ଅଣ୍ଟା ଯନ୍ତ୍ରଣାରେ କଷ୍ଟ ପାଉଛନ୍ତି କି? ତୁରନ୍ତ ଉପଶମ ଦେବ ଏହି ୩ ଘରୋଇ ଉପଚାର

ଆଜିକାଲି ସ୍ଥିତି ଏମିତି ହୋଇ ଯାଇଛି ଯେ ଟିକିଏ ଏପଟ ସେପଟ ହେଲେ ରୋଗ ମାଡ଼ି ବସୁଛି। ଖରାପ ଜୀବନଶୈଳୀ ଏବଂ ଅସନ୍ତୁଳିତ ଖାଦ୍ୟପେୟର ଅଭ୍ୟାସ ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଉପୁଜୁଛି। ସେଥି ମଧ୍ୟରୁ ଗୋଟିଏ ହେଉଛି ଅଣ୍ଟା ଯନ୍ତ୍ରଣା। କେବେ କେବେ ଏହି ଅଣ୍ଟା ଯନ୍ତ୍ରଣା ଏତେ ମାତ୍ରାରେ ବଢ଼ିଯାଏ ଯେ ଉଠିବା, ବସିବା ମଧ୍ୟ ଆମ ପାଇଁ କଷ୍ଟକର ହୋଇ ପଡ଼େ। ଯଦି ଆପଣ ବି ଅଣ୍ଟା ଯନ୍ତ୍ରଣା ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତା’ ହେଲେ ତୁରନ୍ତ ଏହାର ଉପଚାର କରେଇ ନିଅନ୍ତୁ। ଆପଣ କିଛି ସହଜ ଘରୋଇ ଉପଚାରକୁ ମଧ୍ୟ ଆପଣାଇ ପାରିବେ। ଏହାଦ୍ୱାରା ଅଣ୍ଟା ଯନ୍ତ୍ରଣା ସମସ୍ୟାରୁ ଆରାମ ମିଳି ପାରିବ ଏବଂ ବସିବା, ଉଠିବାରେ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଆସନ୍ତୁ ଜାଣିବା, କ’ଣ ସେହି ଘରୋଇ ଉପଚାର।

ହଳଦୀ-କ୍ଷୀର: ଯଦି ଅଣ୍ଟା ଯନ୍ତ୍ରଣା ଏବଂ ଶରୀର ଯନ୍ତ୍ରଣା ଆପଣଙ୍କୁ ଅନେକ ସମୟରେ ହଇରାଣ କରୁଛି, ତା’ ହେଲେ ଏକ ଗ୍ଲାସ ଗରମ କ୍ଷୀରରେ ହଳଦୀ ଓ ମହୁ ମିଶାଇ ପିଅନ୍ତୁ। ଏମିତି କିଛି ଦିନ କରନ୍ତୁ। ଏହାଦ୍ୱାରା ଅଣ୍ଟା ଯନ୍ତ୍ରଣା, ଶରୀର ଯନ୍ତ୍ରଣା ଏବଂ ଥଣ୍ଡା, ସର୍ଦ୍ଦି ଆଦିରୁ ଉପଶମ ମିଳି ପାରିବ। ଶରୀରକୁ ଆରାମ ମିଳିବ।

ଅଦା ଚା’: ଅଦା ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ଅଦା ଚା’ ସର୍ଦ୍ଦି, ଫ୍ଲୁ ବ୍ୟତୀତ ଅଣ୍ଟା ଯନ୍ତ୍ରଣାରୁ ମଧ୍ୟ ଆପଣଙ୍କୁ ଆରାମ ଦେଇଥାଏ। ତେଣୁ ଅଣ୍ଟା ଯନ୍ତ୍ରଣା ହେଲେ, ଆପଣ ଅଦା ଚା’ ସେବନ କରି ପାରିବେ।

ନଡିଆ ତେଲ: ନଡିଆ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଯଦି ଆପଣ ନଡିଆ ତେଲରେ କର୍ପୂର ମିଶାଇ ମାଲିସ କରିବେ, ତା’ ହେଲେ ମଧ୍ୟ ଆପଣଙ୍କୁ ଅନେକ ଫାଇଦା ମିଳିବ। ଏହା ଦ୍ୱାରା ଅଣ୍ଟା ଯନ୍ତ୍ରଣା ଏବଂ ଶରୀର ଯନ୍ତ୍ରଣା ସମସ୍ୟାରୁ ମୁକ୍ତି ମିଳିବ।