ଏହି ସହଜ ଉପାୟ ଆପଣାଇ ଆପଣ ବି ହୋଇପାରିବେ ମାଲାମାଲ, କେବେ ରହିବନି ପଇସାର ଅଭାବ

ଯଦି ରୋଜଗାର କମ୍ ଏବଂ ଖର୍ଚ୍ଚ ଅଧିକ ରହିଛି, ତା’ହେଲେ ମାସ ଶେଷରେ ଉଧାର ନେବାର ସମୟ ଆସିଯାଇଥାଏ। ତେଣୁ ଏବେଠୁ ଆପଣ ଆପଣଙ୍କ ଖର୍ଚ୍ଚର ଯାଞ୍ଚ କରିବା ଆରମ୍ଭ କରିଦିଅନ୍ତୁ। ଏଥିପାଇଁ ଖର୍ଚ୍ଚକୁ ଦୁଇ ଭାଗରେ ବାଣ୍ଟି ଦିଅନ୍ତୁ। ପ୍ରଥମତଃ, ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ, ଦ୍ୱିତୀୟରେ ଯେଉଁ ଜିନିଷ ଆପଣ ଚାହୁଁଛନ୍ତି, ଏହାର ତାଲିକା ବନାନ୍ତୁ। ଏମିତି କଲେ, ଏହା ଖର୍ଚ୍ଚକୁ ପରିଚାଳନା କରିବାରେ ସାହାଯ୍ୟ କରିବ।
କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ଧନର ଆବଶ୍ୟକତା ପଡ଼ିଥାଏ, କିନ୍ତୁ ଆପଣ ଭଲ ସମୟ ଆଶାରେ କାମ ଆରମ୍ଭ କରି ନ ଥାଆନ୍ତି। ଫଳରେ ଆପଣଙ୍କ କାମଟି ଅଟକି ଯାଇଥାଏ ଏବଂ ପଇସା ମଧ୍ୟ ଖର୍ଚ୍ଚ ହୋଇଯାଏ। ତେଣୁ ଯେତେବେଳେ ଆପଣଙ୍କ ପାଖରେ ପଇସା ଅଛି, ସେତେବେଳେ ନିବେଶ କରନ୍ତୁ ଏବଂ ସମୟ ଅପଚୟ କରନ୍ତୁ ନାହିଁ।
ଏହାସହ ପଢ଼ନ୍ତୁ: ଏକୁଟିଆ ରହୁଥିବା ଲୋକ ହୋଇପାରନ୍ତି ‘ଚାଲାଖ’
ଆଗକୁ ଯିବା ଚକ୍କରରେ ବେଳେବେଳେ ଆପଣ ନିଜ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖିପାରନ୍ତି ନାହିଁ। ଆତ୍ୟାଧୁନିକ ଜୀବନଶୈଳୀ ଅନୁକରଣ କରିବା ପାଇଁ ଅନେକ ଥର ଉଧାରି ନେବାକୁ ମଧ୍ୟ ଆଦୌ ସଙ୍କୋଚ କରନ୍ତି ନାହିଁ। ଯଦି ପାରୁଛନ୍ତି, ଏଭଳି ଅଭ୍ୟାସରୁ ଦୂରେଇ ଯାଆନ୍ତୁ। ଘର କିମ୍ବା ପିଲାଙ୍କ ପାଠପଢ଼ା ପାଇଁ ଉଧାର ନେଇଛନ୍ତି ଯଦି ଠିକ୍ ଅଛି, କିନ୍ତୁ ଫାଲତୁ ଖର୍ଚ୍ଚ ପାଇଁ କେବେ ବି କରଜ କରନ୍ତୁ ନାହିଁ।
କେତେକ ଲୋକ ସୂଚନା ନ ଜାଣି ଶେୟାର ବଜାରରେ ପଇସା ଲଗେଇ ଦିଅନ୍ତି, ଯେଉଁଥିପାଇଁ ସେମାନଙ୍କୁ କ୍ଷତିର ସାମ୍ନା କରିବାକୁ ପଡ଼ିଥାଏ। ଯଦି ଆପଣ ବି ଏମିତି କରୁଥାଆନ୍ତି, ତା’ହେଲେ ଏହା କରିବା ଆଦୌ ଉଚିତ ନୁହେଁ। ଏହା ନିଶ୍ଚୟ କରନ୍ତୁ ଯେ ପ୍ରତ୍ୟେକ ମାସରେ ଉପାର୍ଜନ କରୁଥିବା ଧନରୁ କିଛି ଅଂଶ ସେଭିଙ୍ଗ୍ କରନ୍ତୁ। ଯଦି ଏଭଳି ଚେଷ୍ଟା କରିବେ, ତା’ହେଲେ କିଛି ଦିନ ପରେ ଆପଣ ଅନୁଭବ କରିବେ, ପଇସା ଜମା କରିବା ଆପଣଙ୍କର ଏକ ଅଭ୍ୟାସ ହୋଇଗଲାଣି।
ଯଦି ନିଜର କିଛି ବ୍ୟବସାୟ ଅଛି, ତା’ହେଲେ ରିସ୍କ ନେବାକୁ ଡରନ୍ତୁ ନାହିଁ। ଅନେକ ବାର ଏମିତି ହୋଇଥାଏ, ରିସ୍କ ନ ନେଲେ ଏହା ହିଁ ରିସ୍କ ବନିଯାଇଥାଏ। ଏଥିପାଇଁ ପରିସ୍ଥିତିକୁ ଭଲ ଭାବେ ପରଖି ପଇସା ନିବେଶ କରନ୍ତୁ। ସିଗାରେଟ୍, ମଦ କିମ୍ବା ଅନ୍ୟ କୌଣସି ନିଶା ଦ୍ରବ୍ୟ ଖାଇବାଠୁ ଦୂରେଇ ଯାଆନ୍ତୁ। ସେହି ପଇସାକୁ ଭବିଷ୍ୟତ ପାଇଁ ଜମା କରି ରଖନ୍ତୁ। ଦେଖିବେ, ଏହା ଆପଣଙ୍କର ଏକ ଜରୁରୀ କାମରେ ଆସିପାରିବ।