ଭୁଲରେ ବି ଏକାଠି ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ : ହୋଇପାରନ୍ତି ଅସୁସ୍ଥ

ଅଧିକାଂଶ ସମୟରେ ଆମେ ଖାଇବା ପିଇବା ଜିନିଷକୁ ନେଇ ଦ୍ବନ୍ଦରେ ଥାଉ ଯେ କେଉଁ ଖାଦ୍ୟ ସାଥରେ କଣ ଖାଇବା ଉଚିତ୍ କଣ ଅନୁଚିତ୍ । କେତେବେଳେ ଶୁଣିଥାଉ କ୍ଷୀର ଏବଂ ଦହି ଏକାସାଥିରେ ଖାଇବା ଉଚିତ୍ ନୁହେଁ । ପୁଣି କେତେବେଳେ କୌଣସି ରେସ୍ତୋରାଂଟ୍ ଗଲେ କମ୍ବୋରେ ମିଳୁଥିବା ବର୍ଗର୍ ଏବଂ କୋଲ୍ଡଡ୍ରିଙ୍କ୍ସ ଖାଇବା ଠିକ୍ ହେବ କି ନା ଚିନ୍ତା କରୁ। ଏମିତି ଅନେକ ପ୍ରଶ୍ନ ଆପଣଙ୍କ ମୁଣ୍ଡରେ ଥିବ । ଆଜି ଆମେ ଆପଣଙ୍କୁ ଜଣାଇବୁ କେଉଁ ଖାଦ୍ୟର କମ୍ବିନେସନ୍ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।
କ୍ଷୀର ଏବଂ ଦହି :
ଆୟୁର୍ବେଦରେ ଏହାକୁ ସବୁଠାରୁ ଖରାପ ସନ୍ତୁଳନ ବୋଲି କୁହାଯାଏ । କାରଣ କ୍ଷୀର ଏବଂ ଦହିକୁ ଏକାଠି ଖାଇବା ଦ୍ବାରା କ୍ଷୀର ଖରାପ ହୋଇଯାଏ । ଯାହା ଦ୍ବାରା ପେଟରେ ଗ୍ୟାସ୍ ହୋଇଥାଏ । ଏହା ସହ ବଦହଜମୀ ଏବଂ ବାନ୍ତି ହୋଇଥାଏ ।
ବର୍ଗର ଏବଂ କୋଲ୍ଡଡ୍ରିଙ୍କ୍ସ :
ଅନେକ ସମୟରେ ବର୍ଗର ସହ କୋଲ୍ଡଡ୍ରିଙ୍କ୍ସ ନେଇଥାଉ । କିନ୍ତୁ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏହି ଦୁଇ ଖାଦ୍ୟକୁ ଏକାଠି ଖାଇଲେ ବଦହଜମୀ ହେବା ସହ ପାଚନ ପ୍ରକିୟାରେ ପ୍ରଭାବ ପଡିଥାଏ ।
ଲେମ୍ବୁ ଓ ଦୁଧ:
ଦୁଧରେ ଗୋଟେ ବୁନ୍ଦା ଲେମ୍ବୁ ରସ୍ ପଡିଗଲେ କ’ଣ ହୋଇଥାଏ ଆପଣ ଜାଣିଛନ୍ତି। ଯଦି ଦୁଧ ପିଇବା ପରେ ଲେମ୍ବୁ ଖାଇଲେ ତେବେ ପେଟ ଖରାପ ହୋଇଥାଏ। ତେଣୁ ଦୁଧ ଓ ଲେମ୍ବୁକୁ କେବେ ବି ଏକାଠି ବ୍ୟବହାର କରନ୍ତୁ ନାହିଁ।
ଦହି ଓ ଫଳ:
ଦହି ସହ କେବେ ବି ଫଳ ଖାଆନ୍ତୁ ନାହିଁ। ଆୟୁର୍ବେଦ ଅନୁସାରେ ଦହି ସହ କୌଣସି ଫଳ ଖାଇବା ଶରୀର ପାଇଁ ବହୁତ କ୍ଷତିକାରକ। ଏକାସଙ୍ଗରେ ଏହା ପେଟକୁ ଯିବା ପରେ ଏମିତି ଏସିଡ୍ ସୃଷ୍ଟି କରିଥାନ୍ତି, ଯାହା ଆପଣଙ୍କ ମେଟାବୋଲିଜିମ୍ ଉପରେ ଖରାପ ପ୍ରଭାବ ପକାଇଥାଏ।
ମିଠା ଏବଂ ଖଟା ଫଳ :
ଆୟୁର୍ବେଦ ଅନୁସାରେ ମିଠା ଏବଂ ଖଟା ଫଳକୁ ଏକା ସାଙ୍ଗରେ ଖାଇବା ଆଦୌ ଉଚିତ୍ ନୁହେଁ । ଦୁଇଟି ଫଳ ଏକା ସାଙ୍ଗେ ଖାଇବା ଦ୍ୱାରା ଖଟା ଲାଗୁଥିବା ଫଳଟି ମିଠା ଫଳରେ ଥିବା ସୁଗାରକୁ ହଜମ କରିବାରେ ବାଧା ସୃଷ୍ଟି କରିଥାଏ । ଏହା ସହ ଫଳରେ ଥିବା ଭିଟାମିନ ମଧ୍ୟ କମ ହୋଇ ଯାଇଥାଏ ।