ପ୍ରସିଦ୍ଧ ମହାବୀରଙ୍କ କ୍ଷେତ୍ରରେ ୨୨୩ ବର୍ଷର ରାମଲୀଳା ପରମ୍ପରା ବେଶ ନିଆରା

ଦଶପଲ୍ଲା: ଓଡ଼ିଶାର କୁଞ୍ଜବନଗଡ଼ ଲୋକକଳା ଗ୍ରାମ ମହାବୀର କ୍ଷେତ୍ର ଭାବେ ପରିଚିତ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ସହର । ଏହି ଦଶପଲ୍ଲାର ଆରାଧ୍ୟ ଠାକୁର ଭାବେ ବିରାଜିତ ପ୍ରଭୁ ଶ୍ରୀମହାବୀର । ପ୍ରସିଦ୍ଧ ମହାବୀରଙ୍କ କ୍ଷେତ୍ରରେ ରାମଲୀଳା ପରମ୍ପରା ବେଶ ନିଆରା । ଉତ୍ତରପ୍ରଦେଶର ବାରଣାସୀ ପରେ ଭାରତବର୍ଷର ଦ୍ୱିତୀୟ ପୁରାତନ ମୁକ୍ତମଞ୍ଚ ରାମଲୀଳା ଏଠାରେ ହୋଇଥାଏ । ରାମ ଜନ୍ମ ଠାରୁ ରାବଣ ବଧ ଓ ରାମଙ୍କ ରାଜାଭିଷେକ ଯାଏଁ ରାମଲୀଳାର ସମସ୍ତ ରୀତିନୀତିକୁ ନେଇ ଏଠାରେ ବିଗତ ୨୨୩ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ଓଡ଼ିଶାର ପ୍ରଥମ ଓ ସର୍ବବୃହତ ମୁକ୍ତମଞ୍ଚ ରାମଲୀଳା । ୧୮୦୨ ମସିହାରୁ ମସିହା ଦଶପଲ୍ଲାରେ ରାମଲୀଳା ଚାଲି ଆସୁଛି । ଯାହାକୁ ଏଠାକାର ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା ଭାବେ ନାମିତ କରାଯାଇଛି ।
ଲଙ୍କାପୋଡ଼ି ଯାତ୍ରା ଭାବେ ପରିଚିତ ଦଶପଲ୍ଲାର ଏହି ରାମଲୀଳା ଉତ୍ସବ ରାମନବମୀ ଠାରୁ ଆରମ୍ଭ ହୋଇ ପ୍ରାୟ ୧୮ ଦିନ ବ୍ୟାପି ଅନୁଷ୍ଠିତ ହେଉଥିଲେ ହେଁ ସୀତାହରଣ ଠାରୁ ଏଠାରେ ଦର୍ଶକଙ୍କ ଭିଡ଼ ଜମେ । ଏଥିପାଇଁ ପୁଷ୍ପକଯାନ ଓ କାଷ୍ଠର ରାବଣ ତିଆରି ହୁଏ । ୩୫ ଫୁଟ ଉଚ୍ଚତା ବିଶିଷ୍ଟ, ଘୂର୍ଣ୍ଣୟମାନ ତଥା ଚଳମାନ କାଷ୍ଠ ନିର୍ମିତ ରାବଣ ମୂର୍ତ୍ତି ଏବଂ ପୁଷ୍ପକ ବିମାନ ସମସ୍ତଙ୍କର ଆକର୍ଷଣ ସାଜିଥାଏ । ଏହି ଲଙ୍କାପୋଡ଼ି ଯାତ୍ରାର ଅନ୍ତିମ ରାତ୍ରିରେ ମହାବୀରଙ୍କ ପୀଠରୁ ବାହାରି କଳାକାରମାନେ ଲଙ୍କାପୋଡ଼ି ପଡ଼ିଆ ପର୍ଯ୍ୟନ୍ତ ଆସିଥାନ୍ତି । କଳାକାର ଚରିତ୍ରମାନେ ପାରମ୍ପରିକ କାଷ୍ଠମୁଖା ପିନ୍ଧି ଅଭିନୟ କରିଥାନ୍ତି । ରାବଣ ବଧକୁ ଦେଖିବାକୁ ଲକ୍ଷାଧିକ ଦର୍ଶକ ଭିଡ଼ ଜମାଇଥାନ୍ତି ।
ଶ୍ରୀରାମଙ୍କ ଶରରୁ ବାହାରିଥିବା ଅଗ୍ନି ରାବଣକୁ ବଧ କରି ପୁଣି ରାମଙ୍କ ପାଖକୁ ଫେରିଆସିଥାଏ । ପରେ ରାବଣର ଗଡ଼ ଧ୍ୱଂସ ହୋଇଥାଏ । ଏହି ସମୟରେ ଆତସବାଜୀରେ ପ୍ରକମ୍ପିତ ହୋଇଥାଏ ଦଶପଲ୍ଲା ସହର । ଏହି ଯାତ୍ରା ଦେଖିବା ପାଇ ରାଜ୍ୟର ବହୁସ୍ଥାନରୁ ଲୋକଙ୍କ ଭିଡ଼ ଜମିଥାଏ । ଲଙ୍କାପୋଡ଼ି ପରେ ଶ୍ରୀରାମଙ୍କ ଅଭିଷେକ ପର୍ବ ପାଳନ ହୋଇ ରାମ ରାଜ୍ୟ ପ୍ରତିଷ୍ଠା ପୂର୍ବକ ଯାତ୍ରା ସମାପନ ହୋଇଥାଏ l
ପାଳିଆ ଓ କଳାକାର ରାମାୟଣର ପୁରୁଣା ପୋଥିକୁ ସଙ୍ଗୀତ ଆକାରରେ ରାମ ନାଟକର ତାଳେତାଳେ ପରିବେଷଣ କରିଥାନ୍ତି । ରଘୁନାଥଙ୍କ ପୀଠରେ ପୋଥି ପୂଜା ପରେ ରାମଲୀଳା ଆଖଡ଼ା ଆରମ୍ଭ ହୁଏ । ଏହି ଆଖଡା ଅଶୋକାଷ୍ଟମୀ ପର୍ଯ୍ୟନ୍ତ ଚାଲେ । ତେବେ ଏହି ରାମଲୀଳାର ବିଶେଷତ୍ୱ ହେଲା, ଏଠାରେ ଆଧୁନିକ ପରିବର୍ତ୍ତେ ପାରମ୍ପରିକ ବାଦ୍ୟଯନ୍ତ୍ର ଏବଂ ବାଣଯୁକ୍ତ ଧନୁ ବ୍ୟବହାର ହୋଇଥାଏ ।
ଗୋଟିଏ ଓଡିଶୀ ମୃଦଙ୍ଗ, ୨ ହଳ ଗିନିରେ ସମ୍ପୂର୍ଣ୍ଣ ରାମଲୀଳାର ପ୍ରତିଟି ଦୃଶ୍ୟ ଏଠି ଜୀବନ୍ତ ଲାଗେ । କଳାକାର ମାନେ ବ୍ରତପାଳନ ପୂର୍ବକ ଏଠାରେ ଅଭିନୟ କରି ପଭୁ ଶ୍ରୀରାମଙ୍କ ଦିବ୍ୟଲୀଳାରେ ସାମିଲ ହୋଇ ଆନନ୍ଦ ପାଇଥାନ୍ତି । ସେପଟେ ଲଙ୍କାପୋଡ଼ି ଯାତ୍ରା ପାଇଁ ସ୍ଥାନୀୟ ବାସିନ୍ଦା ଓ ଯାତ୍ରା କମିଟି ସଭ୍ୟଙ୍କ ମଧ୍ୟରେ ପ୍ରତିବର୍ଷ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ମଧ୍ୟ ବ୍ୟାପକ ଆୟୋଜନ ହୋଇଛି । ପରିଶେଷରେ କୁଆଁରୀଆ ମହୋତ୍ସଵ ଅନୁଷ୍ଠିତ ହୁଏ । ପ୍ରତିବର୍ଷ ରାମଲୀଳା ଏଠି ସତେ ଯେପରି ଜୀବନ୍ୟାସ ପାଇଥାଏ । ଧୀରେ ଧୀରେ ହଜି ଯାଉଥିବା ଭାରତୀୟ ସଂସ୍କୃତିର ମୁକସାକ୍ଷୀ ହୋଇ ରହିଛି ଦଶପଲ୍ଲା ।
ଆହୁରି ପଢନ୍ତୁ: ଝଟକୁଛି ଅଗ୍ନିରୂପୀ ମା’ ହିଙ୍ଗୁଳାଙ୍କ ଭବ୍ୟ ମନ୍ଦିର, ନବଦିନାତ୍ମକ ପୂଜାରେ ଉତ୍ସବମୁଖର ମା’ଙ୍କ ପୀଠ