ଯାଜପୁର: ୧୬ନଂ ଜାତୀୟ ରାଜପଥରେ ବଢୁଛି ଦୁର୍ଘଟଣା,ବାଇକକୁ ଧକା ଦେଲା ଟ୍ରକ, ୨ଗୁରୁତର

ଯାଜପୁର (କେନ୍ୟୁଜ): ୧୬ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା। ବାଇକକୁ ଧକ୍କା ଦେଲା ଟ୍ରକ। ଫଳରେ ଏହି ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର ଭାବେ ଆହତ। ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟରେ ଆଜି ସନ୍ଧ୍ୟାରେ ଘଟିଛି ଏହି ଦୁର୍ଘଟଣା।
ସୂଚନା ଅନୁଯାୟୀ, ଭଦ୍ରକ ଭଣ୍ଡାରୀପୋଖରୀ ଅଂଚଳର ବିଜୟ ଦାସ ଓ ଭଦ୍ରକ ଇଛାପୁର ଅଂଚଳର ସୁଧାକର ତ୍ରିପାଠୀ ବାଇକ ଯୋଗେ କଟକ ଅଭିମୁଖେ ଯାଉଥିବା ସମୟରେ ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟରେ ପଛପଟୁ ଏକ ଅଜଣା ଟ୍ରକ ଧକ୍କା ଦେଇଥିଲା। ଫଳରେ ୨ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଖବର ପାଇ ଜାରକା ବିଟ ହାଉସ ଅଧିକାରୀ ରାଜକିଶୋର ନାୟକ ପହଂଚି ଆହତ ଦ୍ବୟଙ୍କୁ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ। ଏପଟେ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ତୁରନ୍ତ ଏଦିଗରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।