ଆଜି ମହାଶିବରାତ୍ରୀ: ଭୋଳାନାଥଙ୍କ ସାନ୍ନିଧ୍ୟ ପାଇଁ ବର୍ଜନ କରନ୍ତୁ ଏହି ସବୁ ଖାଦ୍ୟ

ଆଜି ପବିତ୍ର ମହାଶିବରାତ୍ରୀ। ଯାହାକୁ ବର୍ଷ ସାରା ଅପେକ୍ଷା କରି ରହିଥାନ୍ତି ଭକ୍ତଗଣ। ଏହି ଦିନର ରହିଛି ଅନେକ ପୌରାଣିକ ମହତ୍ତ୍ୱ। ହିନ୍ଦୁ ପରମ୍ପରାରେ ଏହାକୁ ଅନେକ ଗୁରୁତ୍ୱ ଦିଆଯାଇଥାଏ। ସବୁ ଦେବଦେବୀଙ୍କର ରହିଛି ଭିନ୍ନ ଭିନ୍ନ ପ୍ରକାରର ପୂଜାବିଧି। ଯେମିତିକି, ଭଗବାନ ଗଣେଶଙ୍କୁ ମୋଦକ ପ୍ରସାଦ ଦିଆଯାଇଥାଏ ଓ ହନୁମାନଙ୍କୁ ବୁନ୍ଦି, ସେହିପରି ଭଗବାନ ଶଙ୍କରଙ୍କୁ ତାଙ୍କ ପ୍ରିୟ ଭାଙ୍ଗ, ଦୁଦୁରା ,ଚମ୍ପା, କେତକୀ ସହ ବେଲପତ୍ର ଚଢ଼ାଯାଇଥାଏ। ବିଶ୍ୱାସ ରହିଛି ଯେ, ଆଜି ଭଳି ଦିନରେ ଯଦି ଭୋଳାନାଥ ପ୍ରସନ୍ନ ହୁଅନ୍ତି, ତା’ହେଲେ ସେ ନିଜ ଭକ୍ତର ସବୁ ଇଚ୍ଛା ପୂରଣ କରନ୍ତି। ମାତ୍ର ପୂଜା ଯଦି ଠିକ୍ ରୂପେ ସମ୍ପନ୍ନ ନ ହୁଏ, ତେବେ ଭଗବାନଙ୍କ କୃପା ଲାଭ ହୋଇ ନ ଥାଏ।
ମହାଶିବରାତ୍ରୀରେ ସମସ୍ତେ ପ୍ରାୟ ଓପାସ ରହିଥାନ୍ତି। ନିଜ ବ୍ରତ ଦ୍ୱାରା ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାହିଁଥାନ୍ତି। ଏଥିପାଇଁ ବି ଅନେକ ବିଧିବିଧାନ ରହିଛି। ବିଶ୍ୱାସ ରହିଛି ଯେ, ବ୍ରତଧାରୀମାନେ ଶିବରାତ୍ରୀରେ ଚାଉଳ, ଡାଲି, ଗହମରୁ ତିଆରି ଖାଦ୍ୟ ଖାଇବା ଅନୁଚିତ। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଫଳ , ଚା’, କଫି ଓ କ୍ଷୀର ଆଦିକୁ ମଧ୍ୟ ସେବନ କରିବା ଅନୁଚିତ।
ଶାସ୍ତ୍ର ମତରେ, ଆଜିର ଦିନରେ ଦେବୀ ପାର୍ବତୀ ଏବଂ ଭଗବାନ ଶିବଙ୍କର ବିବାହ ହୋଇଥିଲା। ଏହିଦିନ ଉପବାସ ରହିବାର ପ୍ରଥା ଅନେକ ବର୍ଷରୁ ରହିଆସିଛି। କିଛି ଲୋକ ଏହି ଦିନରେ ନିର୍ଜଳା ଉପବାସ କରିଥାନ୍ତି। ଅନ୍ୟ କିଛି ଡାଏ ଫ୍ରୁଟ୍ସ ଏବଂ ଫଳ ଖାଇ ରହିଥାନ୍ତି। ତେବେ ଯେଉଁମାନେ ନିର୍ଜଳା ଉପବାସରେ ରହିପାରି ନ ଥାନ୍ତି, ସେମାନେ ସାଗୁଦାନା, ଫଳରସ ଆଦି ଖାଇଥାନ୍ତି।
ସେହିପରି ଭଗବାନ ଶିବଙ୍କ ପୂଜାରେ ମଧ୍ୟ ରହିଛି ଅନେକ ନିୟମ। ଶିବଲିଙ୍ଗରେ ଚଢ଼ାଯାଉଥିବା ପ୍ରସାଦକୁ ଖାଇବା ଅନୁଚିତ। ଏହା ଭକ୍ତଙ୍କ ପାଇଁ ଦୁଃର୍ଭାଗ୍ୟ ଆଣିଥାଏ। ଶାସ୍ତ୍ରରେ ବର୍ଣ୍ଣିତ ଯେ ଶିବଲିଙ୍ଗରେ ତୁଳସୀ ଅର୍ପଣ କରିବା ପରିବର୍ତ୍ତେ ତୁଳସୀ ଜଟ୍ଟା ଚଢ଼ାଇବା ଉଚିତ । କାରଣ ତୁଳସୀ କେବଳ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରାଯାଏ। ପଞ୍ଚାମୃତରେ ମଧ୍ୟ ତୁଳସୀ ବ୍ୟବହାର କରିବା ଅନୁଚିତ। ଏହାସହ ଭଗବାନ ଶିବଙ୍କୁ ବର୍ଷର ଗୋଟିଏ ଦିନ ଅର୍ଥାତ ମହାଶିବରାତ୍ରୀରେ କେତକୀ ଫୁଲ ଚଢ଼ାଯାଇଥାଏ।