ଜୀଭ ଅପରିଷ୍କାର ହେବା ଦ୍ୱାରା କେଉଁ ରୋଗ ହୁଏ ? ଜାଣନ୍ତୁ କାହିଁକି ସଫା ରଖନ୍ତି ଜୀଭ

ସ୍ୱାଦକୁ ପରଖିବାରେ ଜୀଭ ଆମକୁ ସାହାଯ୍ୟ କରିଥାଏ । କେବଳ ସ୍ୱାଦ ବାରିବାରେ ନୁହେଁ ବରଂ ସ୍ୱାସ୍ଥ୍ୟରେ ଥିବା ଅନେକ ସମସ୍ୟା ଜୀଭରୁ ହିଁ ଜଣାପଡ଼ିଥାଏ । ଶରୀରରେ ଥିବା ଜୀବାଣୁ ତୁଳନାରେ ଜୀଭରେ ଅଧିକ ଜୀବାଣୁ ଥାଆନ୍ତି । ସ୍ବାସ୍ଥ୍ୟ ସହିତ ଜଡ଼ିତ ଅନେକ ରୋଗରୁ ବଞ୍ଚିବା ପାଇଁ ଜୀଭକୁ ସଫା ରଖିବାକୁ ପଡ଼ିଥାଏ । ସେଥିପାଇଁ ଆମ ଦେହ ଖରାପ ହୋଇଥିବା ସମୟରେ ଡାକ୍ତର ପ୍ରଥମେ ଜୀଭକୁ ଦେଖିଥାନ୍ତି । ଜୀଭର ରଙ୍ଗରୁ ସ୍ୱାସ୍ଥ୍ୟ ସମସ୍ୟା ଜାଣିହୁଏ । ଜୀଭ ସଫା କରିବା ସ୍ୱାସ୍ଥ୍ୟ ପାଇଁ କାହିଁକି ଜରୁରୀ ଏବଂ ଜୀଭ ସଫା ନକରିବା ଦ୍ୱାରା କେଉଁ ସମସ୍ୟା ସୃଷ୍ଟି ହୋଇଥାଏ ଆସନ୍ତୁ ଜାଣିବା ।

ଜୀଭ ସଫା କରିବା କାହିଁକି ଜରୁରୀ:
ଓରାଲ ହାଇଜିନ ପାଇଁ ଜୀଭକୁ ସଫା ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦାନ୍ତ ଓ ମାଢିକୁ ଖରାପ କରୁଥିବା ବ୍ୟାକ୍ଟେରିଆ ଜୀଭରେ ହିଁ ରହିଥାନ୍ତି । ତେଣୁ ଜୀଭ ସଫା କରିବା ଦ୍ୱାରା ପାଟିରେ ବ୍ୟାକ୍ଟେରିଆର ମାତ୍ରା କମ ରହିଥାଏ । ଯାହା ଦ୍ୱାରା ଦାନ୍ତ ଓ ମାଢି ଜନିତ ସମସ୍ୟା ଦୂର ହୋଇଥାଏ । ପାଟିରେ ହେଉଥିବା ରୋଗରୁ ଦୁର୍ଗନ୍ଧ ବାହାରିଥାଏ । କିନ୍ତୁ ଜୀଭକୁ ପ୍ରତିଦିନ ସଫା କରିବା ଦ୍ବାରା ଏହି ସମସ୍ୟା ଦୂର ହୁଏ । ତେବେ ଜୀଭ ସଫା କରିବା ଦ୍ବାରା ଶରୀର ଡିଟକ୍ସିଫାଏ ହୋଇଥାଏ ।

ଅପରିଷ୍କାର ଜୀଭ ପାଇଁ ହୋଇଥାଏ ଏହି ସବୁ ରୋଗ :
ମଇଳା ଜୀଭ ପାଇଁ ପେଟ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଯଦି ଆପଣଙ୍କ ଜୀଭ କଳା ବା ଧଳା ଦିଶୁଛି ତେବେ ପାଚନ ତନ୍ତ୍ର ଖରା଼ପ ହୋଇଥିବାର ଏହା ସଂକେତ ହୋଇପାରେ । ଜୀଭ ନରମ ହୋଇଥିଲେ ଦେହରେ ଆଇରନ ଅଭାବ ରହିଥିବାର ଏହା ସଂକେତ ହୋଇପାରେ । ଯାହାଫଳରେ ଏନିମିୟା ହେବାର ଆଶଙ୍କା ବଢ଼ିଯାଏ । ଭିଟାମିନ୍ ଅଭାବରୁ ମଧ୍ୟ ଏହି ଲକ୍ଷଣ ଦେଖାଯାଏ । ତେଣୁ ଆପଣଙ୍କ ନିକଟରେ ଏଭଳି ସମସ୍ୟା ଦେଖାଯାଉଥିଲେ ଭରପୁର ମାତ୍ରାରେ ପୋଷକ ତତ୍ବ ଓ ଭିଟାମିନ୍ ସେବନ କରନ୍ତୁ । ଅନେକ ସମୟରେ ଲୋକଙ୍କ ଜୀଭରେ ଫାଟ ଦେଖାଯାଏ, ଯାହା କିଡନୀ ଏବଂ ଡାଇବେଟିସ ଭଳି ରୋଗକୁ ସୂଚାଇଥାଏ । ଏହାକୁ କୌଣସି ଛୋଟ ରୋଗ ଭାବି ଅଣଦେଖା କରନ୍ତୁ ନାହିଁ । ଏହି ସବୁ ସମସ୍ୟା ଦେଖା ଯାଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Also Read :ଫ୍ରିଜ୍‌ ପାଣି ପିଉଛନ୍ତି କି ତେବେ ସାବଧାନ୍‌, ନଚେତ୍‌ ଶୀଘ୍ର ହୋଇପାରନ୍ତି ଏହି ରୋଗର ଶିକାର