ରବିବାରରେ ନିଅନ୍ତୁ ଦେଶୀ ରୋହୀ ମାଛ ବିରିୟାନୀ ଖାଇବାର ମଜା, ପାଟିରୁ ଛାଡିବନି ସ୍ବାଦ

ଆପଣ ବିଭିନ୍ନ ପ୍ରକାରର ବିରିୟାନୀ ଖାଇଥିବେ କିନ୍ତୁ କେବେ ରୋହୀ ମାଛ ବିରିୟାନୀ ବିଷୟରେ ଶୁଣିଛନ୍ତି। ସବୁ ପ୍ରକାର ବିରିୟାନୀର ଟେଷ୍ଟ ମଧ୍ୟ ଅଲଗା ଅଲଗା ହୋଇଥାଏ। ସେହିପରି ରୋହୀ ମାଛ ବିରିୟାନୀ ଖୁବ ସ୍ବାଦିଷ୍ଟ ଏବଂ ଏହାର ପ୍ରସ୍ତୁତି ମଧ୍ୟ ଖୁବ ସରଳ। ତେବେ ଆଉ ଡେରି କାହିଁକି ଆଜି ହିଁ ଘରେ ପ୍ରସ୍ତୁତ କରି ନିଅନ୍ତୁ ଏହି ବିରିୟାନୀର ମଜା।
ଆବଶ୍ୟକ ସାମଗ୍ରୀ :
ରୋହୀ ମାଛ, ବାସୁମତି ଚାଉଳ, ତେଲ, ଅଳେଇଚ, ଲବଙ୍ଗ, ଅନାସୀ ଫୁଲ, ଗୋଲମରିଚ, ତେଜପତ୍ର, ଭଜା ପିଆଜ, ଚାଉଳ ଚୂନା, ଟମାଟୋ, ଲୁଣ, ହଳଦୀ, ଅଦା, ପିଆଜ ରସୁଣ ପେଷ୍ଟ, ପୁଦିନା ପତ୍ର, ଡାଲ୍ଚିନି, ଗୁଜୁରାତି ଏବଂ ଜିରା।
ପ୍ରସ୍ତୁତି ପ୍ରଣାଳୀ :
-ଆପଣ ରୋଷେଇ ଆରମ୍ଭ କରିବା ପୂର୍ବରୁ ଚାଉଳକୁ ଜଳରେ ଭିଜାଇ ତାକୁ ଏକ ପାତ୍ରକୁ ଛାଣି ରଖିବେ ଏବଂ ମାଛରେ ଲୁଣ ହଳଦୀ ଗୋଳାଇ ରଖିବେ।
– ପ୍ରଥମେ ଗ୍ୟାସ୍ରେ କଡ଼େଇ ବସାଇ ସେଥିରେ ଅଳ୍ପ ପାଣି ଦିଅନ୍ତୁ। ପାଣି ଫୁଟି ଆସିଲେ ସେଥିରେ ଅଳ୍ପ ଲୁଣ ପକାଇ ପୂର୍ବରୁ ଲୁଣ ହଳଦୀ ଗୋଳା ହୋଇଥିବା ମାଛଗୁଡ଼ିକୁ ପକାନ୍ତୁ। ଏପରି କରିବା ଦ୍ବାର ସହଜରେ ମାଛରୁ କଣ୍ଟା ବାହାରି ଯିବ। ଏବଂ ଖାଇଲା ବେଳକୁ ତାହା ତଣ୍ଟିରେ ମଧ୍ୟ ଲାଗିବ ନାହିଁ।
-ମାଛ ଥଣ୍ଡା ହେଲେ ସେଥିରୁ କଣ୍ଟାଗୁଡ଼ିକୁ ବାହାର କରିଦିଅନ୍ତୁ। ତା ପରେ ଏଥିରେ ଚାଉଳ ଚୂନା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ କଡେଇରେ ତେଲ ପକାଇ କରି ଚୂନା ଗୋଳା ହୋଇଥିବା ମାଛ ଗୁଡ଼ିକୁ ଛୋଟ ଛୋଟ ବଲ୍ ଭଳି କରି ଛାଣନ୍ତୁ।
-ଏବେ ଆଉ ଏକ କଡେଇ ବସାଇ ସେଥିରେ ତେଲ ଗରମ କରନ୍ତୁ। ଏଥିରେ ଜିରା, ତେଜପତ୍ର, ଡାଲ୍ଚିନି, ଗୁଜୁରାତି, ଅଳେଇଚ, ଅନାସୀ ଫୁଲ, ଲବଙ୍ଗ ଏବଂ ଗୋଲମରିଚ ଇତ୍ୟାଦି ପକାନ୍ତୁ। ତା ପରେ ସେଥିରେ ଟମାଟୋ ପକାଇ ଅଳ୍ପ ଭାଜି ହେଲା ପରେ ଅଦା, ରସୁଣ, ଏବଂ ପିଆଜ ପେଷ୍ଟ ପକାଇ ଭଲରେ କଷନ୍ତୁ।
-ମସଲା ଭଲରେ କଷି ହେଲା ପରେ ସେଥିରେ ପୂର୍ବରୁ ଭିଜା ହୋଇଥିବା ଚାଉଳ ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ ଘାଣ୍ଟନ୍ତୁ। ଏହା ପରେ ସେଥିରେ ଆବଶ୍ୟକ ଅନୁସାରେ ପାଣି ଏବଂ ପୁଦିନା ପତ୍ର ପକାଇ ସିଝିବାକୁ ଘୋଡ଼ାଇ ଦିଅନ୍ତୁ।
-ବିରିୟାନୀରୁ ପାଣି ସୁଖି ଆସିଲେ ଦେଖିବେ ଭାତ ସିଝି ଯାଇଥିବ। ତା ପରେ ଏହା ଉପରେ ଜିରା, ଧନିଆ ଗୁଣ୍ଡ, ପୂର୍ବରୁ ଭଜା ହୋଇଥିବା ପିଆଜ ଏବଂ ଛଣା ହୋଇଥିବା ମାଛ ବଲ୍ ଗୁଡ଼ିକୁ ପକାନ୍ତୁ। ତା’ପରେ ବିରିୟାନୀକୁ ଆଉ କିଛି ସମୟ ପାଇଁ ଘୋଡ଼ାଇ ଦିଅନ୍ତୁ। ଏହାପରେ ଘରଲୋକଙ୍କ ପାଇଁ ପରଷି ସମସ୍ତଙ୍କୁ ଖୁଆନ୍ତୁ।