ଆଳୁ-ବାଇଗଣ ଭଜା ତ ଅନେକ ଥର ଖାଇଥିବେ, କିନ୍ତୁ କେବେ ପିଆଜ ଭଜା ଚାଖିଛନ୍ତି! ଜାଣନ୍ତୁ କେମିତି ବନାଇବେ

ଆମ ଓଡ଼ିଆ ଘରେ ଭଜା ଏକ ସାଧାରଣ ଖାଦ୍ୟ। ପଖାଳ ହେଉ କି ରୁଟି ସବୁଥିରେ ଲୋକେ ଭଜା ଖାଇବାକୁ ପସନ୍ଦ କରିଥାନ୍ତି। ଆଳୁ, ବାଇଗଣ, ଭେଣ୍ଡି, ପୋଟଳ ସବୁ ପରିବାର ଭଜା ତ ଆପଣ ନିଶ୍ଚୟ ଖାଇଥିବେ। କିନ୍ତୁ କଣ କେବେ ପିଆଜ ଭଜା ଖାଇଛନ୍ତି କି? ବୋଧେ ନା’। ପିଆଜକୁ ସବୁ ଭଜାରେ ପକାଯାଏ। କିନ୍ତୁ କେବେ ବି କେହି ଖାଲି ପିଆଜ ଭଜା ଖାଇନଥିବେ। ତେବେ ଆଜି ଆସନ୍ତୁ ଜାଣିବା କେମିତି କରିବେ ପିଆଜ ଭଜା…

ଆବଶ୍ୟକୀୟ ଉପକରଣ:

ବଡ଼ ପିଆଜ ୪ଟା, ଟମାଟୋ ୧ଟା, ଲଙ୍କା ୨-୩ଟା, ତେଲ, ସ୍ୱାଦାନୁସାରେ ଲୁଣ, ଚିକେନ୍‌ ମସଲା, ହଳଦୀ ଗୁଣ୍ଡ, ଅଳ୍ପ ଲଙ୍କା ଗୁଣ୍ଡ, ଜିରା

ପ୍ରସ୍ତୁତି ପ୍ରଣାଳୀ:

ଭଜା କରିବା ପାଇଁ ପିଆଜକୁ ସରୁ ସରୁ ଲମ୍ବା ଲମ୍ବା କରି କାଟନ୍ତୁ। ପିଆଜକୁ ଯେଉଁ ଆକୃତିର କାଟିଥିବେ ଟମାଟୋକୁ ମଧ୍ୟ ସେଭଳି କାଟନ୍ତୁ। ଏବେ ଗ୍ୟାସ୍‌ରେ କଡ଼େଇ ବସାଇ ୨ ଚାମଚ ତେଲ ପକାନ୍ତୁ। ତେଲ ଗରମ ହୋଇଗଲେ ସେଥିରେ ଜିରା ପକାନ୍ତୁ। ଜିରା ଭାଜି ହୋଇଗଲେ ସେଥିରେ ପିଆଜ ପକାନ୍ତୁ। ପିଆଜକୁ ୨ ମିନିଟ୍‌ ଭାଜନ୍ତୁ। ଏବେ ଏଥିରେ ଟମାଟୋ ଓ ଲଙ୍କାକୁ ପକାନ୍ତୁ। ଟିକେ ଭାଜି ହୋଇଥିଲେ ସେଥିରେ ୧ ଚାମଚ ଚିକେନ୍‌ ମସଲା, ଅଳ୍ପ ହଳଦୀ ଓ ଆବଶ୍ୟକ ମୁତାବକ ଲଙ୍କା ଗୁଣ୍ଡ ପକାନ୍ତୁ। ଏହାକୁ ଆଉ ଟିକେ ଭାଜନ୍ତୁ। ପିଆଜ ଭଲ ଭାବେ ନରମ ହୋଇଗଲେ ସେଥିରେ ସ୍ୱାଦାନୁସାରେ ଲୁଣ ପକାଇ ପୁଣି ଥରେ ଘାଣ୍ଟନ୍ତୁ। ଏବେ ଗ୍ୟାସ୍‌କୁ ବନ୍ଦ କରି ଥାଳିଆକୁ କାଢ଼ି ପରଷନ୍ତୁ ପିଆଜ ଭଜା। ଆପଣ ଏହାକୁ ପଖାଳ, ରୁଟି କିମ୍ବା ପରଟା ସହ ମଧ୍ୟ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.