ଥଣ୍ଡା ଥଣ୍ଡା ପାଗରେ ଆଜି ବନାନ୍ତୁ ଗରମାଗରମ ‘ମେଥି ପକୁଡ଼ି’, ଦୁଇଗୁଣ ହୋଇଯିବ ଚା’ର ମଜା

ଆରମ୍ଭ ହୋଇଗଲାଣି ଶୀତ ଦିନ। ଏବେ ଥଣ୍ଡା ଥଣ୍ଡା ପାଗରେ ଚା’ ସାଙ୍ଗରେ ଯଦି ଟିକେ ପକୁଡ଼ି ମିଳିଯାଏ ତେବେ ମଜା ଆସିଯାଏ। ଶୀତଦିନେ ଘରେ ଆପଣ ଭିନ୍ନ ପ୍ରକାରର ପକୁଡ଼ି ତ ନିଶ୍ଚୟ ତିଆରି କରୁଥିବେ। କିନ୍ତୁ କେବେ ମେଥି ପକୁଡ଼ି ଟ୍ରାଏ କରିଛନ୍ତି କି? ଯଦି ନା’ ତେବେ ଆଜି ସନ୍ଧ୍ୟାରେ ଏହି ଟେଷ୍ଟି ପକୁଡ଼ି ଥରେ ନିଶ୍ଚୟ ଭାବେ ଟ୍ରାଏ କରନ୍ତୁ। ଏହାର ସ୍ୱାଦ ଏତେ ବଢ଼ିଆ ଯେ ଆପଣ ଥରେ ଖାଇଲେ ପୁଣିଥରେ ମାଗିବେ। ତେବେ ଆସନ୍ତୁ ଜାଣିବା ଏହି କୁରୁକୁରା ମେଥି ପକୁଡ଼ି ତିଆରି କରିବେ କେମିତି…

ମେଥି ପକୁଡ଼ି ତିଆରି କରିବା ପାଇଁ ୧ କପ୍‌ ବେସନ ନିଅନ୍ତୁ ଓ ସେଥିରେ ଗୋଟେ କପ୍‌ କଟା ମେଥି ପତ୍ର ପକାନ୍ତୁ। ଏଥିରେ ଅଳ୍ପ କଟା ଧନିଆ ପତ୍ର, ଅଳ୍ପ କଟା ଭୃଷଙ୍ଗ ପତ୍ର, ୧ ଚାମଚ କଟା ଲଙ୍କା, ୨ଟି କଟା ପିଆଜ, ୨ କପ୍‌ ପାଣି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତେବେ ଧ୍ୟାନ ରଖିବେ ଏହି ବେସନ ଘୋଳ ଯେମିତି ବିଣ୍ଡା ନ ରହେ। ଏବେ ଏଥିରେ ମସଲା ପକାଇବା। ମସଲାରେ ଛୋଟ ଚାମଚ ହଳଦୀ ପାଉଡର, ୨ ଚିମୁଟା ହେଙ୍ଗୁ, ଅଧ ଚାମଚ ବେକିଂ ସୋଡ଼ା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ।

ଏବେ ଗ୍ୟାସ୍‌ରେ ତେଲ କଡ଼େଇ ବସାନ୍ତୁ। ତେଲ ଗରମ ହୋଇଗଲେ ହାତରେ କିମ୍ବା ଚାମଚରେ ଛୋଟ ପକୁଡ଼ି କରି ଛାଣନ୍ତୁ। ଛାଣିବା ବେଳେ ଗ୍ୟାସ୍‌ରେ ଆଞ୍ଚ ମିଡିୟମ୍‌ ରଖିବେ। ପକୁଡ଼ି ସୁନେଲି ରଙ୍ଗର ହୋଇଗଲେ ବାହାର କରି ଟିସୁ ପେପରରେ ରଖନ୍ତୁ। ଏହି ଗରମା ଗରମ ପକୁଡ଼ିକୁ ଚଟଣୀ କିମ୍ବା ସସ୍‌ ସହ ପରଷନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.