ଶୀତଦିନେ ପାଣି ପିଇବାକୁ କଷ୍ଟ ଲାଗୁଛି? ତ ଏହି ସବୁ ଖାଦ୍ୟ ଦ୍ୱାରା ଶରୀରକୁ ରଖନ୍ତୁ ହାଇଡ୍ରେଟେଡ୍‌…

ଆମ ଶରୀରରେ ପାଖାପାଖି ୭୦ ପ୍ରତିଶତ ପର୍ଯ୍ୟନ୍ତ ଜଳ ରହିଥାଏ। ଏଥିପାଇଁ ଆମକୁ ନିଜର ସମସ୍ତ ଜୈବିକ କାର୍ଯ୍ୟକଳାପକୁ ଠିକ୍ ଭାବରେ ଚଳାଇବା ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବାର ଆବଶ୍ୟକ ପଡ଼ିଥାଏ। ସୂଚନା ମୁତାବକ, ଆମକୁ ପ୍ରତିଦିନ ୮ରୁ ୧୦ ଗ୍ଲାସ୍ ପାଣି ନିଶ୍ଚୟ ପିଇବା ଉଚିତ। ଏହା ଆମ ଶରୀରକୁ କେବଳ ଡିଟକ୍ସ କରେ ନାହିଁ, ବରଂ ଆମ ମେଟାବୋଲିଜିମ୍ ପାଇଁ ଏକ ମାଧ୍ୟମ ଭାବରେ କାର୍ଯ୍ୟ କରିଥାଏ। କମ୍ ପାଣି ପିଇବା ଦ୍ୱାରା ଆମ ହଜମ କ୍ରିୟାଠାରୁ ଆରମ୍ଭ କରି ରକ୍ତଚାପ ପର୍ଯ୍ୟନ୍ତ, ସବୁ ଉପରେ ପ୍ରଭାବ ପଡ଼ିଥାଏ।

କିନ୍ତୁ ବେଳେବେଳେ ଆମେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇ ପାରୁ ନାହିଁ। ବିଶେଷ କରି ଶୀତଦିନେ ଏହି ସମସ୍ୟା ଦେଖା ଦେଇଥାଏ। କାରଣ ଶୀତଦିନେ ବାକି ଦିନ ତୁଳନାରେ ଆମକୁ କମ୍ ଶୋଷ ଲାଗିଥାଏ। କିନ୍ତୁ ଏହା ଦ୍ୱାରା ଆପଣଙ୍କ ଶରୀରରେ ଜଳର ଅଭାବ ଦେଖା ଦେଇପାରେ, ଯଦ୍ଦ୍ଵାରା ବିଭିନ୍ନ ପ୍ରକାରର ସମସ୍ୟା ଆପଣଙ୍କୁ ଘେରି ଯାଇପାରେ। ଏମିତିରେ ଆପଣ ଏପରି କିଛି ଖାଦ୍ୟ ଖାଇ ପାରିବେ, ଯାହାକୁ ଖାଇବା ଦ୍ୱାରା ଶରୀରରେ ଜଳର ଆବଶ୍ୟକତା ପୂରଣ ହୋଇ ପାରିବ। ଆଜି ଆମେ ଆପଣଙ୍କୁ ସେହି ଜିନିଷଗୁଡ଼ିକ ବିଷୟରେ କହିବୁ, ଯାହାକୁ ସେବନ କଲେ ଆମ ଶରୀର ହାଇଡ୍ରେଟ୍ ରହିଥାଏ ଏବଂ ଶରୀରରେ ଜଳର ଅଭାବ ଦେଖାଦେଇ ନ ଥାଏ।

କଦଳୀ: କଦଳୀରେ ଅନେକ ଭିଟାମିନ୍, ପୋଟାସିୟମ୍‌ ଏବଂ ମ୍ୟାଗ୍ନେସିୟମ୍ ଭଳି ମିନେରାଲ୍ସ ପର୍ଯ୍ୟାପ୍ତ ମାତ୍ରାରେ ମିଳିଥାଏ, ଯାହା ଇଲେକ୍ଟ୍ରୋଲାଇଟ୍ସ ଭାବରେ କାମ କରିଥାଏ ଏବଂ ଏହା ଆମ ଶରୀରକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ। ଏକ ଭଲ ଆକାରର କଦଳୀରେ ପ୍ରାୟ ୪୫୦ ମିଲିଗ୍ରାମ ପୋଟାସିୟମ୍ ଏବଂ ୩୫ ମିଲିଗ୍ରାମ ପର୍ଯ୍ୟନ୍ତ ମ୍ୟାଗ୍ନେସିୟମ୍ ମିଳିଥାଏ। ତେଣୁ ନିୟମିତ ଭାବରେ କଦଳୀ ଖାଇବା ଦ୍ୱାରା ଆମ ଶରୀରକୁ ହାଇଡ୍ରେଟ୍ ରଖିବାରେ ଏହା ବହୁତ ସହାୟକ ହୋଇଥାଏ।

କ୍ଷୀର: କ୍ଷୀରରେ ଅଧିକାଂଶ ଭାଗ ହେଉଛି ଜଳ। ଏଥି ସହିତ ଏଥିରେ ଅନେକ ଭିଟାମିନ୍, ପ୍ରୋଟିନ୍ ଓ କାର୍ବୋହାଇଡ୍ରେଟ୍ ସହିତ ଚର୍ବି ମଧ୍ୟ ମିଳିଥାଏ। କ୍ଷୀର ସେବନ କରିବା ଦ୍ୱାରା ଆପଣଙ୍କ ଶରୀରକୁ ଡିହାଇଡ୍ରେସନରୁ ରକ୍ଷା କରିବାରେ ସାହାଯ୍ୟ ମିଳିଥାଏ।

ଟମାଟୋ: ଟମାଟୋ ଆପଣଙ୍କ ଶରୀରକୁ ହାଇଡ୍ରେଟ୍ ରଖିବ। କାରଣ, ଏଥିରେ ପ୍ରାୟ ୯୪ ପ୍ରତିଶତ ଜଳ ଥାଏ। ଏହାକୁ ଆମେ ସାଲାଡ କିମ୍ବା ସକାଳେ ଗଜା ଜଳଖିଆ ସହିତ ମଧ୍ୟ ଖାଇ ପାରିବା। ଟମାଟୋରେ ପ୍ରଚୁର ପରିମାଣରେ ଆଣ୍ଟି-ଅକ୍ସିଡେଣ୍ଟସ୍‌ ମଧ୍ୟ ରହିଛି, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିପାଇଁ ଯଦି ଆମେ ଟମାଟୋ ସେବନ କରିବା, ତ ଶରୀରକୁ ହାଇଡ୍ରେଟ୍ ରଖିବାରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ରହିବ।

ନଡ଼ିଆ ପାଣି: ନଡ଼ିଆ ପାଣି ଆପଣଙ୍କ ଶରୀରକୁ ତୁରନ୍ତ ହାଇଡ୍ରେଟ୍ କରିଥାଏ। କାରଣ, ଏଥିରେ ଇଲେକ୍ଟ୍ରୋଲାଇଟ୍ସ ପ୍ରଚୁର ମାତ୍ରାରେ ଥାଏ। ଏହା ଆମ ଶରୀରକୁ ଡିଟକ୍ସିଫାଇ ମଧ୍ୟ କରିଥାଏ। ଏଣୁ ଶୀତଦିନେ ନିଜ ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ଆମକୁ ନଡିଆ ପାଣି ସେବନ କରିବା ଉଚିତ୍।

ପାଳଙ୍ଗ: ପାଳଙ୍ଗରେ କ୍ୟାଲୋରୀ କମ୍‌ ଥାଏ, କିନ୍ତୁ ଜଳର ମାତ୍ରା ୯୨ ପ୍ରତିଶତ ପର୍ଯ୍ୟନ୍ତ ରହିଥାଏ। ଏହା ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟି-ଅକ୍ସିଡେଣ୍ଟସର ଏକ ଉତ୍ତମ ଉତ୍ସ ହୋଇଥାଏ। ଏହାକୁ ସେବନ କରିବା ଦ୍ୱାରା ଆମ ଶରୀର ହାଇଡ୍ରେଟ ରହିଥାଏ। ଏଥିଲାଗି ଶୀତଦିନେ ଡିହାଇଡ୍ରେସନରୁ ବଞ୍ଚିବା ପାଇଁ ପାଳଙ୍ଗ ଖାଇବା ଅତ୍ୟନ୍ତ ଭଲ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.