କୁନି ପିଲାଙ୍କ ମସ୍ତିଷ୍କକୁ ଦୁର୍ବଳ କରୁଛି ମୋବାଇଲ୍‌ ସ୍କ୍ରିନ

ଅଧିକ ଫୋନ୍‌ ବ୍ୟବହାର କରିବା ଦ୍ୱାରା ଛୋଟ ପିଲାଙ୍କ ଆାଖି ଉପରେ ପ୍ରଭାବ ପଡିବା ସହ ମସ୍ତିଷ୍କକୁ ମଧ୍ୟ ଦୁର୍ବଳ କରିଥାଏ । ମୋବାଇଲ୍‌ ଫୋନ୍‌ ଏତେ ମାତ୍ରାରେ ପାଗଳ କରୁଛି ଯେ, ଆଜିକାଲି କାହା ପାଖରେ ଟଙ୍କା ଥାଉ କି ନଥାଉ କିନ୍ତୁ ମୋବାଇଲ୍‌ ଖଣ୍ଡେ ନିହାତି ଥିବ । ତେବେ ଆବଶ୍ୟକତାଠାରୁ ଅଧିକ ଫୋନ୍‌ ଚଲାଇଲେ ଆମ ସ୍ୱାସ୍ଥ୍ୟ ପକ୍ଷେ ଅହିତକର ବୋଲି ଡାକ୍ତରମାନେ ପରାମର୍ଶ ଦିଅନ୍ତି । ହେଲେ ଏ କଥା ଶୁଣୁଛି କିଏ ! ଛୋଟପିଲାଙ୍କ କ୍ଷେତ୍ରରେ ତ ମୋବାଇଲ୍‌ ନଥିଲେ ଯେପରି କିଛି ହେବନାହିଁ । ଖାଇଲା ବେଳେ ଫୋନ୍‌ , ବୁଲିଲାବେଳେ ଫୋନ୍‌ ଏବଂ ଶୋଇଲା ବେଳେ ମଧ୍ୟ ଫୋନ୍‌ ବ୍ୟବହାର ହେଉଛି । ସବୁ ସମୟରେ ପିଲାମାନେ ଗେମ୍‌ ଖେଳିଥାନ୍ତି, ଫୋନ୍‌ ସ୍କ୍ରିନ୍‌ ପ୍ରଭାବରୁ ଅନେକ ପ୍ରକାର ରୋଗ ଦେଖାଦେଇଥାଏ ।

ଏହାକୁ ନେଇ କେତେକ ଗବେଷକ ମତ ପ୍ରକାଶ କରିଛନ୍ତି । ଆସନ୍ତୁ ଜାଣିବା – ପ୍ଲସ୍‌ ଓ୍ଵାନ୍‌ ନାମକ ଏକ ଜର୍ନାଲର ରିସର୍ଚ ଅନୁସାରେ , ୫ ବର୍ଷରୁ କମ୍‌ ବୟସର ପିଲା ଅଧିକ ସମୟ ଧରି ଫୋନ୍‌ ଚଳାଇବା ଦ୍ୱାରା ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଖାସ୍‌ କରି ଏଥିରେ ୨ ବର୍ଷରୁ କମ୍‌ ପିଲାଙ୍କ କଥା କୁହାଯାଉଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ସ୍କ୍ରିନ୍‌ ଆଡ଼ିକ୍ସନ ଯୋଗୁ ୭ ରୁ ୮ ବର୍ଷ ବୟସର ପିଲା ଭିଡିଓରେ ଦେଖୁଥିବା ଅଭିନେତାଙ୍କୁ ନକଲ କରିବା ପାଇଁ ଚେଷ୍ଟା କରନ୍ତି । ଏହା ସହ ଆଖିରେ ଆଖି ମିଶାଇ କଥା ହେବା ପାଇଁ କୁଣ୍ଠାବୋଧ କରିଥାନ୍ତି । ୩ ବର୍ଷରୁ କମ୍‌ ବର୍ଷର ପିଲା ଅତ୍ୟଧିକ ସ୍କ୍ରିନର ସଂସ୍ପର୍ଶରେ ଆସିବା ଏକ ବହୁତ ବଡ଼ ରିସ୍କ୍‌ ହୋଇଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ ମୋବାଇଲ୍‌ ସ୍କ୍ରିନ୍‌ ସ୍ମରଣ ଶକ୍ତିକୁ କମାଏ ।

ନ୍ୟୁରୋଲୋଜିଷ୍ଟ ଏକ୍ସପଟ୍‌ଙ୍କ ମତରେ, ଅଧିକ ଫୋନ୍‌ ବ୍ୟବହାର କରିବା ଦ୍ୱାରା ପିଲାଙ୍କ ନିଦ୍ରା ବିଗିଡିଯାଏ । ଯାହାକି ମସ୍ତିଷ୍କ ସମସ୍ୟା ଭଳି ଜଟିଳ ରୋଗକୁ ଜାଗ୍ରତ କରାଏ । ରାତି ସମୟରେ ଫୋନ୍‌ ସ୍କ୍ରିନରୁ ବାହାରୁଥିବା ଆଲୋକ ମସ୍ତିଷ୍କରେ ଡୋପାମାଇନ୍‌ ନାମକ କ୍ୟାମିକାଲକୁ ପ୍ରଭାବିତ କରିଥାଏ । ଏମିତିରେ ବାରମ୍ବାର ଭିଡିଓ ଦେଖିବାକୁ ଇଚ୍ଛା ହୁଏ । ଏହା ବ୍ୟତୀତ ଫିଡସ୍‌, ମାଇଗ୍ରେନ୍‌, ଚିଡିଚିଡାପଣ, ଏକୁଟିଆପଣ ଭଳି ସମସ୍ୟା ଦେଖାଦେଇଥାଏ ।

ତେବେ ଡବ୍ଲୁଏଚଓ ଅନୁସାରେ , ଛୋଟପିଲାଙ୍କର ବିକାଶ ପାଇଁ ଶାରୀରିକ ସୁସ୍ଥ ହେବା ସହ ନିଦକୁ ସଂପୂର୍ଣ୍ଣ କରିବା ଦିଗରେ ବାପା, ମା’ ପ୍ରୟାସ କରିବା ଆବାଶ୍ୟକ । ବାପା, ମା’ ପିଲାଙ୍କୁ ସଚେତନ କରେଇବା ଉଚିତ୍‌ । ଏଥିପାଇଁ ପିଲାଙ୍କୁ ସବୁ ସମୟରେ ଫୋନ ଦିଅନ୍ତୁ ନାହିଁ, ପିଲାଙ୍କ ଧ୍ୟାନ ରଖିବା ସହ ପାଠ ପଢ଼ାଇବା , କାହାଣୀ ଶୁଣାଇବା , ଚିତ୍ରାଙ୍କନ କରାଇବା ଏବଂ ଖେଳ କୁଦରେ ପିଲାଙ୍କୁ ପ୍ରୟାସ କରାଇବା ଭଳି ଅଭ୍ୟାସକୁ ଆଦରି ଫୋନ୍‌ ସ୍କ୍ରିନଠାରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ଏପରି କରିବା ଦ୍ବାରା ଦେଖିବେ ପିଲାମାନେ ସୁସ୍ଥ ରହିବେ ଏବଂ କୌଣସି ପ୍ରକାରର ସମସ୍ୟା ମଧ୍ୟ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like