ମୁହଁରେ ଲଗାନ୍ତୁ ସାଗୁ ଦାନା ଫେସପ୍ୟାକ, ମିିଳିବ ବଢ଼ିଆ ଫାଇଦା

ଆପଣମାନେ ଜାଣିଥିବେ ଅଧିକାଂଶ ଘରେ ସାଗୁ ବ୍ୟବହାର କରାଯାଇଥାଏ। ଏପରିକି ଅନେକ ବ୍ୟକ୍ତି ମଧ୍ୟ ଉପବାସ ସମୟରେ ସାଗୁ ସେବନ କରିଥାନ୍ତି। ସାଗୁରେ ପ୍ରସ୍ତୁତ ଖେଚୁଡି ହେଉ ବା ଖିରି ସ୍ୱାଦିଷ୍ଟ ଲାଗିବା ସହ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଅଧ୍ୟୟନ ଅନୁଯାୟୀ ସାଗୁ ଏପରି ଏକ ପୁଷ୍ଟିକର ଖାଦ୍ୟ ଯେଉଁଥିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏଥିରେ ଅଧିକ ପରିମାଣର କ୍ୟାଲୋରୀ ରହିଥାଏ । କାରଣ ମୌଳିକ ଭାବରେ ଏହା ଷ୍ଟାର୍ଚରୁ ପ୍ରସ୍ତୁତ । ଯେଉଁଥିରେ କାର୍ବସ ଥାଏ ଯାହା ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ ।

ଅଧିକାଂଶ ଲୋକ ସାଗୁ ଖାଇବାକୁ ପସନ୍ଦ କରିଥାଆନ୍ତି। ବିଭିନ୍ନ ପର୍ବପର୍ବାଣୀ ସମୟରେ ସାଧାରଣତଃ ଏହାକୁ ସେବନ କରାଯାଇଥାଏ। ଏଥିରେ ପ୍ରୋଟିନ୍‌, ଫାଇବର ଆଦି ପୋଷକ ତତ୍ତ୍ୱ ଭରପୂର ରହିଛି। ସାଗୁଦାନାରେ ଆପଣ ଅନେକ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିପାରିବେ। ସାଗୁ ଆମ ଶରୀର ପାଇଁ ଅତି ଉତ୍ତମ ହୋଇଥାଏ। ଦେଶର ପ୍ରାୟ ସବୁ ଅଞ୍ଚଳରେ ସାଗୁକୁ ବ୍ରେକ୍‌ଫାଷ୍ଟ ଭାବେ ଖିଆଯାଏ। କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ସାଗୁ ତ୍ୱଚା ପାଇଁ ମଧ୍ୟ ବେଶ୍‌ ଉପକାରୀ। ତ୍ୱଚାର ଚମକ ପାଇଁ ମଧ୍ୟ ଆପଣ ସାଗୁ ବ୍ୟବହାର କରିପାରିବେ। ଚେହେରାକୁ ଚମକଦାର ବନାଇବାକୁ ଆପଣ ସାଗୁର ଫେସ୍‌ପ୍ୟାକ୍‌ ତିଆରି କରି ଲଗାଇ ପାରିବେ।

ସାଗୁର ଫେସ୍‌ପ୍ୟାକ୍‌ ବନାଇବା ବିଧି:
୧ ଚାମଚ ସାଗୁ ଦାନା
୨-୩ ଚାମଚ ଲେମ୍ବୁ ରସ
୧ ଚାମଚ ଚିନି
୧ ଚାମଚ ମୁଲତାନି ମାଟି
୨ ଚାମଚ ଗୋଲାପ ଜଳ

ପ୍ରଥମେ ଗ୍ୟାସରେ ଏକ ପାତ୍ର ନେଇ ସେଥିରେ କିଛି ସାଗୁ ଓ ଲେମ୍ବୁ ରସ ପକାଇ ନରମ ହେବା ପର୍ଯ୍ୟନ୍ତ ଗୋଳାନ୍ତୁ। ଏହା ଥଣ୍ଡା ହୋଇଯିବା ପରେ ଗ୍ରାଇଣ୍ଡରରେ ପେଷ୍ଟ କରି ଦିଅନ୍ତୁ। ଏବେ ଏହି ପେଷ୍ଟରେ ଅଳ୍ପ ଚିନି ମିଶାଇ ଗ୍ରାଇଣ୍ଡିଂ କରନ୍ତୁ। ଏବେ ଏହି ପେଷ୍ଟକୁ ବାହାର କରି ସେଥିରେ ମୁଲତାନି ମାଟି ଓ ଗୋଲାପ ଜଳ ମିଶାନ୍ତୁ। ଏବେ ଏକ ଚାମଚରେ ଏହାକୁ ମିଶାଇ ମୁହଁରେ ଲଗାନ୍ତୁ। ୨୦ ମିନିଟ୍‌ ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

ସାଗୁର ଏହି ଫେସ୍‌ପ୍ୟାକ୍‌ ମୁହଁର ଦାଗ, ବ୍ରଣ, କଳାପଣ ଦୂର କରିବାରେ ବେଶ୍‌ ସାହାଯ୍ୟ କରିବ। ଶୁଷ୍କ ତ୍ୱଚାକୁ ଏହା ଆର୍ଦ୍ର ମଧ୍ୟ କରିଥାଏ। ଏଣୁ ସବୁ ଋତୁରେ ଆପଣ ଏହାକୁ ବ୍ୟବହାର କରିପାରିବେ।