରିମ କ୍ଷୀର ୨୫୦ଗ୍ରାମ, ଦେଶୀ ଘିଅ ୩ ଛୋଟ ଚାମଚ, ଗୁଡ଼ ୧ କପ, କାଜୁ ୮ ରୁ ୧୦ଟି , ବାଦାମ ୬/୮ଟି, କିସମିସ ୧୦ଟି, ନଡ଼ିଆ ପାଉଡର ୧ ଛୋଟ ଚାମଚ ଓ ଅଳେଇଚ ପାଉଡର ଅଧା ଛୋଟ ଚାମଚ ।
ଏହାସହ ପଢନ୍ତୁ ଏହିପରି ବନାନ୍ତୁ ଖଜୁରୀର ଚଟଣି, ପିଲାମାନେ ଚାଟି ଖାଇବେ ହାତ
ପ୍ରସ୍ତୁତି ପ୍ରଣାଳୀ
ଅମୃତଭଣ୍ଡା ହାଲୁଆ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଅମୃତଭଣ୍ଡାରୁ ଚୋପା ଛଡାଇ ଏଥିରୁ ମଞ୍ଜି ବାହାର କରି ଦିଅନ୍ତୁ । ତାପରେ ଏହାକୁ ଗ୍ରେଟରରେ ଗ୍ରେଟ କରିଦିଅନ୍ତୁ । ତାପରେ କାଜୁ ଏବଂ ବାଦାମକୁ ମଧ୍ୟ ଛୋଟ ଛୋଟ କରି କାଟିଦିଅନ୍ତୁ । ଆପଣ ଚାହିଁଲେ ଏଥିରେ ଅଳ୍ପ ପାଚିଲା ଅମୃତଭଣ୍ଡା ମଧ୍ୟ ବ୍ୟବହାର କରିପାରିବେ । ବର୍ତ୍ତମାନ ଗ୍ୟାସରେ କଡେଇ ବସାଇ ଏଥିରେ ଅଳ୍ପ ଦେଶୀ ଘିଅ ଗରମ କରନ୍ତୁ । ତାପରେ ସେଥିରେ ଗ୍ରେଟ କରିଥିବା ଅମୃତଭଣ୍ଡା ପକାଇ ଭାଜନ୍ତୁ । ଅମୃତଭଣ୍ଡା ଭଲଭାବେ ଭାଜି ହୋଇଗଲା ପରେ ଏଥିରେ କ୍ଷୀର ଦିଅନ୍ତୁ ଏବଂ ଅମୃତଭଣ୍ଡାକୁ କ୍ଷୀର ସହିତ ସମ୍ପୂର୍ଣ୍ଣ ଗାଢ଼ା ହେବା ପର୍ଯ୍ୟନ୍ତ ଗୋଳାନ୍ତୁ ।
ଅନ୍ୟ ଏକ ଗ୍ୟାସରେ ଏକ ପ୍ୟାନରେ ଅଳ୍ପ ପାଣି ଦେଇ ସେଥିରେ ଗୁଡ଼ ପକାଇ ରାନ୍ଧନ୍ତୁ । ଗୁଡ଼ ଭଲଭାବେ ମିଳାଇ ଗଲାପରେ ଗ୍ୟାସ ବନ୍ଦ କରିଦିଅନ୍ତୁ । ଆପଣ ଚାହିଁଲେ ଗୁଡ଼ ସ୍ଥାନରେ ଚିନିର ମଧ୍ୟ ବ୍ୟବହାର କରିପାରିବେ । ସେପଟେ ଅମୃତଭଣ୍ଡା ଓ କ୍ଷୀର ଭଲଭାବେ ବହଳିଆ ହେବା ପରେ ସେଥିରେ ଏହି ଗୁଡ଼ ଶିରାକୁ ପକାଇ ଦିଅନ୍ତୁ ଏବଂ ତାପରେ ଏହାକୁ ଭଲଭାବେ କିଛି ସମୟ ପର୍ଯ୍ୟନ୍ତ ଗୋଳାନ୍ତୁ । ବର୍ତ୍ତମାନ ଆଉ ଏକ ଚୁଲାରେ ଏକ ପ୍ୟାନ ବସାଇ ସେଥିରେ ଅଳ୍ପ ଦେଶୀଘିଅ ଗରମ କରନ୍ତୁ । ଗରମ ହୋଇଯିବା ପରେ ଏଥିରେ କାଜୁ, ବାଦାମ, କିସମିସ ଏବଂ ନଡ଼ିଆ ପାଉଡର ପକାନ୍ତୁ । ଏହିସବୁକୁ ଅଳ୍ପ ଭାଜି ଦିଅନ୍ତୁ । ଏହା ବ୍ରାଉନ କଲର ହୋଇଗଲେ ଏହାକୁ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଅମୃତଭଣ୍ଡା ହାଲୁଆରେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଟେଷ୍ଟି ଅମୃତଭଣ୍ଡା ହାଲୁଆ ।