ମଲ୍ଟି ଭିଟାମିନ୍‌ ଖାଉଥିଲେ ସାବଧାନ! ବୟସ କମାଉନି ବରଂ ଟାଣି ନେଉଛି ମୃତ୍ୟୁ ଆଡ଼କୁ

ବୟସ ବଢ଼ିବା ସହ କିଛି କିଛି ଲକ୍ଷଣ ମଧ୍ୟ ଶରୀରରେ ପ୍ରକାଶ ପାଇଥାଏ । ଯଥା- ଚର୍ମ କୁଞ୍ଚନ, ଶରୀର ଦୁର୍ବଳ ହେବା, ମାଂସପେଶୀ ଢିଲା ହେବା ଇତ୍ୟାଦି । ଏସବୁ ସମସ୍ୟାରୁ ମୁକ୍ତି ପାଇବାକୁ ଲୋକମାନେ ବିଭିନ୍ନ ପ୍ରକାରର ଭିଟାମିନ୍‌ ଟାବ୍‌ଲେଟ୍‌ ଖାଇଥାନ୍ତି । ଆଉ କିଛି ଲୋକ ନିୟମିତ ମଲ୍ଟି ଭିଟାମିନ୍‌ କ୍ୟାପ୍‌ସୁଲ ମଧ୍ୟ ଗ୍ରହଣ କରିଥାନ୍ତି । କିନ୍ତୁ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ ମଲ୍ଟି ଭିଟାମିନ୍‌ ଖାଇବା ଦ୍ୱାରା ପ୍ରକୃତରେ ସେଭଳି କିଛି ସୁଫଳ ମିଳିନଥାଏ । ନିକଟରେ ବ୍ରିଟେନ୍‌ରୁ ମଲ୍ଟି ଭିଟାମିନ୍‌କୁ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଛି, ଯେଉଁ ଲୋକ ନିୟମିତ ମଲ୍ଟି ଭିଟାମିନ୍‌ ଖାଇ ଖୁସି ହେଉଛନ୍ତି ଯେ ସେମାନଙ୍କ ବୟସ ବଢ଼ୁଛି କିନ୍ତୁ ଏହାର ଲକ୍ଷଣ ପ୍ରକାଶ ପାଉନି । ଏହା ଏକ ଭୁଲ ଧାରଣା । ପ୍ରକୃତରେ ଏହା ଦ୍ୱାରା କିଛି ପରିବର୍ତ୍ତନ ହେଉନାହିଁ ।

ରିସର୍ଚ୍ଚରୁ ଜଣାଯାଇଛି, ମଲ୍ଟି ଭିଟାମିନ୍‌ ଯୁବାବସ୍ଥାକୁ ବଜାୟ ରଖୁନି, ବରଂ ମୃତ୍ୟୁ ଆଡ଼କୁ ମଣିଷକୁ ଟାଣି ନେଉଛି । ଏହା ଲୋକଙ୍କୁ ଦୀର୍ଘାୟୁ କରିବା ପରିବର୍ତ୍ତେ ମରଣର ନିକଟତର କରୁଛି । ମଲ୍ଟି ଭିଟାମିନ୍‌ ଶରୀର ପାଇଁ ଅତ୍ୟଧିକ କ୍ଷତିକାରକ । ଏଥିରେ ଥିବା ବିଟା କେରୋଟିନ୍‌କୁ ଯଦି ପ୍ରାକୃତିକ ଭାବେ ଖାଇବେ ତେବେ ଏହା କ୍ୟାନ୍‌ସରରୁ ମୁକ୍ତି ଦେଇଥାଏ । କିନ୍ତୁ ଯଦି ଏହାକୁ ସପ୍ଲିମେଣ୍ଟ ଭାବେ ନେଉଛନ୍ତି ତେବେ ଫୁସ୍‌ଫୁସ୍‌ କ୍ୟାନ୍‌ସର, ହାର୍ଟ ରୋଗର ଆଶଙ୍କା ବଢ଼ିଯାଏ । ଆଇରନ୍‌ ଭଳି ଏକାଧିକ ଭିଟାମିନ୍‌ ଏହି ଟାବ୍‌ଳେଟ୍‌ରେ ମିଶିଥାଏ । ଆଉ ମାତ୍ରାଧିକ ଆଇରନ୍‌ ହାର୍ଟ ରୋଗ, ଡାଇବେଟିସ୍‌ ଓ ଡିପ୍ରେସନ୍‌ ଭଳି ସମସ୍ୟା ବଢ଼ାଇଦିଏ ।

ଏଣୁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି ଯେ ମଲ୍ଟି ଭିଟାମିନ୍‌ କ୍ୟାପ୍‌ସୁଲ ବଦଳରେ ସ୍ୱାସ୍ଥ୍ୟକାରୀ ପରିବା, ଫଳମୂଳ ଖାଆନ୍ତୁ । ଏହା ପ୍ରାକୃତିକ ଭାବେ ଶରୀରକୁ ଭିତରୁ ସୁସ୍ଥ ରଖିବ । ଏଥିସହ ପ୍ରତିଦିନ କିଛି କିଛି ବ୍ୟାୟାମ କରିବାକୁ ରିସର୍ଚ୍ଚର କହିଛନ୍ତି ।