ବର୍ଷକର ଶିଶୁକୁ ଆଦୌ ଖୁଆନ୍ତୁନି ଏହି ୫ଟି ଜିନିଷ, ଦେଖା ଦେଇପାରେ ଗୁରୁତର ସମସ୍ୟା

ନବଜାତ ଓ ଛୋଟ ଛୁଆଙ୍କ ଖାଇବା ପିଇବାକୁ ନେଇ ମା’ମାନେ ଖୁବ୍‌ ଯତ୍ନବାନ୍‌ ଥାଆନ୍ତି। ତଥାପି ବେଳେବେଳେ ପିତାମାତା ଛୁଆଙ୍କ ଖାଇବାକୁ ନେଇ କିଛି ଭୁଲ କରିଦିଅନ୍ତି। ଫଳରେ ଶିଶୁର ଦେହ ଖରାପ ହୁଏ। ଏଣୁ ଖାସ୍‌ କରି ବର୍ଷକରୁ କମ୍‌ ବୟସର ପିଲାଙ୍କ ଭୋଜନ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ଆସନ୍ତୁ ଜାଣିବା ଏକ ବର୍ଷରୁ କମ୍‌ ଶିଶୁଙ୍କୁ କେଉଁ କେଉଁ ଖାଦ୍ୟ ଦେବା ଅନୁଚିତ୍‌…

ଚିନି:

ଜନ୍ମରୁ ବର୍ଷେ ଯାଏଁ ଶିଶୁକୁ ରିଫାଇନ୍ଡ ସୁଗାର ବା ଚିନି ଆଦୌ ଦିଅନ୍ତୁ ନାହିଁ। ଛୁଆଙ୍କ ଶରୀରକୁ ଯେତିକି ଶର୍କରା ଆବଶ୍ୟକ ହୋଇଥାଏ ତାହା ଫଳରସ ଓ ଅନ୍ୟ ଦ୍ରବ୍ୟରୁ ତାକୁ ମିଳିଯାଏ। ଏଭଳିସ୍ଥିତିରେ ଯଦି ଆପଣ ଶିଶୁକୁ ଅଧିକ ଚିନି ଖୁଆଉଥାନ୍ତି ତେବେ ଏଥିରେ ଥିବା କେମିକାଲ ଛୁଆର ଦାନ୍ତକୁ ନଷ୍ଟ କରିପାରେ। ଏହା ବ୍ୟତୀତ ଶିଶୁ ମୋଟାପଣ ଓ ଡାଇବେଟିସ୍‌ର ଶିକାର ମଧ୍ୟ ହୋଇପାରେ।

ଲୁଣ:

୧ ବର୍ଷରୁ କମ୍‌ ପିଲାଙ୍କୁ ଲୁଣ ଦେବାକୁ ଡାକ୍ତରମାନେ ମନା କରିଥାନ୍ତି। ଛୁଆଙ୍କ ଶରୀରକୁ ଆବଶ୍ୟକ ହେଉଥିବା ସୋଡିୟମ୍‌ ମା’କ୍ଷୀର ମାଧ୍ୟମରେ ଛୁଆକୁ ମିଳିଯାଏ। ବର୍ଷକରୁ କମ୍‌ ବୟସ୍କ ଶିଶୁକୁ ପ୍ରତିଦିନ ୧ ଗ୍ରାମ୍‌ରୁ ଅଧିକ ଲୁଣ ଦେବା ଉଚିତ ନୁହେଁ, ଏହାଦ୍ୱାରା ଛୁଆର କିଡନୀରେ ପଥୁରୀ ବା ଷ୍ଟୋନ୍‌ ହେବା ଆଶଙ୍କା ରହିଛି। କେବଳ ଏତିକି ନୁହେଁ ଲୁଣ ଦ୍ୱାରା ଉଚ୍ଚ ରକ୍ତଚାପ, ଡିହାଇଡ୍ରେସନ୍‌ ଓ ହାଡ଼ ଦୁର୍ବଳ ହୋଇପାରେ।

ମହୁ:

କୁହାଯାଏ ଯେ ଶୀତଦିନେ ଛୁଆଙ୍କୁ ମହୁ ଚଟାଇବା ଉଚିତ। ଏଣୁ କେତେକ ସ୍ଥାନରେ ଶିଶୁଙ୍କୁ ମହୁ ଖାଇବାକୁ ମଧ୍ୟ ଦିଆଯାଏ। ମାତ୍ର ଏଭଳି କରିବା ଉଚିତ ନୁହେଁ। ଏହାଦ୍ୱାରା ଶିଶୁକୁ ବୋଟୁଲିଜମ୍‌ ହୋଇପାରେ। ଏହା ଏକ ଗମ୍ଭୀର ରୋଗ, ଏହି ରୋଗରେ ଶିଶୁର ଅନ୍ତଃନଳୀରେ ଜୀବାଣୁ ବୃଦ୍ଧି ହେବାରେ ଲାଗିଥାଏ। ଏହା ବ୍ୟତୀତ ମହୁରେ କିଛି ଏଭଳି ବ୍ୟାକ୍ଟେରିଆ ମଧ୍ୟ ଥାଆନ୍ତି, ଯାହା ଶିଶୁଙ୍କ ପାଚନ ତନ୍ତ୍ରକୁ ପ୍ରଭାବିତ କରିଥାନ୍ତି।

ଗାଈ କ୍ଷୀର:

ନବଜାତକ ପାଇଁ ମା’କ୍ଷୀର ପରେ ଗାଈ କ୍ଷୀର ହିଁ ସବୁଠାରୁ ଅଧିକ ସ୍ୱାସ୍ଥ୍ୟକର ହୋଇଥାଏ। କିନ୍ତୁ ଆମେରିକାନ୍‌ ଏକାଡେମୀ ଅଫ୍‌ ପିଡିଆଟ୍ରିକ୍‌ ଅନୁସାରେ ଶିଶୁକୁ ବର୍ଷେ ପର୍ଯ୍ୟନ୍ତ ଗାଈ କ୍ଷୀର ଆଦୌ ଦେବା ଉଚିତ ନୁହେଁ। କାରଣ ଗାଈ କ୍ଷୀରରେ ପ୍ରୋଟିନ୍‌ଠୁ ଆରମ୍ଭ କରି ପୋଟାସିୟମ୍‌ ଓ ସୋଡିୟମ୍‌ର ମାତ୍ରା ଅଧିକ ପରିମାଣରେ ରହିଥାଏ। ଏହାକୁ ଶିଶୁ ସହଜରେ ହଜମ କରିପାରେ ନାହିଁ।

କଞ୍ଚା ଗାଜର:

ବର୍ଷକରୁ କମ୍‌ ବୟସର ଶିଶୁକୁ କଞ୍ଚା ଗାଜର ଖୁଆଇବା ଅନୁଚିତ। ଏହା ତଣ୍ଟିରେ ଲାଗିପାରେ ଓ ପାଚନ ତନ୍ତ୍ରକୁ ବି ଖରାପ କରିବା ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.